ଦେଶ ଯେତେ ବିକାଶ କରୁ, ଲୋକେ ଯେତେ ଆଧୁନିକ, ଶିକ୍ଷିତ ହୁଅନ୍ତୁ ତଥାପି ନିତିଦିନ ଦେଶର କେଉଁଠି ନା କେଉଁଠି ମହିଳା ଜଣେ ବଳାତ୍କାର ହେଉଛି । ହେଲେ ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦର ୨୫ ବର୍ଷର ଜନୈକ ମହିଳା ୧୩୯ ଜଣଙ୍କ ଦ୍ଵାରା ବଳାତ୍କାର ତଥା ନିର୍ଯାତିତ ହୋଇଥିବା ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ମହିଳାଙ୍କୁ ୫୦୦୦ ଥର ଗଣବଳାତ୍କାର ସମେତ ନିର୍ଯ୍ୟାତନା ଏବଂ ଆକ୍ରମଣର ଶିକାର ହେବାକୁ ପଡ଼ିଛି ।
ତେବେ ଏକ NGO ସଂସ୍ଥା ସହାୟତାରେ ମହିଳା ଜଣକ ବର୍ତ୍ତମାନ ପୋଲିସ ପାଖରେ ପହଞ୍ଚିଛନ୍ତି ଏବଂ ୪୨ ପୃଷ୍ଠାର ଏକ ଅଭିଯୋଗ ଦାଖଲ କରିଛନ୍ତି । ପଞ୍ଜଗୁଟ୍ଟା ପୋଲିସ ଏହି ମାମଲାରେ ୩୭୬ (୨) (ସରକାରୀ କର୍ମଚାରୀ ତାଙ୍କ ସରକାରୀ ପଦବୀରେ ଥାଇ ବଳାତ୍କାର କରିବା), ୫୦୯ (ଜଣେ ମହିଳାଙ୍କ ନମ୍ରତାକୁ ଅପମାନିତ କରିବା) ଏବଂ ୩୫୪ (କ୍ରାଇମବ୍ରାଞ୍ଚକୁ ଆକ୍ରମଣ କରିବା ଉଦ୍ଦେଶ୍ୟରେ) ଏକ ମାମଲା ରୁଜୁ କରିଛି । ଭାରତୀୟ ଦଣ୍ଡ ସଂହିତା ଅନୁସାରେ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି (ଆଟ୍ରୋସିଟିସ୍ ରୋକିବା) ଅଧିନିୟମ ୧୯୮୯ ର ପ୍ରଯୁଜ୍ୟ ବିଭାଗଗୁଡିକ ମଧ୍ୟ ଆହ୍ୱାନ କରାଯାଇଛି ।
ମହିଳାଙ୍କ କହିବାନୁସାରେ ଅଭିଯୁକ୍ତମାନେ ଛାତ୍ର ନେତା, ଓକିଲ, ନେତାଙ୍କ PA, ମିଡ଼ିଆ କର୍ମଚାରୀଙ୍କଠାରୁ ଆରମ୍ଭ କରି ବ୍ୟବସାୟୀ ପର୍ଯ୍ୟନ୍ତ ୧୩୯ ଜଣ । ଅନ୍ୟପକ୍ଷରେ ଷ୍ଟେସନ ହାଉସ ଅଧିକାରୀ ନିରଞ୍ଜନ ରେଡ୍ଡୀ କହିଛନ୍ତି ଯେ FIR ଟି ପ୍ରାଥମିକ ଅନୁସନ୍ଧାନ ଉପରେ ଆଧାରିତ । ତେବେ ମହିଳାଙ୍କ ପାଇଥିବା ନିର୍ଯାତନା ସବୁ ଏକ ରାକେଟର ଅଂଶ ।
ସୂଚନା ଅନୁଯାୟୀ ୨୦୧୦ ମସିହାରେ ପୀଡ଼ିତା ମହିଳା ଜଣକ ବିବାହ କରିଥିଲେ । ହେଲେ ବିବାହର ବର୍ଷେ ପରେ ହିଁ ସେ ଛାଡ଼ପତ୍ର ଦେଇଥିଲେ । ତାଙ୍କ ଶାଶୁ ତାଙ୍କୁ ହଇରାଣ କରୁଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ତା’ପରେ ସେ ଏକ କଲେଜକୁ ଯାଇଥିଲେ ଯେଉଁଠାରେ ତାଙ୍କର ଯୌନ ଉତ୍ପୀଡ଼ନ ଆରମ୍ଭ ହୋଇଥିଲା ।
ମାଜିଷ୍ଟ୍ରେଟଙ୍କୁ ଦେଇଥିବା ବିବୃତ୍ତି ସୂତ୍ରରୁ ପ୍ରକାଶ ଯେ ମହିଳା ଜଣକ ଛାତ୍ର ସଂଗଠନର ନେତା, ତେଲୁଗୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ସଦସ୍ୟ, ମିଡ଼ିଆ ବ୍ୟକ୍ତିତ୍ୱ, ଆଇନଜୀବୀ ଏବଂ ରାଜନେତାଙ୍କ ସହକାରୀଙ୍କୁ ଅଭିଯୁକ୍ତ ଭାବରେ ନାମିତ କରିଛନ୍ତି । କେତେକଙ୍କ ନାମ FIR ରେ ନାମିତ ହୋଇଥିବାବେଳେ ଅନ୍ୟମାନଙ୍କ ନାମ ଉଲ୍ଲେଖ ନାହିଁ ।