ମନ୍ତ୍ରୀର ପୁଅ ବୋଲି କ’ଣ ଛାଡ଼ିଦେବି, କହି ଆକ୍ସନ୍ ନେଲେ ଲେଡ଼ି ଦବଙ୍ଗ୍, ମାତ୍ର ସାଥି ପୋଲିସ କଲେନାହିଁ ସାହାଯ୍ୟ …

ଲକଡାଉନ କଟକଣାକୁ ଭାଙ୍ଗି ମନଇଚ୍ଛା ରାସ୍ତାରେ ଘୁରିବୁଲିବା ନଜିର ବାରମ୍ବାର ସାମ୍ନାକୁ ଆସିଛି । ଏଥର କିନ୍ତୁ ଗୁଜୁରାଟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପୁଅ ଓ ତାଙ୍କର ଦୁଇ ସାଙ୍ଗ ଲକଡାଉନ ଏବଂ ନାଇଟ୍ କର୍ଫ୍ୟୁ ନିର୍ଦ୍ଦେଶ ଉଲ୍ଲଂଘନ କରିଛନ୍ତି ଏବଂ ଡିୟୁଟିରେ ଥିବା ମହିଳା କନଷ୍ଟେବଳ ସୁନୀତା ଯାଦବ ସେମାନଙ୍କୁ ଆକଟ କରି କଡ଼ା ପରାମର୍ଶ ଦେଉଛନ୍ତି ଯାହାର ଭିଡ଼ିଓ ଏବେ ଭାଇରାଲ ।  

ସୂଚନା ଅନୁଯାୟୀ ବୁଧବାର ରାତି ପ୍ରାୟ ସାଢେ ୧୦ଟା ସମୟରେ ଏ ଘଟଣାଟି ଘଟିଥିଲା । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପୁଅ ପ୍ରକାଶ କାନାନୀଙ୍କ ବନ୍ଧୁମାନେ ନିୟମ ଭାଙ୍ଗିଲେ ଓ ମହିଳା କନଷ୍ଟେବଳ ସୁନୀତା ସେମାନଙ୍କୁ ଅଟକାଇବାରୁ ସେମାନେ ପ୍ରକାଶ କାନାନୀଙ୍କୁ ଫୋନ କରି ଡକାଇଲେ । ପ୍ରକାଶ ମଧ୍ୟ ପିତାଙ୍କ କାରରେ ପହଞ୍ଚି ଶ୍ରୀମତୀ ଯାଦବଙ୍କ ସହ ଯୁକ୍ତିତର୍କ କରିଥିଲେ, ଯାହାର ଅଡ଼ିଓ କ୍ଲିପ୍ସ ଶନିବାର ଦିନ ଭାଇରାଲ ହୋଇଥିଲା ।

ଅଡ଼ିଓ କ୍ଲିପରେ ଶୁଣିବାକୁ ମିଳିବ ଅପରାଧ କରିଥିବା ପୁରୁଷମାନେ ମହିଳା କନଷ୍ଟେବଳଙ୍କୁ କହୁଛନ୍ତି, “ତୁମକୁ ୩୬୫ ଦିନ ଏଇଠି ଠିଆ କରାଇବାର ଶକ୍ତି ଅଛି ସେମାନଙ୍କର । କିନ୍ତୁ କନଷ୍ଟେବଳ ପାଟି କରି ଉତ୍ତର ଦେଉଛନ୍ତି ଯେ ସେ ସେମାନଙ୍କର ଚାକର କିମ୍ବା ତାଙ୍କ ପିତାଙ୍କ ସେବକ ନୁହେଁ ଯେ ସେମାନେ ତାଙ୍କୁ ୩୬୫ ଦିନ ସେଇଠି ଠିଆ କରାଇପାରିବେ । କ୍ଲିପଟି ଭାଇରାଲ ହେଲା ପରେ ଶନିବାର ଦିନ ସୁରଟ କମିଶନର ଆର.ବି. ବ୍ରହ୍ମବତ ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ସ୍ୱାସ୍ଥ୍ୟମନ୍ତ୍ରୀ କୁମାର କାନାନୀଙ୍କ ପୁଅ ପ୍ରକାଶ କାନାନି ଏବଂ ତାଙ୍କ ବନ୍ଧୁଙ୍କୁ ଆଇପିସି ଧାରା ୧୮୮ (ସରକାରୀ କର୍ମଚାରୀଙ୍କ ଦ୍ୱାରା ପ୍ରକାଶିତ ଆଦେଶକୁ ଅବମାନନା), ୨୬୯, ୨୭୦ (ଜୀବନ ପ୍ରତି ବିପଦଜନକ ରୋଗର ସଂକ୍ରମଣ ବିସ୍ତାର କରିବା ଅବହେଳା ଏବଂ କୁତ୍ସିତ କାର୍ଯ୍ୟ) ଅନୁଯାୟୀ ରବିବାର ଦିନ ଗିରଫ କରାଯାଇଥିଲା । ପରେ କିନ୍ତୁ ସେମାନଙ୍କୁ ଜାମିନରେ ଛାଡ଼ି ଦିଆଗଲା ବୋଲି ସହକାରୀ ପୋଲିସ କମିଶନର, ଏ-ଡିଭିଜନ, ସି.କେ. ପଟେଲ ସୂଚନା ଦେଇଛନ୍ତି ।

ଶ୍ରୀ ପଟେଲ ଆହୁରି ବି କହିଛନ୍ତି ଯେ ଶ୍ରୀମତୀ ଯାଦବ ଅସୁସ୍ଥ ଥିବାରୁ ଛୁଟିରେ ଯାଇଛନ୍ତି ଏବଂ ଘଟଣାର ତଦନ୍ତ ଚାଲିଛି ଏବଂ ଘଟଣା ଘଟିଥିବା ସମୟରେ ୧୪୪ ଜଣ  ପୋଲିସ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *