ପଞ୍ଜାବର ଜଳନ୍ଧର ସହରରେ ‘ଫ୍ରିଜ୍ କମ୍ପ୍ରେସର୍’ ଫାଟିବାରୁ ୩ଜଣ ପିଲାଙ୍କ ସମେତ ଗୋଟିଏ ପରିବାରର ୫ଜଣ ସଦସ୍ୟଙ୍କର ମୃତ୍ୟୁ ଘଟିଥିବା କଥା ଆଜି ପୁଲିସ କହିଛି ବୋଲି ସମ୍ବାଦ ସରବରାହ ସଂସ୍ଥାନ ‘ପିଟିଆଇ’ ରିପୋର୍ଟ କରିଛି।
ପୁଲିସ କହିଛି, ରବିବାର ରାତିରେ ସହରର ଅବତାର ନଗର ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଛି। ‘ଫ୍ରିଜ୍’ ବିସ୍ଫୋରଣ ପରେ ଉକ୍ତ ଘରେ ନିଆଁ ଲାଗିଯାଇଥିଲା।
ପ୍ରଥମେ ଆହତ ହୋଇଥିବା ୫ଜଣଙ୍କୁ ଜଳନ୍ଧର ସିଭିଲ୍ ହସ୍ପିଟାଲ୍କୁ ନିଆଯାଇଥିଲା। କିନ୍ତୁ, ସେଠାରେ ସେମାନଙ୍କର ମୃତ୍ୟୁ ଘଟିଲା। ମୃତ ବ୍ୟକ୍ତିମାନେ ହେଉଛନ୍ତି ୭୦ ବର୍ଷିୟ ଯଶପାଲ୍ ଘାଇ, ୪୦ ବର୍ଷୀୟ ରୁଚି ଘାଇ, ୧୪ ବର୍ଷୀୟ ମନଷା, ୧୨ ବର୍ଷୀୟ ଦିୟା ଓ ୧୦ ବର୍ଷିୟ ଅକ୍ଷୟ।
ବିସ୍ଫୋରଣର ପ୍ରକୃତ କାରଣ ଜାଣିବା ପାଇଁ ଘଟଣାସ୍ଥଳରୁ ନମୁନା ସଂଗ୍ରହ ଲାଗି ‘ଫୋରେନ୍ସିକ୍ ଟିମ୍’କୁ ଡକାଯାଇଥିବା କଥା ପୁଲିସ କହିଛି।