କ୍ରିକେଟ ଜଗତରେ ବର୍ତ୍ତମାନର ଶ୍ରେଷ୍ଠ ଫିଲ୍ଡ଼ର କହିଲେ ରବିନ୍ଦ୍ର ଜାଡ଼େଜାଙ୍କୁ ବୁଝାଇବ । ହେଲେ ଆଗାମୀ ୫-୭ ବର୍ଷ ପରେ ଯାହାର ଉପସ୍ଥିତି ମ୍ୟାଚ୍ରେ ଦଳ ପାଇଁ ବିଜୟ ଆଣିବ ସେ ହେଉଛନ୍ତି ଆଜିର ସ୍ପୀଡ଼ ବୋଲର କମଲେଶ ନାଗରକୋଟି । ଏକଥା କହିଛନ୍ତି KKRର CEO । ତାଙ୍କ କହିବାନୁସାରେ ସ୍ପୀଡ଼ ବୋଲର କମଲେଶ ନାଗରକୋଟି ଜଣେ ଭଲ ବୋଲର ସହିତ ଜଣେ ଭଲ ଫିଲ୍ଡ଼ର ମଧ୍ୟ ଯିଏ କି ଆଗାମୀ ଦିନରେ ଦେଶର ଜଣେ ଶ୍ରେଷ୍ଠ ଫିଲ୍ଡ଼ର ରୂପେ ଉଭା ହେବେ । ତେବେ ଏ ବିଚାର ମୋର ନୁହେଁ ବରଂ ଭାରତୀୟ ଦଳର ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ଼ଙ୍କର ବୋଲି KKRର CEO କହିଛନ୍ତି ।
ସୂଚନା ଅନୁଯାୟୀ କମଲେଶ ନାଗରକୋଟି ୨୦୧୮ ମସିହାରେ କୋଲକାତା ନାଇଟ୍ ରାଇଡର୍ସ ଟିମ୍ ପାଇଁ ଖେଳିଥିଲେ ଏବଂ ୧୮ ବର୍ଷରୁ କମ୍ କ୍ରିକେଟ ବିଶ୍ୱକପରେ ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲେ । କିନ୍ତୁ IPL ଆରମ୍ଭ ହେବାବେଳକୁ ତାଙ୍କୁ ଆଘାତ ଲାଗିଥିଲା ଫଳରେ ସେ ଦଳରୁ ବାହାରି ଯାଇଥିଲେ ।

ତେବେ ଚଳିତ ବର୍ଷ ପୁଣିଥରେ ଦଳରେ ସାମିଲ ହେବାର ସୁଯୋଗ ଥିଲା ମାତ୍ର କରୋନା ମହାମାରୀ ପାଇଁ IPL ବିଳମ୍ବ ହେଲା । ତଥାପି IPLର ନୂଆ ନିର୍ଦ୍ଧାରିତ କାର୍ଯ୍ୟସୂଚୀରେ ସେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । KKRର CEO ଆହୁରି ମଧ୍ୟ କହିଛନ୍ତି ଯେ କମଲେଶ ନାଗରକୋଟି ଜଣେ ଭଲ କ୍ରିକେଟର ସହିତ ମୋ ପୁଅ ଭଳି । ଯେଉଁ ଲୋକମାନେ ତାଙ୍କୁ ଖେଳିବାର କିମ୍ବା ତାଙ୍କ ଖେଳରେ ଉନ୍ନତି ଆସିବାର ଦେଖିଛନ୍ତି, ସେମାନେ ହିଁ କହିପାରିବେ ଯେ ସେ ଜଣେ କିପରି ପ୍ରକାର ଖେଳାଳି ।
କମଲେଶ ନାଗରକୋଟି କେବଳ ଫିଲ୍ଡିଂ ନୁହେଁ ବରଂ ବୋଲିଂ ଆଉ ବ୍ୟାଟିଂ ବି କରନ୍ତି । ରାହୁଲ ଦ୍ରାବିଡ଼ ଏକଦା କମଲେଶଙ୍କ ଫିଲ୍ଡିଂକୁ ନେଇ କହିଥିଲେ ଯେ ଆଗକୁ ଯାଇ ସେ ଜଣେ ଶ୍ରେଷ୍ଠ ଫିଲ୍ଡ଼ର ହେବ । ଭାରତୀୟ ଦଳରେ ଜାଡ଼େଜାଙ୍କ ସ୍ଥାନ ନେବାକୁ ସେ ସକ୍ଷମ । କୌଣସି ଖେଳାଳିଙ୍କ ବିଷୟରେ ରାହୁଲ ଦ୍ରାବିଡ଼ଙ୍କ ଏପରି ମନ୍ତବ୍ୟ କେତେ ଯେ ଗୁରୁତ୍ୱପୂର୍ଣ୍ଣ ତାହା ସମସ୍ତେ ଜାଣନ୍ତି ।