ପଟନା : ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର ପ୍ରାୟ ଦେଢ ମାସ ପରେ ତାଙ୍କ ପରିବାର ପକ୍ଷରୁ ପଟନାର ରାଜୀବ ନଗର ଥାନାରେ FIR ଦାଖଲ କରାଯାଇଛି । ସୁଶାନ୍ତଙ୍କ ବାପା କେ.କେ ସିଂ ଏକ FIR ଦାଖଲ କରି ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ତଥା ବଲିଉଡ଼ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଏବଂ ଅନ୍ୟ ପାଞ୍ଚଜଣଙ୍କ ନାମରେ ଅଭିଯୋଗ ଆଣିଛନ୍ତି । ସୁଶାନ୍ତ ସିଂଙ୍କୁ ବନ୍ଧକ ରଖି ଆତ୍ମହତ୍ୟା କରିବା ପାଇଁ ଉକସେଇବା ସହିତ ଠକେଇ ଏବଂ ଅସାଧୁତା ଅଭିଯୋଗ ମଧ୍ୟ ହୋଇଛି । ଏମିତିକି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାର ବିରୋଧରେ ସାତ ପଏଣ୍ଟ ଯାଞ୍ଚ ପାଇଁ ଦାବି କରାଯାଇଛି ।
FIR ରେ ଲେଖାଯାଇଛି ଯେ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାର ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ସହିତ ସୁଶାନ୍ତଙ୍କ ଜୀବନକୁ ଆସିଥିଲେ । ରିୟା ସୁଶାନ୍ତଙ୍କ ଭଲ ସମ୍ପର୍କର ଫାଇଦା ଉଠାଇ ଅଭିନୟ ଜଗତରେ ନିଜକୁ ପ୍ରତିଷ୍ଠିତ କରିବା ଓ ସୁଶାନ୍ତଙ୍କ କୋଟି କୋଟି ଟଙ୍କା ଉପରେ ହାତ ସଫେଇ କରିବାକୁ ଚାହୁଁଥିଲେ । ଏହି ଷଡ଼ଯନ୍ତ୍ରରେ ସମଗ୍ର ପରିବାର ସୁଶାନ୍ତଙ୍କ ନିକଟତର ହୋଇଥିଲେ ଏବଂ ସୁଶାନ୍ତଙ୍କ ପ୍ରତ୍ୟେକ ମାମଲାରେ ହସ୍ତକ୍ଷେପ ଆରମ୍ଭ କରିଦେଇଥିଲେ ।
ସୁଶାନ୍ତ ଯେଉଁ ଘରେ ରହୁଥିଲେ ସେଠି ଭୁତପ୍ରେତ ରହୁଛନ୍ତି କହି ତାଙ୍କୁ ଏକ ରିସୋର୍ଟରେ ନେଇ ରଖିଲେ । କେବଳ ସେତିକି ନୁହେଁ, ସୁଶାନ୍ତଙ୍କୁ କୁହାଗଲା ଯେ ସେ ଏଣୁତେଣୁ କଥା ହେଉଛନ୍ତି ତାଙ୍କୁ ଚିକିତ୍ସାର ଆବଶ୍ୟକତା ଅଛି । ଏହାପରେ ମୋ ଝିଅ ସୁଶାନ୍ତଙ୍କୁ ଭେଟିବାକୁ ଯାଇଥିଲା ଓ ତାକୁ ମୁମ୍ବାଇରୁ ଫେରାଇ ଆଣିବାକୁ ଚେଷ୍ଟା ବି କରିଥିଲା ହେଲେ ସୁଶାନ୍ତଙ୍କୁ ସେଠାରୁ ଛଡ଼ାଗଲା ନାହିଁ ବୋଲି ସୁଶାନ୍ତଙ୍କ ବାପା ଅଭିଯୋଗ କରିଛନ୍ତି ।
FIR ଅନୁଯାୟୀ ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କୁ ମୁମ୍ବାଇ ଆଣି ତାଙ୍କୁ ଚିକିତ୍ସା କରିବା ନେଇ ଓଭର ଡୋଜ ମେଡ଼ିସିନ ବି ଦେଉଥିଲେ । ସେତେବେଳେ ରିୟା ସମସ୍ତଙ୍କୁ କହିଥିଲେ ଯେ ସୁଶାନ୍ତଙ୍କୁ ଡେଙ୍ଗୁ ହେଇଛି ଯେତେବେଳେ କି ସୁଶାନ୍ତଙ୍କୁ କେବେ ବି ଡେଙ୍ଗୁ ହେଇ ନଥିଲା । ଏହି ସମୟ ମଧ୍ୟରେ ରିୟା ଏବଂ ତାଙ୍କ ପରିବାର ସୁଶାନ୍ତଙ୍କ ସବୁକିଛି ସମ୍ପତ୍ତି ଉପରେ କବଜା କରିନେଲେ । ପରିବାର ଲୋକଙ୍କ ସହିତ ସୁଶାନ୍ତଙ୍କ କଥାବାର୍ତ୍ତା ମଧ୍ୟ କମିବାରେ ଲାଗିଲା । ସୁଶାନ୍ତଙ୍କ ଫୋନ ବି ରିୟାଙ୍କ ପରିବାର ପାଖରେ ରହୁଥିଲା । ଯେଉଁ ଫିଲ୍ମରେ ସୁଶାନ୍ତ ଅଫର ପାଉଥିଲେ, ରିୟା ସର୍ତ୍ତ ରଖୁଥିଲେ ଯେ ଯଦି ସେ ଫିଲ୍ମରେ ରିୟାଙ୍କୁ ମୁଖ୍ୟ ଅଭିନେତ୍ରୀ ନିଆଯିବ ତେବେ ହିଁ ସୁଶାନ୍ତ ଫିଲ୍ମ କରିବେ ।
ସୁଶାନ୍ତଙ୍କ ବାପା ଅଭିଯୋଗ କରିଛନ୍ତି ଯେ ରିୟା ଏବଂ ତାଙ୍କ ପରିବାର ସୁଶାନ୍ତଙ୍କ ସମସ୍ତ ବିଶ୍ୱସ୍ତ କର୍ମଚାରୀଙ୍କୁ ବଦଳାଇ ତାଙ୍କ ଲୋକଙ୍କୁ ନିଯୁକ୍ତି ଦେଇଥିଲେ । ଏପରିକି ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟଋ ମଧ୍ୟ ନିଜ ସ୍ୱାର୍ଥ ପାଇଁ ଟଙ୍କା ବ୍ୟବହାର କରିବା ଆରମ୍ଭ କରିଦେଇଥିଲେ । FIR ରେ ଏହା ମଧ୍ୟ ଲେଖାଯାଇଛି ଯେ ସୁଶାନ୍ତ କୁର୍ଗରେ ଜୈବିକ ଚାଷ କରିବାକୁ ଚାହୁଁଥିଲେ । ସୁଶାନ୍ତଙ୍କ ବନ୍ଧୁ ମହେଶ ମଧ୍ୟ ଏଥିପାଇଁ ପ୍ରସ୍ତୁତ ଥିଲେ, କିନ୍ତୁ ରିୟା ଏହା ଜାଣିବା ପରେ ସୁଶାନ୍ତକୁ ଯିବାକୁ ମନା କରି ସହିତ ଗଣମାଧ୍ୟମରେ ତାଙ୍କ ଡାକ୍ତରୀ ରିପୋର୍ଟ ବିଷୟରେ ଜଣେଇବା ନେଇ ଧମକ ଦେଇଥିଲେ । ଏ ସମୟରେ ସୁଶାନ୍ତଙ୍କ ଫୋନ ନମ୍ବର ମଧ୍ୟ ବଦଳାଇ ଦିଆଗଲା ।
୮ ଜୁନରେ ରିୟା ଚକ୍ରବର୍ତ୍ତୀ ବହୁ ଲଗେଜ୍, ନଗଦ ଟଙ୍କା, ଅଳଙ୍କାର, ଲାପଟପ୍, କ୍ରେଡିଟ୍ କାର୍ଡ, ପିନ୍ ନମ୍ବର, ଡାକ୍ତରୀ କାଗଜପତ୍ର ନେଇ ଘରୁ ବାହାରି ଯାଇଥିଲେ । ଏହି ସମୟରେ ସୁଶାନ୍ତଙ୍କ ବ୍ୟାଙ୍କ ବାଲାନ୍ସ ମଧ୍ୟ ହ୍ରାସ ପାଇଥିଲା । ସୁଶାନ୍ତଙ୍କ ବାପା FIR ରେ ଏହା ମଧ୍ୟ ଲେଖିଛନ୍ତି ଯେ ସୁଶାନ୍ତ ତା ଭଉଣୀକୁ ଫୋନ କରି କହିଥିଲା ଯେ ରିୟା ତାକୁ କେଉଁଠି ଫସାଇ ଦେବ ଓ ଧମକ ଦେଇଛି ଯେ ଯଦି ତା କଥା ନମାନେ ତେବେ ସେ ସବୁ ଚିକିତ୍ସା ରିପୋର୍ଟ ଗଣମାଧ୍ୟମରେ ଲିକ୍ କରିଦେବ, ଫଳରେ ମୁଁ ଆଉ କାମ ପାଇବି ନାହିଁ ।
ଏହା ପରେ ସୁଶାନ୍ତଙ୍କ ଭଉଣୀ ତାଙ୍କୁ ଭେଟିଥିଲା ଓ ବୁଝାଇଥିଲା । ୩ ୪ ରହି ସେ ଫେରିଆସିଥିଲା ଓ ୧୪ ଜୁନରେ ସୁଶାନ୍ତ ଆତ୍ମହତ୍ୟା କଲା । ସୁଶାନ୍ତଙ୍କ ବାପାଙ୍କ କହିବାନୁଯାୟୀ ଗୋଟିଏ ବର୍ଷ ମଧ୍ୟରେ ସୁଶାନ୍ତଙ୍କ ଆକାଉଣ୍ଟରୁ ୧୫ କୋଟି ଟଙ୍କା ଟ୍ରାନ୍ସଫର କରାଯାଇଛି ଯେଉଁଠି ସୁଶାନ୍ତଙ୍କର କୌଣସି ଦେବାନେବାର ନାହିଁ ।