ସରକାରୀ କରୋନା ରିପୋର୍ଟ ପଜିଟିଭ୍ ଆସୁଥିବାବେଳେ ପ୍ରାଇଭେଟ ରିପୋର୍ଟ ଆସୁଛି ନେଗେଟିଭ୍ : କଉଟା ଠିକ୍ ? ସରକାରୀ ରିପୋର୍ଟ ନା ବେସରକାରୀ ରିପୋର୍ଟ !

କରୋନାକୁ ନେଇ ଅନେକ ଲୋକ ଭୟରେ ଥିଲାବେଳେ କେତେକ ବେଫିକର ହେବା ଘଟଣା ମଧ୍ୟ ସାମ୍ନାକୁ ଆସୁଛି । ତେବେ ରାଜ୍ୟରେ କରୋନା ପରୀକ୍ଷା ସଂଖ୍ୟା ବଢିଯାଇଥିବାବେଳେ ପ୍ରତିଦିନ କରୋନା ମାମଲା ବଢିବା ଥମିବାର ନାଁ ନେଉନି । ଏ ସମୟରେ କରୋନା ଟେଷ୍ଟ ରିପୋର୍ଟକୁ ନେଇ ପ୍ରଶ୍ନ ମୁଣ୍ଡ ଟେକିଛି ।

ଓଡ଼ିଶାରେ ହେଉଥିବା କରୋନା ଟେଷ୍ଟିଂରେ ତ୍ରୁଟି ରହିଛି କି ? କାରଣ ସରକାରୀ ରିପୋର୍ଟ ପଜିଟିଭ୍ ଆସିଥିବାବେଳେ ବେସରକାରୀ ହସ୍ପିଟାଲ୍‌ରେ କରୋନା ରିପୋର୍ଟ ନେଗେଟିଭ୍ ଆସିବା ନେଇ ରାଜଧାନୀ ଭୁବନେଶ୍ୱରରେ ଅଭିଯୋଗ ହୋଇଥିବା ସୂଚନା ମିଳିଛି ।

ଘଟଣାଟି ଏହିପରି । ଜୁଲାଇ ୧୬ ତାରିଖରେ ଭୁବନେଶ୍ୱରର ଗଣପତି ବସ୍ତିର ଜଣେ ମହିଳା କରୋନା ପରୀକ୍ଷା କରାଇଥିଲେ । ଜୁଲାଇ ୨୨ ତାରିଖ ଦିନ ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିବା ନେଇ BMC ପକ୍ଷରୁ କୁହାଯାଇଥିଲା । କିନ୍ତୁ ଉକ୍ତ ମହିଳାଙ୍କ ପରିବାର ଲୋକେ ରିପୋର୍ଟକୁ ନେଇ ସନ୍ଦେହରେ ରହିଲେ ଓ ପୁଣିଥରେ ଏକ ଘରୋଇ ହସ୍ପିଟାଲ୍‌ରେ କରୋନା ଟେଷ୍ଟ କରାଇଲେ । ଆଶ୍ଚର୍ଯ୍ୟର କଥା ଯେ ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଲା ।

ସୂଚନା ଅନୁସାରେ ଏ ଘଟଣା ପୂର୍ବରୁ ମଧ୍ୟ ଏମିତି ମାମଲା ସାମ୍ନାକୁ ଆସି ସାରିଛି । ସରକାରୀ ରିପୋର୍ଟ ପଜିଟିଭ୍, ଘରୋଇ ହସ୍ପିଟାଲ୍‌ରେ କୋଭିଡ୍ ଟେଷ୍ଟ କଲେ ନେଗେଟିଭ୍ ଆସୁଛି ବୋଲି କିଛି ଲୋକ ଅଭିଯୋଗ କରି ସାରିଛନ୍ତି । ତେବେ ପ୍ରଶ୍ନ ଉଠୁଛି ଜଣେ କାହା ଉପରେ ବିଶ୍ଵାସ କରିବ ? ସରକାରୀ ରିପୋର୍ଟକୁ ନା ବେସରକାରୀ କୋଭିଡ଼ ଟେଷ୍ଟ ରିପୋର୍ଟକୁ ?

Leave a Reply

Your email address will not be published. Required fields are marked *