ମାଡି ଆସୁଛି ବାତ୍ୟା ମିଚାଉଁ । ରବିବାର ଗଭୀର ଅବପାତରୁ ବାତ୍ୟାରେ ପରିଣତ ହେବା ପରେ ସ୍ଥଳଭାଗ ମୁହାଁ ବାତ୍ୟା । ବଙ୍ଗୋପ ସାଗରରେ ସୃଷ୍ଟ ବାତ୍ୟା ମିଗଜୋମ୍ ଏବେ ଘଣ୍ଟା ପ୍ରତି ୧୪ କିଲୋମିଟର ବେଗରେ ସ୍ଥଳଭାଗ ଆଡକୁ ଆସୁଛି । ଡିସେମ୍ବର ୪ ତାରିଖ ରାତି ୨.୩୦ର ପର୍ଯ୍ୟବେକ୍ଷଣ ଅନୁଯାୟୀ, ଗତ ୬ ଘଣ୍ଟା ମଧ୍ୟରେ ଦକ୍ଷିଣପଶ୍ଚିମ ପାର୍ଶ୍ଵବର୍ତ୍ତୀ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା “MICHAUNG” ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୧୪ କିଲୋମିଟର ବେଗରେ ଅଗ୍ରସର ହେଉଛି।
ବାତ୍ୟା ମିଚାଉଁ ୧୩ ଡ଼ିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୮୧.୪ ଡ଼ିଗ୍ରୀ ପୂର୍ବ ଦ୍ରାଘିମା ପାଖରେ , ପୁଡୁଚେରୀର ପ୍ରାୟ ୨୦୦ କିଲୋମିଟର ପୂର୍ବ-ଉତ୍ତରପୂର୍ବ, ଚେନ୍ନାଇର ୧୩୦ କିଲୋମିଟର ପୂର୍ବ, ନେଲୋରର ୨୨୦ କିଲୋମିଟର ଦକ୍ଷିଣ-ପୂର୍ବ, ବାପାଟଲାର ୩୩୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବ ଏବଂ ମଛଲିପଟନମ୍ ଠାରୁ ୩୫୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବରେ କେନ୍ଦ୍ରୀଭୂତ ରହିଛି । ଏହା ପରବର୍ତ୍ତୀ ସମୟରେ ନିଜ ଗତିର ଦିଗ ଉତ୍ତର ପଶ୍ଚିମ ଦିଗରେ ବଜାୟ ରଖିବା ସହ ଆଜି ପୂର୍ବାହ୍ନ ବେଳକୁ ଆହୁରି ଘନୀଭୂତ ହୋଇ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରର ସମୁଦ୍ର ମଧ୍ୟରେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ନିକଟସ୍ଥ ହେବା ସମ୍ଭାବନା ରହିଛି ।
ଏହା ପରେ ଉତ୍ତର ଦିଗରେ ଗତିକରିବା ସହ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳକୁ ପ୍ରାୟ ସମାନ୍ତରାଳ ଭାବେ ଗତିକରିବ । ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳର ନେଲୋର ଏବଂ ମଛଲିପଟନମ ମଧ୍ୟରେ ୫ ଡିସେମ୍ବର ପୂର୍ବାହ୍ନରେ ସ୍ଥଳଭାଗ ଛୁଇଁବ ବାତ୍ୟା ମିଗଜୋମ୍ । ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ୯୦ ରୁ ୧୦୦ କିମି ପର୍ଯ୍ୟନ୍ତ ରହିବ । କିଛି ସ୍ଥାନରେ ପବନର ବେଗ ୧୨୦କିମି ମଧ୍ୟ ଛୁଇଁବାର ସମ୍ଭାବନା ରହିଛି ।
ବାତ୍ୟାର ପ୍ରଭାବ ଓଡ଼ିଶାର କିଛି ସ୍ଥାନରେ ଦେଖିବାକୁ ମିଳିପାରେ । ବାତ୍ୟା ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଆଜିଠୁ ପାଗରେ ହେବ ପରିବର୍ତ୍ତନ। ଆଜି ସନ୍ଧ୍ୟାରେ ବର୍ଷା ସହିତ ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁରରେ ପବନର ବେଗ ଘଣ୍ଟା ପ୍ରତି ୩୫ରୁ ୪୫ କିମି ରହିବ ଓ ଝଟ୍କା ପବନ ୫୫ କିମି ଛୁଇଁବ। ୫ ତାରିଖ ସନ୍ଧ୍ୟାରେ ପବନର ବେଗ ବଢ଼ି ଘଣ୍ଟା ପ୍ରତି ସର୍ବାଧିକ ୬୦ କିମି ରହିବ। ତେବେ ଓଡ଼ିଶା ପାଖାପାଖି ପହଞ୍ଚିଲା ବେଳକୁ ଦୁର୍ବଳ ହୋଇଯିବ ବାତ୍ୟା । ସମ୍ଭାବ୍ୟ ବର୍ଷାକୁ ଦେଖି ୫ ଜିଲ୍ଲାରେ ଛୁଟି ବାତିଲ କରାଯାଇଛି । ମାଲକାନଗିରି, କୋରାପୁଟ, ରାୟଗଡ଼ା , ଗଜପତି ଓ ଗଞ୍ଜାମ ଜିଲ୍ଲାରେ ଫିଲ୍ଡ ଅଫିସର ମାନଙ୍କ ଛୁଟି ବାତିଲ କରିଛନ୍ତି ସରକାର । ଚାଷୀଙ୍କ ଫସଲ ସୁରକ୍ଷା ପାଇଁ ଜାରି ହୋଇଛି ସ୍ବତନ୍ତ୍ର ନିର୍ଦ୍ଦେଶନାମା। ଅମଳକ୍ଷମ ଧାନ କାଟି ସୁରକ୍ଷିତ ସ୍ଥାନକୁ ନେଇଯିବାକୁ ଦିଆଯାଇଛି ପରାମର୍ଶ। ଚାଷ ଜମିରେ ଜଳ ନିଷ୍କାସନର ବ୍ୟବସ୍ଥା କରିବା ପାଇଁ କୁହାଯାଇଛି।