ସକାଳ ବି ମୃତ୍ୟୁ ନେଇ ଆସିପାରେ : ସବୁଦିନ ପରି ଫୁଲ ତୋଳି ଘରକୁ ଫେରୁଥିଲେ, ବାଟରେ ଏଇମିତି ଚାଲିଗଲା ଜୀବନ

ଆଠଗଡ଼ : ମୃତ୍ୟୁ କେତେବେଳେ କେମିତି କାହାକୁ ନିଜ ପଣତରେ ଘୋଡ଼େଇ ଦିଏ, ତାହା ସମସ୍ତଙ୍କ ପାଇଁ ଅଗଚୋର । ତେବେ କିଏ ଜାଣିଥିଲା ସକାଳ ଆଉ ଏକ ନୂତନ ଜୀବନ ଦେବନି ବରଂ ମୃତ୍ୟୁ ସାଜି ସବୁଦିନ ପାଇଁ ଶୁଆଇ ଦେବ ! ଫୁଲ ତୋଳି ଫେରୁଥିଲେ ମହିଳା ଜଣେ, ହେଲେ ବାଟରେ ତାଙ୍କୁ ମୃତ୍ୟୁ ସତେ ଯେମିତି ଛକି ବସିଥିଲା ।

ସୂଚନା ଅନୁଯାୟୀ ଆଠଗଡ ଥାନା ମୁଣ୍ଡଳି ରାସ୍ତାର ହାଉସିଂବୋର୍ଡ ନିକଟ ରାଧାଗୋବିନ୍ଦ ଛକରେ ସକାଳ ପ୍ରାୟ ୭ ଟାରେ ଘଟିଛି ଏମିତି ଏକ ଅଭାବନୀୟ ଦୁର୍ଘଟଣା ଯେଉଁଥିରେ ଆକସ୍ମିକ ଭାବେ ଲିଭି ଯାଇଛି ଜଣକ ଜୀବନ ଦୀପ । ସବୁଦିନ ପରି ସକାଳୁ ଉଠି ଘରପାଖରୁ ଫୁଲତୋଳି ଘରକୁ ଫେରୁଥିଲେ ସୁଷମା ସାହୁ ନାମକ ଜଣେ ମହିଳା କିନ୍ତୁ ଫେରିବା ରାସ୍ତାରେ ଏକ କ୍ରେନ ଟ୍ରକ ଭାରସାମ୍ୟ ହରାଇ ଉକ୍ତ ମହିଳାଙ୍କୁ ପିଟିଦେଲା ।

କେବଳ ସେତିକି ନୁହେଁ କ୍ରେନ ଟ୍ରକଟି ମହିଳାଙ୍କୁ ପିଟିବା ପରେ ଜଣକ ପାଚେରି କାନ୍ଥ ଭାଙ୍ଗି ଘର ଭିତରକୁ ବି ପଶିଯାଇଛି । ଘଟଣା ଘଟିବା ପରେ ଗାଡ଼ି ଡ୍ରାଇଭର ଫେରାର ହୋଇଯାଇ ଥିଲାବେଳେ ଅଗ୍ନିଶମ ବାହିନୀ ମହିଳାଙ୍କୁ ଆଠଗଡ ଡାକ୍ତରଖାନାକୁ ନେଇଥିଲେ । ମାତ୍ର ଡାକ୍ତର ଉକ୍ତ ମହିଳାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ୍ୟୁ ବେଳକୁ ସୁଷମାଙ୍କ ବୟସ ୪୦ ବର୍ଷ ହୋଇଥିଲା ।

ଅନ୍ୟପକ୍ଷରେ ମୃତ ମହିଳାଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର । ତେଣୁ ଗାଁ ଲୋକେ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି । ଏହାସହିତ ଘଟଣା ସ୍ଥଳରୁ ଗାଡ଼ିର ଜଣେ ଡ୍ରାଇଭର ଫେରାର ହୋଇଯାଇ ଥିଲାବେଳେ ଅନ୍ୟ ଜଣେ ଡ୍ରାଇଭରକୁ ଗାଁ ଲୋକ ଅଟକ ରଖିଛନ୍ତି ବୋଲି ସୂଚନା ମିଳିଛି । ପୋଲିସ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *