ଏଇ କିଛି ଦିନ ତଳେ ଭୁବନେଶ୍ୱରରେ ରହୁଥିବା ଜଣେ ଆତ୍ମଘୋଷିତ ବାବା କରୋନା ଭଲ କରିଦେବି ନେଇ ଦାବି କରି ଆସୁଥିଲେ । ସରକାର ଥରେ ସୁଯୋଗ ଦେଲେ କରୋନା ଆକ୍ରାନ୍ତଙ୍କୁ ପୁରା ସୁସ୍ଥ କରିଦେବି ବୋଲି ବାରମ୍ବାର ସୋସିଆଲ ମିଡ଼ିଆରେ ଭିଡ଼ିଓ କରି ଲୋକଙ୍କୁ ଭୁଆଁ ବୁଲାଉଥିଲେ । ବିଶିଷ୍ଟ ଓ ବରିଷ୍ଠ ସାହିତ୍ୟିକା ପ୍ରତିଭା ରାୟ ମଧ୍ୟ ତାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ଓ କାହିଁକି ତାଙ୍କ ଆଶ୍ରମ ବନ୍ଦ ହେଇନି ବୋଲି ପ୍ରଶ୍ନ କରିଥିଲେ । ଏବେ ସେ ବାବା ଫେରାର ।
କରୋନାକୁ ଡରୁଛନ୍ତି କି ? ମୋ ପାଖକୁ ଆସନ୍ତୁ । କୋଉ ଭ୍ୟାକ୍ସିନ କି ଔଷଧ ଖାଇବା ଦରକାର ନାହିଁ । ମାସ୍କ ନପିନ୍ଧିଲେ ବି ଚଳିବ । ମୁଁ ଥରେ କାନରେ ମନ୍ତ୍ର ଫୁଙ୍କିଦେଲେ କରୋନା ଛାଡ଼ି ପଳେଇ ଯିବ । ନଆସି ପାରିଲେ ଫୋନ କର, ଫୋନରେ ଭଲ କରିଦେବି ମୁଁ । ଦୈବୀ ଶକ୍ତି ଉପରେ ଭରସା କର । ଏମିତି କହି ଚର୍ଚ୍ଚାକୁ ଆସିଥିବା ଆର୍ତ୍ତତ୍ରାଣ ବାବା ଏବେ ଚମ୍ପଟ । ତାଙ୍କ ନାଁରେ ଚନ୍ଦ୍ରଶେଖରପୁର ଥାନାରେ ଆଇନଜୀବୀ ତପନ ହରିଚନ୍ଦନ ଏତଲା ଦେଲା ପରେ ସେ ଫେରାର ହେଇଯାଇଛନ୍ତି ବୋଲି ଖବର ମିଳିଛି ।
ସାରା ବିଶ୍ଵର ସ୍ୱାସ୍ଥ୍ୟ ସମସ୍ୟା ହେଇ ମୁଣ୍ଡ ଟେକିଥିବା କରୋନା ମହାମାରୀକୁ ନେଇ ବିଶେଷଜ୍ଞମାନେ ବି ଚିନ୍ତିତ । ଏ ସମୟରେ ଭୁବନେଶ୍ୱରର ଲୁମ୍ବିନୀ ବିହାରରେ ରହି ଆସୁଥିବା ଆତ୍ମଘୋଷିତ ବାବା ଆର୍ତ୍ତତ୍ରାଣ କିଛି ଦିନ ତଳେ ଖୋଲାଖୋଲି ବୈଦ୍ୟୁତିକ ଗଣମାଧ୍ୟମଗୁଡ଼ିକରେ ଚ୍ୟାଲେଞ୍ଜ ଦେଇଥିଲେ ଓ କହିଥିଲେ, ଥରେ ଖାଲି ସରକାର ମୋତେ ସୁଯୋଗ ଦିଅନ୍ତୁ, ମୁଁ କରୋନକୁ ସଂପୂର୍ଣ୍ଣ ଭଲ କରିଦେବି । ମୋତେ ବି ହଜାର ହଜାର କରୋନା ରୋଗୀଙ୍କ ମଧ୍ୟରେ ଛାଡ଼ି ଦିଆଯାଉ, ମୁଁ ସମସ୍ତଙ୍କୁ ଭଲ କରିଦେବି । ଏମିତିକି ସେ ଦାବି କରିଥିଲେ ଯେ ସେ ଏଯାଏଁ ୩୦୦ କରୋନା ରୋଗୀଙ୍କୁ ଭଲ କରିସାରିଲିଣି । ବାବାଙ୍କ ଏଭଳି ମନ୍ତବ୍ୟ ଉପରେ ସାହିତ୍ୟିକା ପ୍ରତିଭା ରାୟ ବାବାଙ୍କୁ ଗିରଫ କରାଯାଉ ବୋଲି ଦାବି ମଧ୍ୟ କରିଥିଲେ ।
ଯେଉଁଠି ବଡ଼ ବଡ଼ ବୈଜ୍ଞାନିକ ତଥା ପ୍ରଗତିଶୀଳ ଦେଶର ବିଶେଷଜ୍ଞମାନେ ଫେଲ୍ ମାରୁଛନ୍ତି ବାବା ଅନ୍ଧବିଶ୍ୱାସ ଜନ୍ମାଇ ଲୋକଙ୍କ ମନରେ ଆଶା ସଞ୍ଚାର କରୁଛନ୍ତି ଯାହା ଅପରାଧ । ଏନେଇ ଏବେ ଆଇନଜୀବୀ ଶ୍ରୀ ହରିଚନ୍ଦନ ଥାନାରେ ଏତଲା ଦେଇଛନ୍ତି ଓ ଏତଲାରେ ଲେଖିଛନ୍ତି ଯେ କରୋନା ମହାମାରୀ ସମୟରେ ସମସ୍ତେ ଆତଙ୍କିତ ଥିବାବେଳେ ବାବାଙ୍କ ବାହାସ୍ଫୋଟ ଲୋକଙ୍କ ଉପରେ କୁପ୍ରଭାବ ପକାଉଛି । ବାବାଙ୍କୁ ତୁରନ୍ତ ଗିରଫ କରାଯାଉ । ହେଲେ ଏ ବିଷୟରେ ଜାଣିବା କ୍ଷଣି ବାବା ଫେରାର । ଘଟଣାର ତଦନ୍ତକୁ ନେଇ ପୋଲିସ ଏବେ ତନାଘନାରେ ।