ରାଜ୍ୟରେ ଦିନକୁ ଦିନ କରୋନା ମାମଲା ବଢି ଚାଲିଥିବାରୁ ଗତକାଲି ରାତି ୯ ଟାରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଏହି ଲକଡାଉନ କଡ଼ାକଡ଼ି ଭାବରେ ପାଳନ କରାଯିବା ପାଇଁ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ପ୍ରେସମିଟ୍ କରି କହିଛନ୍ତି । ଲକଡାଉନ କଟକଣା ଭିତରେ କିନ୍ତୁ ସକାଳ ୬ ଟାରୁ ଅପରାହ୍ନ ୧ଟା ଯାଏଁ ଅତ୍ୟାବଶ୍ୟକ ଦୋକାନଗୁଡ଼ିକ ଖୋଲା ରହିବ ଏହି ୧୪ ଦିନ । ଏହାବ୍ୟତୀତ ସମସ୍ତ ଦୋକାନ, ବ୍ୟବସାୟିକ ପ୍ରତିଷ୍ଠାନ, ଅଫିସ ଓ ଅନୁଷ୍ଠାନ ସମେତ ଲୋକମାନଙ୍କ ଯାତାୟତ ମଧ୍ୟ ବନ୍ଦ ରହିବ ।
ପୋଲିସ କମିଶନର ସୁଧାଂଶୁଙ୍କ କହିବାନୁଯାୟୀ ଅତ୍ୟାବଶ୍ୟକ ଜିନିଷପତ୍ର କିଣିବା ପାଇଁ ଘରପାଖ ଦୋକାନକୁ ଚାଲିଚାଲି ଯିବେ ଏବଂ ଯଦି ଗାଡ଼ି ବ୍ୟବହାର କରିବେ ତେବେ ଜରିମାନା ଆଦାୟ କରାଯିବ । ଭୁବନେଶ୍ୱର ଓ କଟକ ସହରକୁ ଯିବାଆସିବା ଉପରେ କଟକଣା ଲାଗିବ । ହାଇଓ୍ଵେ କଡ଼ ଢାବାଗୁଡ଼ିକ ପାର୍ସଲ ପାଇଁ ଖୋଲା କେବଳ କିନ୍ତୁ ସେଠାରେ କେହି ବସି ଖାଇପାରିବେ ନାହିଁ ।
ଏହାଛଡ଼ା ବାହାଘର ଓ ଅନ୍ତିମସଂସ୍କାର ବ୍ୟତୀତ ଅନ୍ୟ କୌଣସି କାମ ପାଇଁ ଅନୁମତି ମିଳିବ ନାହିଁ । ଅତ୍ୟାବଶ୍ୟକ ସାମଗ୍ରୀର ଅନଲାଇନ୍ ଡେଲିଭରିକୁ ଅନୁମତି ମିଳିବ ଏବଂ ଅତି ଜରୁରୀ କାମ ଥିଲେ ୧୦୦ କୁ ଡାଏଲ୍ କରି ପାସ୍ ନେଇପାରିବେ । ଗଣମାଧ୍ୟମ କର୍ମଚାରୀଙ୍କ ପାଇଁ କୌଣସି ପାସର ବ୍ୟବସ୍ଥା ନାହିଁ । ସେମାନେ ଅଫିସ ପରିଚୟ ପତ୍ର ଦେଖାଇ ଯାତାୟତ କରିପାରିବେ । ମିଛ ପ୍ରେସ୍ କାର୍ଡ଼ ଧରି ଆସିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ ।
ଆଇଟି ସେକ୍ଟରରେ ୧୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଅଫିସ ଚାଲିପାରିବ । ୨୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିପାରିବ ବ୍ୟାଙ୍କ କାର୍ଯ୍ୟ । ଅଫିସ ଆସୁଥିବା କର୍ମଚାରୀଙ୍କୁ ଦୋକାନ, ବଜାର ମନା । ରହଣି ହୋଟେଲ ଖୋଲା ରହିବ । ରେଲଷ୍ଟେସନ, ଏୟାରପୋର୍ଟ ବି ଖୋଲା ରହିବ । ଯଦିକେହି ଏ ନିୟମ ସବୁ ଉଲଂଘନ କରେ ଅବା ଅମାନିଆ ହୁଏ ତେବେ ତା’ ବିରୋଧରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ ।