ଦୋକାନୀ ହେଉ କି ଗାଡ଼ି ଚାଳକ, ଅଚଳ କହି ମନା କରିପାରିବେନି ଖୁଚୁରା କଏନ୍ । କାରଣ ଅନେକ ସମୟରେ ଦେଖାଯାଇଛି ଆପଣ ଜିନିଷ କିଣିବାକୁ ଦୋକାନ ଯାଇଛନ୍ତି ଆଉ ଦୋକାନ ମାଲିକ ଖୁଚୁରା ନାହିଁ କହି ଧରେଇ ଦେଉଛନ୍ତି ଚକଲେଟ୍ କିମ୍ବା ଅନ୍ୟ ଜିନିଷ । ଅନିଚ୍ଛା ସତ୍ତ୍ୱେ ବି ଆପଣଙ୍କୁ ଆଣିବାକୁ ପଡ଼େ ତାହା । ଗାଡ଼ି ମୋଟରରେ ଯିବା ସମୟରେ ଅଚଳ କହି ରୋକଠୋକ ମନା କରିଦିଅନ୍ତି କଏନ୍ ନେବାକୁ । ଏବେ କିନ୍ତୁ ସେମାନଙ୍କ ମନମାନି ଚଳିବନି ।
ଏଣିକି ଯଦି ଆପଣ ଏହିଭଳି କିଛି ସମସ୍ୟାର ସମ୍ମୁଖୀନ ହୁଅନ୍ତି ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ । ଏନେଇ ଗତ ଜୁଲାଇ ମାସ ୨୦ ତାରିଖରେ ଦେଶବ୍ୟାପୀ ଲାଗୁ ହୋଇଥିବା କଞ୍ଜୁମର ପ୍ରୋଟେକ୍ସନ ଆକ୍ଟ ୨୦୧୯ରେ ସ୍ପଷ୍ଟ କରାଯାଇଛି । ଏହାବ୍ୟତୀତ ସରକାର ମଧ୍ୟ ଏକ ଟୋଲ୍ ଫ୍ରୀ ନମ୍ବର ଜାରି କରିଛନ୍ତି । ଗ୍ରାହକମାନେ ନିଜ ସମସ୍ୟା କଲ୍ କିମ୍ବା ମେସେଜ ଦେଇ ଜଣାଇପାରିବେ । ଗ୍ରାହକଙ୍କ ଗୋଟିଏ ଅଭିଅଯୋଗରେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ ।
ଦେଶରେ କଞ୍ଜୁମର ପ୍ରୋଟେକ୍ସନ ଆକ୍ଟ ୨୦୧୯ ଲାଗୁ ହେଲାପରେ ଦୋକାନୀ ଯଦି ଖୁଚୁରା ନଫେରେଇ କୌଣସି ଅନାବଶ୍ୟକ ଜିନିଷ ବାଧ୍ୟ କରି ଦିଅନ୍ତି ତେବେ ଗ୍ରାହକ କଞ୍ଜୁମର ଫୋରମ୍ ଦ୍ଵାରସ୍ଥ ହୋଇପାରିବେ । ଗ୍ରାହକ ଅଭିଯୋଗ କରିବାର ମାସେ ଭିତରେ ହିଁ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ସେହିଭଳି ଯଦି ଚାହିଁବେ ତେବେ କେନ୍ଦ୍ର ସରକାରଙ୍କ ଦ୍ଵାରା ପରିଚାଳିତ ୱେବ୍ ସାଇଟ୍ jagograhakjago.gov.in ତଥା consumerhelpline.gov.in କିମ୍ବା ଟୋଲ୍ ଫ୍ରୀ ନମ୍ବର ୧୮୦୦୧୧୪୦୦୦ ଏବଂ ୧୪୪୦୪ ନମ୍ବରରେ କଲ୍ କରିପାରିବେ । ଏହାଛଡ଼ା ମୋବାଇଲ ନମ୍ବର ୮୧୩୦୦୦୯୮୦୯ ରେ ମେସେଜ ପଠାଇ ଅଭିଯୋଗ ବିଷୟରେ ଅବଗତ କରାଇପାରିବେ ।
ଅଭିଯୋଗ ସମ୍ପୃକ୍ତ ବ୍ୟକ୍ତି ଯଦି ଦୋଷୀ ପ୍ରମାଣିତ ହୁଏ ତେବେ ତାକୁ ଜରିମାନା ସହିତ ଜେଲ ଦଣ୍ଡ ବି ହେଇପାରେ । ତେଣୁ ସାବଧାନ ।