ଦିନକୁ ଦିନ ଆତ୍ମହତ୍ୟା ପ୍ରବଣତା ଯୁବପିଢି ଭିତରେ ବଢି ବଢି ଚାଲିଛି । ନିକଟରେ ଅନେକ ସେଲିବ୍ରିଟି ବି ଏଥିରୁ ବାଦ ପାଇନାହାନ୍ତି । ସେହିପରି ଏକ ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲାର ଚାଉଳିଆଗଞ୍ଜ ମଠ ସାହିରେ । ସୂଚନା ଅନୁଯାୟୀ ମଠସାହିରେ ଭଡ଼ାରେ ରହୁଥିବା ତାପସ ମହାନ୍ତି ଦିନ ପ୍ରାୟ ୧୧ଟା ବେଳେ ତାଙ୍କ ବାନ୍ଧବୀଙ୍କ ସହିତ ଫୋନରେ କଥା ହେଉଥିଲେ । ହଠାତ ସେମାନଙ୍କ ମଧ୍ୟରେ କଥା କଟାକଟି ଆରମ୍ଭ ହେଇଗଲା । ଏଥିରେ ଉତ୍ତ୍ୟକ୍ତ ହୋଇ ଯୁବକ ଜଣକ ଆତ୍ମହତ୍ୟା କରିଦେବେ ବୋଲି ଖାଲି କହିଲେନି ବରଂ ପ୍ରେମିକାକୁ ଭିଡ଼ିଓ କଲ କରି ଝୁଲି ପଡ଼ିଲେ ପଙ୍ଖାରେ ।
ତେବେ ଘଟଣାଟି ଏହିପରି । ତାପସ ମହାନ୍ତି ନାମକ ଯୁବକ ଜଣକ କଟକ ଜିଲ୍ଲାର ଚାଉଳିଆଗଞ୍ଜ ମଠ ସାହିରେ ଭଡ଼ା ନେଇ ରହୁଥିଲେ । ତାଙ୍କ ସହିତ ତାଙ୍କ ବାପାମା’ ଓ ଭଉଣୀ ମଧ୍ୟ ରୁହନ୍ତି । ଘଟଣା ଘଟିବା ଦିନ କିନ୍ତୁ ବାପା କୌଣସି କାମରେ ବାହାରକୁ ଯାଇଥିବାବେଳେ ଦୁର୍ଭାଗ୍ୟବଶତଃ ମା’-ଭଉଣୀ ବି ଘରେ ନଥିଲେ । ତାପସ ଘର ଭିତରୁ ବନ୍ଦ କରି ଏଭଳି କାଣ୍ଡ ଭିଆଇଥିବା ସୂଚନା ମିଳିଛି । ମା’ ଓ ଭଉଣୀ ଘରକୁ ଫେରି କବାଟ ବନ୍ଦ ଥିବାରୁ ତାପସକୁ ଡାକିଥିଲେ ହେଲେ ଉତ୍ତର କିଛି ନମିଳିବାରୁ ଝରକା ବାଟେ ଦେଖନ୍ତେ ତ ପଙ୍ଖାରେ ଝୁଲୁଛି ପୁଅର ଶବ ।
ଘଟଣାଟି ସାମ୍ନାକୁ ଆସିଲା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସିଜ୍ କରିଛି ତାପସଙ୍କ ମୋବାଇଲ ଫୋନ । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ମୃତ ତାପସ ଜଗତସିଂହପୁରର ଏକ କଲେଜରେ ଯୁକ୍ତ ୩ ରେ ପାଠ ପଢୁଥିବା । ମୃତ୍ୟୁ ପୂର୍ବରୁ ଫୋନ କରିଥିବା ତାଙ୍କ ବାନ୍ଧବୀ ମଧ୍ୟ ସେ ପଢୁଥିବା ଏକା କଲେଜରେ ପଢୁଥିଲେ । ବାନ୍ଧବୀଙ୍କ ସହିତ କଥା କଟାକଟି ପରେ ପ୍ରେମିକାକୁ ଭିଡ଼ିଓ କଲ କରି ଆତ୍ମହତ୍ୟା କରିଥିଲେ । ଲୁଗାକୁ ବେକରେ ଗୁଡ଼ାଇବା ଠାରୁ ଆରମ୍ଭ କରି ସିଲିଂ ଫ୍ୟାନରୁ ଝୁଲି ଶେଷ ନିଶ୍ଵାସ ଛାଡ଼ିବା ଯାଏଁ ସବୁ ରେକର୍ଡ଼ କରିଥିଲେ ବୋଲି ପୋଲିସ ସୂତ୍ରରୁ ପ୍ରକାଶ ।