କିଛି ଦିନ ତଳେ ODI କ୍ରିକେଟ୍ ବିଶ୍ୱକପ୍ 2023 ସରିଛି । କ୍ରମାଗତ 10 ଟି ମ୍ୟାଚ ଜିତି ଅଷ୍ଟ୍ରେଲିଆ ଠାରୁ ଭାରତର ପରାଜୟ ପରେ କ୍ରିକେଟ୍ ପ୍ରେମୀଙ୍କୁ ଏହା ବେଶ୍ ଦୁଃଖିତ କରିଛି । ଏହା ପରେ ବର୍ତ୍ତମାନ 2024 ଟି-20 ବିଶ୍ୱକପ୍ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି ।
ତେବେ ଟି-20 ବିଶ୍ୱକପ୍ ପାଇଁ ଭାରତୀୟ ଦଳ କିପରି ରହିବ, କାହା ଅଧିନାୟକତ୍ୱରେ ଦଳ ଖେଳିବ ତାହା ଉପରେ ରହିଛି ସମସ୍ତଙ୍କ ନଜର । ଏ ନେଇ ବିସିସିଆଇର ରଣନୀତି ଜାରି ରହିଛି । ଅଧିନାୟକ ରେସ୍ରେ ହାର୍ଦ୍ଦିକ ପାଣ୍ଡ୍ୟା, ସୂର୍ଯ୍ୟକୁମାର ଯାଦବ, କେଏଲ୍ ରାହୁଲ ଅଛନ୍ତି । କିନ୍ତୁ ଏସବୁ ଭିତରେ ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି ।
ସୌରଭ ଗାଙ୍ଗୁଲିଙ୍କ ବିବୃତି କ୍ରିକେଟ ପ୍ରେମୀ ଙ୍କୁ ଖୁସି କରିଛି :
ଗାଙ୍ଗୁଲି କହିଛନ୍ତି ଯେ, ଆଗାମୀ ଟି-20 ବିଶ୍ୱକପ୍ରେ ଅନ୍ୟ ଖେଳାଳିଙ୍କୁ ଅଧିନାୟକ କରିବା ନେଇ ଚର୍ଚ୍ଚା ହେଉଛି । କିନ୍ତୁ ଏହାକୁ ବାଦ୍ ଦେଇ କେବଳ ରୋହିତ ଶର୍ମାଙ୍କୁ ହିଁ ଅଧିନାୟକ ଦାୟିତ୍ୱ ଦେବା ଉଚିତ୍ । ବର୍ତ୍ତମାନ ସମୟରେ ଅଧିନାୟକ ପଦ ପାଇଁ ରୋହିତଙ୍କ ଭଳି ଅଭିଜ୍ଞ ଖେଳାଳି ଦଳରେ ନାହାଁନ୍ତି । କାରଣ ନିକଟରେ ରୋହିତଙ୍କ ଅଧିନାୟକରେ ଦିନିକିଆ ବିଶ୍ୱକପ୍ର ଲଗାତର 10ଟି ମ୍ୟାଚ୍ ଭାରତୀୟ ଟିମ୍ ଜିତିଥିଲା ।
ତାହା ପୁଣି ସମସ୍ତ ବିରୋଧୀ ଦଳଙ୍କ ଉପରେ ପ୍ରଭାବ ବିସ୍ତାର କରି ବିଜୟୀ ହୋଇଥିଲା । ଦଳ ଫାଇନାଲ ହାରିଛି ସତ, କିନ୍ତୁ ଦଳ ଖରାପ ଖେଳିନାହିଁ । ହୁଏତ ସେଦିନ ଭାରତୀୟ ଦଳ ପାଇଁ ଭଲ ସମୟ ନଥିଲା । ଆଉ ଟସ୍ ବି ଦଳ ସପକ୍ଷରେ ଯାଇନଥିଲା । ଯାହାଫଳରେ ଦଳ ଫାଇନାଲରେ ପରାଜିତ ହୋଇଥିଲା ।
ସେ ଆଗକୁ କହିଲେ “ଟି-20 ବିଶ୍ୱକପ୍ରେ ରୋହିତ ଅଧିନାୟକ କରିବା ଉଚିତ୍ । ତେବେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ଟି-20ରୁ ବିଶ୍ରାମ ଦେବା କଥା ମୁଁ ଶୁଣିଛି । କିନ୍ତୁ ଏହା ଉଚିତ୍ ନୁହେଁ । ଉଭୟ ଏବେ ଜବରଦସ୍ତ ଫର୍ମରେ ଅଛନ୍ତି । ରୋହିତ-ବିରାଟଙ୍କ ପରି ମ୍ୟାଚ୍ ଓ୍ୱିନର ଆମକୁ ଆଜିକା ଦିନରେ ମିଳିବନାହିଁ ।