ପଞ୍ଜାବର ତରନତାରନରେ ବିଷାକ୍ତ ମଦ ପିଇ ୧୦୦ ରୁ ଅଧିକ ଲୋକ ମୃତ୍ୟୁବରଣ କରିସାରିଲେଣି । କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ ଯେଉଁ ପୋଲିସ କର୍ମଚାରୀମାନଙ୍କ ଉପରେ ନିଶା ରୋକିବା ନେଇ ଦାୟିତ୍ୱ ରହିଛି ସେମାନେ ହିଁ ଏଭଳି ଅପରାଧରେ ସମ୍ପୃକ୍ତ ଥିବା ଜଣାପଡ଼ିଛି । ମଦ ମାଫିଆକୁ ତେବେ କିଏ ଧରିବ ? ତରନତାରନରେ ଜଣେ ASI ଅଫିସର ହେରୋଇନ ନେବାର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।
ସେହି ଭିଡ଼ିଓରେ ତରନତାରନ ଜିଲ୍ଲା ଥାନା ସରାୟ ଅମାନତ ଖାଁରେ ପୋଷ୍ଟିଂ ଏକ ASI ଅଫିସର ହେରୋଇନ ନେଉଥିବାର ନଜର ଆସିଛନ୍ତି । ତେବେ ଏହି ASI ର କାନ୍ଧରେ ନିଶା ରୋକିବା ଦାୟିତ୍ଵ ଦିଆଯାଇଥିଲା । ଚାକିରିରେ ଯୋଗ ଦେବାବେଳେ ଏହି ଅଧିକାରୀ ନିଶ୍ଚିତ ଭାବରେ ଅନ୍ୟ ପୋଲିସ ଅଧିକାରୀଙ୍କ ପରି ଶପଥ କରିଥିବେ ଯେ ସେ ନିଜ କର୍ତ୍ତବ୍ୟକୁ ସଚ୍ଚୋଟ ଭାବରେ ତୁଳାଇବେ ବୋଲି । କିନ୍ତୁ ଭାଇରାଲ ହେଉଥିବା ଭିଡ଼ିଓରେ ସ୍ପଷ୍ଟ ଦିଶୁଚି ଏହି ASI କିପରି ପୋଲିସ ୟୁନିଫର୍ମ ପିନ୍ଧି ନିଶା ଖାଉଛନ୍ତି ।
ତେବେ ସୂଚନା ଅନୁଯାୟୀ ଭାଇରାଲ ଭିଡ଼ିଓଟି ତରନତାରନ ଜିଲ୍ଲାର SP ଗୁରୁନମ ସିଂଙ୍କ ନଜରକୁ ଆସିଛି । ତଦନ୍ତ ପରେ ସେ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି । ଏହାସହିତ ଆମ୍ ଆଦମୀ ପାର୍ଟି ନେତା ମନଜିନ୍ଦର ସିଂ ସିଦ୍ଧୁ ଭିଡ଼ିଓ ସମ୍ପର୍କରେ କହିଛନ୍ତି ଯେ ନିଶା ନିବାରଣ ପାଇଁ ପଞ୍ଜାବ ସରକାରଙ୍କ ଦ୍ଵାରା ଦାୟିତ୍ଵ ଗ୍ରହଣ କରିଥିବା ପୋଲିସ କର୍ମଚାରୀ ନିଶା ସେବନ କରୁଛନ୍ତି । ତେଣୁ ତରନତରାନର ଛୋଟ ଅଧିକାରୀଙ୍କଠାରୁ ଆରମ୍ଭ କରି ପ୍ରତ୍ୟେକ ବରିଷ୍ଠ ଅଧିକାରୀଙ୍କ ପର୍ଯ୍ୟନ୍ତ ଡୋପ୍ ପରୀକ୍ଷା କରାଯିବା ଉଚିତ୍ । ଯେଉଁ ଅଧିକାରୀଙ୍କ ରିପୋର୍ଟ ପଜିଟିଭ ଆସେ, ତାଙ୍କୁ ତୁରନ୍ତ ଚାକିରିରୁ ବରଖାସ୍ତ କରାଯିବା ଉଚିତ୍ ।
ତେବେ ଏହା ଦେଖିବାକୁ ବାକି ରହିଲା ଯେ ଏହି ଅଧିକାରୀଙ୍କ ବିରୋଧରେ ତଥା ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ନା ଅନ୍ୟ ମାମଲା ପରି ଅନୁସନ୍ଧାନର ନିଶ୍ଚିତତା ଦେଇ ମାମଲା ଦବାଇ ଦିଆଯାଉଛି ।