ରାଜ୍ୟରେ କରୋନା ମାମଲା ନିୟନ୍ତ୍ରଣ ହେଇପାରୁନି ବୋଲି ଗତକାଲି ନବୀନ ସରକାର ରାତି ୯ଟାରୁ ପୁଣିଥରେ ୧୪ ଦିନିଆ ଲକଡାଉନ କଟକଣା ଆରମ୍ଭ କରିଦେଇଛନ୍ତି । ଏହି କଟକଣା ଓ ନୂଆ ନିୟମ ୩୧ ଜୁଲାଇ ଯାଏଁ ବଳବତ୍ତର ରହିବ । କେବଳ ଗଞ୍ଜାମ, କଟକ, ଖୋର୍ଦ୍ଧା ଓ ରାଉଲକେଲା ମହାନଗର ନିଗମ ଏହି ୪ ଟି ଜିଲ୍ଲା ପାଇଁ ଏହି ନୂଆ ଗାଇଡଲାଇନ ଓ କଟକଣା ଜାରି କରାଯାଇଛି । କଟକଣା ସହିତ ଏହି ୧୪ ଦିନ ସ୍ୱାସ୍ଥ୍ୟ ବିଭାଗ ବ୍ୟତୀତ ସମସ୍ତ ବିଭାଗର କର୍ମଚାରୀଙ୍କ ପାଇଁ “ୱାର୍କ ଫ୍ରମ୍ ହୋମ୍” ସୁବିଧା ରହିଛି ।
ସୂଚନା ଅନୁଯାୟୀ କେବଳ ସ୍ୱାସ୍ଥ୍ୟକର୍ମୀଙ୍କୁ ଛାଡ଼ିଦେଲେ ରାଜ୍ୟ ସରକାରଙ୍କ ଅନ୍ୟ ସବୁ ବିଭାଗର କର୍ମକର୍ତ୍ତା ଘରୁ ଥାଇ କାମ କରିବେ । ୱସାସରେ ଅଫିସ କାର୍ଯ୍ୟ କରିବା ପାଇଁ ସେମାନଙ୍କୁ ଭିପିଏନ ସୁବିଧା ପ୍ରଦାନ କରାଯିବ । ପ୍ରତ୍ୟେକ ବିଭାଗ ନିଜର ଇସ୍ୟୁ ସେକ୍ସନରେ କର୍ମଚାରୀଙ୍କ ରୋଷ୍ଟର ଡ୍ୟୁଟିକୁ ସୁନିଶ୍ଚିନ୍ତ କରାଇବେ । ୱସାସ ଓ ଅନ୍ୟ ଆଇଟି ସେବା ପ୍ରଦାନ ପାଇଁ ରାଜ୍ୟ ଆଇଟି ସେଣ୍ଟର ୨୪ ଘଣ୍ଟିଆ ସେବା ଯୋଗାଇବ ।
ଏହି ୧୪ ଦିନିଆ ସ୍ଵତନ୍ତ୍ର ଲକଡାଉନରେ ସମସ୍ତ କର୍ମଚାରୀମାନେ ହେଡ଼କ୍ଵାଟରରେ ରହିବେ ଓ ଦରକାର ପଡିଲେ ଅଫିସରେ ଯୋଗ ଦେବେ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଚାହିଁଲେ ନିଜର କର୍ମଚାରୀମାନଙ୍କ ପୂର୍ଣ୍ଣ କ୍ଷମତା ସହିତ କାର୍ଯ୍ୟ କରିପାରିବେ । କେବଳ ଭର୍ଚୁଆଲ ବୈଠକ ପାଇଁ ଅନୁମତି ମିଳିବ । କଡ଼ାକଡ଼ି ଭାବେ ସମସ୍ତ ନିୟମ ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି ଓ ଉଲଂଘନ କଲେ ତା ପାଇଁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ।