ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାକୁ ପ୍ରାୟ ଅଢ଼େଇ ମାସ ହେଲାଣି ହେଲେ ଆତ୍ମହତ୍ୟା ଥିଲା ନା ଷଡ଼ଯନ୍ତ୍ର ପୂର୍ଣ୍ଣ ହତ୍ୟା ତାହା ଏବେ ବି ପ୍ରଶ୍ନ ଘେରରେ । ଏହି ମାମଲାର ତଦନ୍ତ ସମୟରେ ମୁମ୍ବାଇ ପୋଲିସ ପ୍ରାୟ ଦୁଇମାସ ଧରି ୫୦ରୁ ଅଧିକ ଲୋକଙ୍କୁ ପଚରାଉଚୁରା କଲାଣି ହେଲେ ଏଯାବତ୍ କୌଣସି ସୁରାକ ମିଳିପାରିନାହିଁ । ଶେଷରେ ମାମଲା ହସ୍ତାନ୍ତର ହେଲା CBI କୁ । ମୃତ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କ ମୃତ୍ୟୁ ପାଇଁ ଦାୟୀ କି ନୁହେଁ ସେନେଇ CBI ତାଙ୍କୁ ଗତ ୩ ଦିନ ଧରି ଜେରା କରୁଛି । ଏହା ଭିତରେ କିନ୍ତୁ ବଲିଉଡ଼ ଅଭିନେତ୍ରୀ କଙ୍ଗନା ରାନାୱତ ଡ୍ରଗ୍ସ ଲିଙ୍କ୍ ନେଇ ମୁହଁ ଖୋଲିଛନ୍ତି ।
ଡ୍ରଗ୍ସ ଲିଙ୍କ୍ ନେଇ ଯେତେବେଳେ ଅଭିନେତ୍ରୀ କଙ୍ଗନାଙ୍କୁ ପଚରା ହେଲା ସେ କହିଲେ ଯେ ମୋ ମତରେ ବଲିଉଡ଼ କ୍ୟାରିୟର ଭିତରେ ଆଜି ହେଉକି କାଲି ପ୍ରାୟ ୯୯ ପ୍ରତିଶତ ଅଭିନେତ ଓ ଅଭିନେତ୍ରୀ ଡ୍ରଗ୍ସ ନେଇଛନ୍ତି । କେତେଜଣ ହୁଏତ ନିଜ ସ୍ୱାସ୍ଥ୍ୟଗତ କାରଣରୁ ଛାଡ଼ି ଦେଇଛନ୍ତି ହେଲେ ଯୁବ ଅବସ୍ଥାରେ ପ୍ରାୟ ସମସ୍ତେ ଡ୍ରଗ୍ସ ନିଅନ୍ତି । ଷ୍ଟାରମାନେ ଆୟୋଜିତ କରୁଥିବା ପାର୍ଟିରେ ତ ସମସ୍ତେ ଡ୍ରଗ୍ସ ନିଅନ୍ତି ଓ ପାଣି ଭଳି ପିଇଯାଆନ୍ତି । ଷ୍ଟାରମାନଙ୍କ ପତ୍ନୀମାନେ ବି ଏଭଳି ପାର୍ଟିର ଆୟୋଜନ କରିଥାନ୍ତି । ସମସ୍ତେ ଏକାଠି ହୋଇ ଐୟାଶୀରେ ମାତନ୍ତି ।

ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁ ପରେ ପ୍ରଥମ ସନ୍ଦେହ ଘେରରେ ଯେତେବେଳେ ରିୟା ଚକ୍ରବର୍ତ୍ତୀ ରହିଛନ୍ତି ସେଇଠି ଅଭିନେତ୍ରୀ କଙ୍ଗନାଙ୍କ କହିବା କଥା ଯେ ରିୟା କେବଳ କାଠ କଣ୍ଢେଇ । ତାଙ୍କ ପଛରେ ଆଉ କାହାର ମାଷ୍ଟର ମାଇଣ୍ଡ ଅଛି । ସୁଶାନ୍ତଙ୍କୁ ଅତ୍ମହତ୍ୟା ଲାଗି ଉସୁକାଇଥିବା ଅଭିଯୋଗରେ ରିୟାଙ୍କୁ ଯଦି ଜେଲ୍ ହୁଏ ତେବେ ପରଦା ପଛରେ ଥିବା ସେ ଅସଲ ଖେଳାଳି କିଏ ଏକଥା ସମସ୍ତଙ୍କ ପାଇଁ ଏକ ରହସ୍ୟ ହୋଇ ରହିଯିବ । ତାଙ୍କର ପ୍ରକୃତ ଉଦ୍ଦେଶ୍ୟ କଣ ଥିଲା ଓ ସେ ସୁଶାନ୍ତଠାରୁ କ’ଣ ଚାହୁଁଥିଲେ କିମ୍ବା ସୁଶାନ୍ତ କିଛି ସେମାନଙ୍କର ବଡ଼ ଗୁମର କଥା ଜାଣିଥିଲେ କି ଯେଉଁଥିପାଇଁ ନିଜକୁ ସେମାନେ ଅସୁରକ୍ଷିତ ମଣୁଥିଲେ ? ଏମିତି ଅନେକ ପ୍ରଶ୍ନ ।
ଡ୍ରଗ୍ସକୁ ନେଇ କଙ୍ଗନା ଆହୁରି ବି କହିଛନ୍ତି ଯେ ବଲିଉଡରେ ମୋର ଆତ୍ମଘୋଷିତ ମେଣ୍ଟର ମୋତେ ଡ୍ରଗ୍ସ ଡିଲ୍ ସ୍ଥାନକୁ ନେଇ ଯାଉଥିଲେ । ଦୁବାଇରୁ ଆରମ୍ଭ କରି ଭୁବନେଶ୍ୱର ଭଳି ଛୋଟବଡ଼ ସହରରୁ ଏଠାକୁ ଖଣି ମାଲିକ ଓ ଅନ୍ୟ ଲୋକମାନେ ଆସୁଥିଲେ । ବୟସରେ ସମସ୍ତେ ପ୍ରାୟ ବୟସ୍କ ଥିଲେ । ମୋତେ ସେମାନଙ୍କ ମଝିରେ ବସାଇ ଦେଇ ମୋ ମେଣ୍ଟର ଚାଲିଯାଉଥିଲା ଓ ସମସ୍ତେ ମୋ ନମ୍ବର ନେଉଥିଲେ । ସେତେବେଳେ ମୋ ମନରେ ଭୟ ବି ଆସିଥିଲା ଯେ କାଳେ ମୋତେ ସେମାନେ ଦୁବାଇ ଚାଲାଣ କରିଦେବେନି ତ !