ଝିଅର ବାହାଘର ପାଇଁ କିଣା ଯାଇଥିବା ଜିନିଷ ପତ୍ର ଜଳିପୋଡି ପାଉଁଶ ହୋଇଯାଇଛି। ଏଇ ଫଗୁଣକୁ ହେଇଥାନ୍ତା ଝିଅର ବାହାଘର। ହେଲେ ତା ପୂର୍ବରୁ ନିଆଁ ଲାଗି ସବୁ କିଛି ଛାରଖାର ହୋଇଯାଇଛି।
ବାଲେଶ୍ଵର ଜିଲ୍ଲା ଔପଦା ଥାନା ଅଘିରାପଦା ପଞ୍ଚାୟତ ଗରୁଡହତା ଗାଁର ବସନ୍ତ ରାଉତଙ୍କ ଘରେ ନିଆଁ ଲାଗି ୩ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି।
ବସନ୍ତଙ୍କ ସହପାରିବାର ପୁରୀ ଯିବା ପାଇଁ ବାହାରି କିଛି ବାଟ ଗଲାପରେ ଘରେ ନିଆଁ ଲାଗି ଯାଇଥିବାର ଖବର ଆସିଥିଲା। ଆଉ ଫେରି ଦେଖିଥିଲେ ଆଖି ଆଗରେ ନିଆଁ ଲାଗି ସମ୍ପୂର୍ଣ୍ଣ ଘର ଜଳି ଯାଉଛି। ନିଆଁକୁ ଆୟତ୍ତ କରିବା ଗ୍ରାମବାସୀଙ୍କ ପକ୍ଷେ ସମ୍ଭବ ହୋଇନଥିଲା। ଅଗ୍ନିଶମ ବିଭାଗ ଅଧିକାରୀ ମାନେ ପହଂଚିବା ବେଳକୁ ଜଳିପୋଡ଼ି ସବୁ କିଛି ନଷ୍ଟ ହୋଇଯାଇଥିଲା।
ବସନ୍ତ ରାଉତଙ୍କ ଝିଅର ବିବାହ ଆସନ୍ତା ଫଗୁଣ ମାସରେ ହେବାକୁ ସ୍ଥିର ହୋଇଥିଲା। ହେଲେ ତା ପୂର୍ବରୁ ନିଆଁରେ ପୋଡ଼ି ହୋଇଗଲା ସବୁ ସପନ। ଦିନ ମଜୁରିଆ ବସନ୍ତଙ୍କ ଏକ ମାତ୍ର ଝିଅ ପାଇଁ ଜୀବନ ସାରା ସଞ୍ଚୟ କରିଥିବା ଅର୍ଥ ବି ଚାଲି ଯାଇଛି । ଝିଅ ବାହାଘର ପାଇଁ କିଣା ଯାଇଥିବା ସୁନା ଗହଣାଠୁ ଆରମ୍ଭ କରି ସବୁକିଛି ଜଳି ପୋଡି ଛାରଖାର ହୋଇଯାଇଛି। ପୋଡି ଯାଇଥିବା ଜିନିଷପତ୍ରକୁ ଦେଖି କାନ୍ଦୁଛନ୍ତି ପୁରା ପରିବାର।