ଉତ୍ତରାଖଣ୍ଡ ପୋଲିସର କାରନାମା : ମଟରସାଇକେଲ ଚାଳକ କପାଳରେ ପୋତିଦେଲେ ଚାବି, ପଢନ୍ତୁ ପୁରା ରିପୋର୍ଟ

ରୁଦ୍ରପୁର : ଉତ୍ତରପ୍ରଦେଶର ଉଦାମସିଂହ ନଗରରେ ସୋମବାର ଦିନ ଗାଡ଼ି ଯାଞ୍ଚ ବେଳେ ପୋଲିସ ମୋଟରସାଇକେଲ ଆରୋହୀଙ୍କ କପାଳରେ ଚାବି ମାରିଥିଲା । ହେଲମେଟ ଲଗାଇବାକୁ କହି ପାଟିତୁଣ୍ଡ ହେଲାବେଳେ ଏପରି କରିଥିଲା ପୋଲିସ । ସୋମବାର ଦିନ ମୁହଁ ସଞ୍ଜବେଳେ ଉଦାମସିଂହ ନଗର ଜିଲ୍ଲାର ମୁଖ୍ୟାଳୟ ରୁଦ୍ରପୁରଠାରେ ଗାଡ଼ି ଯାଞ୍ଚ ଚାଲିଥିଲା । ଦୀପକ ଓ ପ୍ରେମ ପ୍ରକାଶ ନାମକ ମୋଟରସାଇକେଲରେ ଯାଉଥିବାବେଳେ ପୋଲିସ କର୍ମଚାରୀଙ୍କ ସହିତ ପାଟିତୁଣ୍ଡ ହେଲା । ଏଥିରେ ଜଣେ ପୋଲିସ କର୍ମଚାରୀ ଦୀପକଙ୍କ କପାଳରେ ଚାବି ମାରିଥିଲେ ଓ ଘଟଣା ପରେ ଜଣେ ଇନ୍ସପେକ୍ଟରଙ୍କ ସମେତ ତିନି ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି ।

ଉତ୍ତରାଖଣ୍ଡର ପୋଲିସ ମହାନିର୍ଦ୍ଦେଶକ ଅଶୋକ କୁମାର ଡେରାଡୁନରେ କହିଛନ୍ତି ଯେ ଅଭିଯୁକ୍ତ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇ ସେମାନଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି । ଦୋଷୀ ପୋଲିସ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

ପୋଲିସ କହିବାନୁଯାୟୀ ସୋମବାର ରାତି ପ୍ରାୟ ୮ ଟା ସମୟରେ ରାମପୁର ନିବାସୀ ଦୀପକ ତାଙ୍କ ପଡୋଶୀ ପ୍ରେମ ପ୍ରକାଶଙ୍କ ସହିତ ମୋଟରସାଇକେଲରେ ପେଟ୍ରୋଲ ପମ୍ପକୁ ତେଲ ପକେଇବାକୁ ଯାଉଥିଲେ । ଏହି ସମୟରେ ଇନ୍ଦିରା ଛକରେ ପୋଷ୍ଟ ହୋଇଥିବା ସିପିୟୁ ପୋଲିସ୍ ବାଇକ୍ ପଛପଟେ ବସିଥିବା ପ୍ରେମ ପ୍ରକାଶଙ୍କୁ ହେଲମେଟ ନରଖିବାରୁ ତାଙ୍କୁ ଅଟକାଇ ଥିଲେ ଯେଉଁଥିରେ ସେ ଉତକ୍ଷିପ୍ତ ହେଇଉଠିଲେ । ଏହାପରେ ପୋଲିସ କର୍ମଚାରୀ ଏବଂ ବାଇକ୍ ଆରୋହୀଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହେଲା ।

ପାଟିତୁଣ୍ଡ ଚାଲିଥିଲାବେଳେ ଜଣେ ପୋଲିସ କର୍ମଚାରୀ ଦୀପକ ବାଇକରୁ ଚାବି ବାହାର କରି ସିଧାସଳଖ ତାଙ୍କ କପାଳରେ ପୋତିଦେଲେ । ଦୀପକ ଗୁରୁତର ଆହତ ହୋଇପଡ଼ିଲେ । ଦୀପକଙ୍କ ଆତୁର ଶବ୍ଦରେ ଆଖପାଖର ଲୋକମାନେ ସେଠାରେ ପହଞ୍ଚି ହଙ୍ଗାମା ଆରମ୍ଭ କରିଦେଲେ । ସ୍ଥାନୀୟ ବିଧାୟକ ରାଜକୁମାର ଠୁକରାଲ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହି ଘଟଣାରେ ତୁରନ୍ତ ପ୍ରଭାବ ପକାଇ ଜଣେ ସବ୍-ଇନ୍ସପେକ୍ଟର ଏବଂ ଦୁଇ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିଲା । ଏହି ମାମଲାର ତଦନ୍ତ ବାଜପୁରର ପୋଲିସ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି ।

Leave a Reply

Your email address will not be published. Required fields are marked *