ଓଡ଼ିଶାର ଦୌଡ଼ ରାଣୀ ଦୂତୀ ଚାନ୍ଦ ଅଳଙ୍କୃତ ହେବେ ଅର୍ଜୁନ ପୁରସ୍କାରରେ : ପଢନ୍ତୁ ପ୍ରତିକ୍ରିୟାରେ କ’ଣ କହିଲେ ଦୂତୀ

ଆର୍ଥଲେଟ ଦୂତୀ ଚାନ୍ଦଙ୍କୁ ମିଳିବ ଅର୍ଜୁନ ପୁରସ୍କାର । ଏନେଇ କ୍ରୀଡ଼ା ମନ୍ତ୍ରାଳୟ ତରଫରୁ ଘୋଷଣା କରାଯାଇଛି । ଅର୍ଜୁନ ପୁରସ୍କାର ପାଇଁ ଆର୍ଥଲେଟ ଫେଡେରାସନ ଅଫ ଇଣ୍ଡିଆ ଦୂତୀଙ୍କ ନାମକୁ ସୁପାରିଶ କରିଥିଲା । ଏବେ ଦୂତୀଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛାର ସୁଅ ।

ଟୋକିଓ ଅଲମ୍ପିକସ ପାଇଁ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି ଦୂତୀ । ଏ ସମୟରେ ଉତ୍ସାହିତ କଲାଭଳି ଖବର ଆସି ପହଞ୍ଚିଛି । ସବୁ ବର୍ଷ କ୍ରୀଡ଼ାର ଉତ୍କୃଷ୍ଟତା ପାଇଁ ଆର୍ଥଲେଟମାନଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରିଥାଏ କ୍ରୀଡ଼ା ମନ୍ତ୍ରାଳୟ । ଏଥର ଦେଶର ୨୭ ଜଣ ଏହି ପୁରସ୍କାର ପାଇଁ ମନୋନୀତ ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ଓଡ଼ିଆ ଜଣେ ହେଉଛନ୍ତି ଦୂତୀ ଚାନ୍ଦ ।

ଅର୍ଜୁନ ପୁରସ୍କାରରେ ନାମ ଘୋଷଣା ପରେ ଦୂତୀ ପ୍ରତିକ୍ରିୟା ରଖି କହିଛନ୍ତି ଯେ ତାଙ୍କ ନାମ ଏ ପୁରସ୍କାର ପାଇଁ ସୁପାରିଶ କରିଥିବାରୁ ପ୍ରଥମେ ମୁଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେବି । ଦ୍ଵିତୀୟରେ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେବି ଯେ ସେ ମୋତେ ଏଥିପାଇଁ ଯୋଗ୍ୟ ବିବେଚିତ କରିଛନ୍ତି । କେବଳ ମୁଁ ନୁହେଁ ସାରା ଓଡ଼ିଶାବାସୀଙ୍କ ପାଇଁ ଏହା ଏକ ଗର୍ବର କଥା ।

ଦୂତୀ ଏହା ମଧ୍ୟ କହିଛନ୍ତି ଯେ ଯେକୌଣସି କ୍ରୀଡ଼ାବିତ୍ ପାଇଁ ପୁରସ୍କାର ଅବା ସମ୍ମାନ ଉତ୍ସାହ ପରି କାମ କରେ, ଆଗକୁ ବଢିବାକୁ ପ୍ରେରଣା ଯୋଗାଏ । ଏହାଛଡ଼ା ୨୦୧୩ ମସିହାରୁ KIIT ଫାଉଣ୍ଡର ଡକ୍ଟର ଅଚ୍ୟୁତ ସାମନ୍ତ ମୋ ସାଙ୍ଗରେ ଅଛନ୍ତି, ନିଜ ଝିଅ ଭଳି ମୋ ସୁବିଧା ଅସୁବିଧା ବୁଝନ୍ତି । ରାଜ୍ୟ ସରକାର ମଧ୍ୟ ମୋତେ ଦରକାର ହେଉଥିବା ସମସ୍ତ ଆବଶ୍ୟକୀୟ ଟ୍ରେନିଂରେ ସହଯୋଗ ଦିଅନ୍ତି । ଆନ୍ତର୍ଜାତୀୟ ସ୍ତରରେ ମୋ ଭଲ ପ୍ରଦର୍ଶନ ପଛରେ ଓଡ଼ିଶାବାସୀଙ୍କ ଆଶୀର୍ବାଦ କାମନା କରୁଛି ।  

ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟ୍ଵିଟ କରି ଦୂତୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଏବଂ କହିଛନ୍ତି ଯେ ସମ୍ମାନଜନକ ଅର୍ଜୁନ ପୁରସ୍କାର ପାଇବାକୁ ମନୋନୀତ ହୋଇଥିବାରୁ ତୁମ ପାଇଁ ଓଡ଼ିଶା ଗର୍ବିତ ।

ଡକ୍ଟର ଅଚ୍ୟୁତ ସାମନ୍ତ ମଧ୍ୟ ଦୂତୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଟ୍ଵିଟ କରି । ଏ ସମ୍ମାନଜନକ ପୁରସ୍କାର ପାଇଁ ସେ ହକଦାର ବୋଲି କହିଛନ୍ତି ଡକ୍ଟର ଅଚ୍ୟୁତ ସାମନ୍ତ । ଏହା ସହିତ ୨୦୨୧ ଅଲମ୍ପିକସ ପାଇଁ ବି ଆଗୁଆ ଶୁଭେଚ୍ଛା ଜଣେଇଛନ୍ତି ।

Leave a Reply

Your email address will not be published. Required fields are marked *