ସମ୍ପତ୍ତିର ଶୋଷ ମାନବିକତା ମାରି ସାରିଛି । ତଥାପି କିଛି ଘଟଣା ଛାତି ଥରେଇ ଦିଏ । ସେହିପରି ଏକ ଖବର ଆସିଛି ଉତ୍ତରାଞ୍ଚଳର ରୁଦ୍ରପୁରରୁ । ଏଠାରେ ଘର ଓ ଜାଗା ହଡ଼ପ କରିବା ପାଇଁ ଝିଅଜ୍ଵାଇଁ ନିଜ ଭଡ଼ାଟିଆ ବନ୍ଧୁଙ୍କ ସାହାଯ୍ୟରେ ଶାଶୁ-ଶ୍ଵଶୁର ଏବଂ ଦୁଇ ଜଣ ଶାଳୀଙ୍କୁ ହତ୍ୟା କରି ଦେଇଛନ୍ତି । ଅମାନବିକତା ଏଇଠି ସରିନି । ହତ୍ୟା ପରେ ସେମାନଙ୍କ ମୃତଦେହକୁ ଘର ଚଟାଣରେ ପୋତି ନୂଆ ଚଟାଣ କରି ଦେଇଥିଲେ ଝିଅଜ୍ଵାଇଁ ।
ସତ କିନ୍ତୁ କେବେ ଲୁଚି ରୁହେନା । ଘଟଣା ଘଟିବାର ୧୬ ମାସ ପରେ ଝିଅଜ୍ଵାଇଁ ଉତ୍ତରପ୍ରଦେଶର ବରେଲି ଜନପଦର ମୀରଗଞ୍ଜରେ ନିଜ ଶ୍ଵଶୁର ହୀରାଲାଲଙ୍କ ମୃତ୍ୟୁର ପ୍ରମାଣ ପତ୍ର କରିବାକୁ ପହଞ୍ଚିଥିଲେ । କିନ୍ତୁ ଏହାସହିତ ସେମାନେ ମୃତ ହୀରାଲାଲଙ୍କ ନାମରେ ଥିବା ଜାଗାକୁ ନିଜ ନାଁରେ କରିବାକୁ ଉଦ୍ୟମ କଲାବେଳେ ସନ୍ଦେହ ହେଲା ଓ ଆରମ୍ଭ ହେଲା ତଦନ୍ତ । ତେବେ ଝିଅଜ୍ଵାଇଁ ବି କମ ହୁସିଆର ନଥିଲେ । ପୂର୍ବରୁ ପୁରା ପରିବାର ନିଖୋଜ ଅଭିଯୋଗ ରୁଦ୍ରପୁର ପୋଲିସ ଷ୍ଟେସନରେ ଦେଇ ଏକ ମାମଲା ରୁଜୁ କରାଇଥିଲେ ।
ସନ୍ଦେହ ଓ ତଦନ୍ତ କ୍ରମେ ପୋଲିସ ନରେନ୍ଦ୍ର ଗଙ୍ଗୱାର ଉଭୟ ଝିଅଜ୍ଵାଇଁଙ୍କୁ ଅଟକ ରଖି ପଚରାଉଚରା ଆରମ୍ଭ କରିଦେଲେ । ଶେଷରେ ସେମାନେ ମାନିନେଲେ ଯେ ଉଭୟେ ମିଶି ୪ ଜଣଙ୍କୁ ହତ୍ୟା କରିଛନ୍ତି ଓ ସେମାନଙ୍କ ମୃତଦେହକୁ ତାଙ୍କରି ଘରେ ପୋତି ଦେଇଛନ୍ତି । ଏହାପରେ ମାଜିଷ୍ଟେଟ ଏବଂ ଫରେନସିକ ବିଶେଷଜ୍ଞମାନେ ଏ ମାମଲାର ତଦନ୍ତରେ ଲାଗି ପଡ଼ିଥିଲେ ।
ସୂଚନା ମୁତାବକ ପୋଲିସ ଘର ଭିତରେ ଚଟାଣ ଖୋଳିଲା ଓ ସତକୁ ସତ ପାଇଲା ମୃତ ଶ୍ଵଶୁର ହୀରାଲାଲ, ଶାଶୁ ହେମବତୀ, ଦୁଇ ଝିଅ ଦୁର୍ଗା, ପାର୍ବତୀଙ୍କ ଶବ । ୬୫ ବର୍ଷ ବୟସ୍କ ହୀରାଲାଲ ୨୦୦୬ ମସିହାରେ ପରିବାର ସହିତ ରାଜା କଲୋନୀ ଟ୍ରାଞ୍ଜିଟ୍ କ୍ୟାମ୍ପରେ ରହୁଥିଲେ । ତାଙ୍କ ପାଖ ଗାଁରେ ୧୮ ଏକର ଜମି ଏବଂ ଘର ଥିଲା । ଗାଁ ଛାଡ଼ିବା ପୂର୍ବରୁ ସେ ୫ ଏକର ଜମି ବିକି ଦେଇଥିଲେ ଏବଂ ମିଳିଥିବା ଟଙ୍କାରେ ଏଠାରେ ଘର କରିଥିଲେ । ମାତ୍ର ଦେଢ଼ ବର୍ଷ ହେବ ୪ ଜଣ ନିଖୋଜ ହୋଇଥିବାର ସୂଚନା ମିଳିଥିଲା ଯାହା ପରେ ପୋଲିସ ସକ୍ରିୟ ହୋଇଥିଲା ବୋଲି ପୋଲିସ ସୂତ୍ରରୁ ପ୍ରକାଶ । ତେବେ ହତ୍ୟାକାଣ୍ଡର ପର୍ଦ୍ଦାଫାସ ହୋଇଛି ଏବଂ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି ।