ଯୁବତୀ ଚାଲାଣ ଅପରାଧର ଚିହ୍ନ ଲିଭୁନି । ବିହାରର ରାଜଧାନୀରେ ଥିବା କୈମୁରରେ ଯୁବତୀ ଚାଲାଣର ଏକ ଗ୍ୟାଙ୍ଗ ଧରା ପଡ଼ିଛି ପୋଲିସ ହାତରେ । ଚଢ଼ାଉ କରି ୩ ମହିଳାଙ୍କ ସମେତ ୧୧ ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କଠାରୁ ନଗଦ ୨୦ ହଜାର ଟଙ୍କା ଏବଂ ୧୧ଟି ମୋବାଇଲ୍ ଫୋନ ମଧ୍ୟ ଜବତ ହୋଇଛି ।
ସୂଚନା ଅନୁଯାୟୀ ଗିରଫ ହୋଇଥିବା ଅଭିଯୁକ୍ତମାନେ ପାଟଣା, ରାଜସ୍ଥାନର ଜୟପୁର ଓ ଉତ୍ତରପ୍ରଦେଶର ବାରଣସୀ ଅଞ୍ଚଳର ବୋଲି ଜଣାପଡ଼ିଛି । ଧରାପଡ଼ିଥିବା ଯୁବତୀ ଚାଲାଣ ଗ୍ୟାଙ୍ଗର ଚେର କେବଳ ପାଟଣା ନୁହେଁ ପୁରା ଉତ୍ତର ଭାରତକୁ ଲମ୍ବିଥିବା ପୋଲିସ ସୂତ୍ରରୁ ପ୍ରକାଶ ।
ତେବେ ଧରା ପଡ଼ିଥିବା ଅଭିଯୁକ୍ତଙ୍କ ଭିତରେ କୈମୁରର ଅକୋଢ଼ି ଗାଁର ଆଜାଦ ନାମକ ଜଣେ ବ୍ୟକ୍ତି ଥିଲେ ଯିଏ ନିଜ ପତ୍ନୀକୁ ବିକିବାକୁ ଆଣିଥିବା ନେଇ ପ୍ରଥମେ ପୋଲିସ ଏକ ସୁରାକ ପାଇଥିଲା । ତାଙ୍କୁ ଅନୁସରଣ କରି ଘଟଣାସ୍ଥଳରେ ପହଞ୍ଚି ପୋଲିସ ଛାନଭିନ୍ ଆରମ୍ଭ କଲାପରେ ସେଠାରେ ଜଣେ ମହିଳାଙ୍କୁ ସିଗାରେଟ୍ ଟାଣୁଥିବା ଦେଖି ପୋଲିସର ସନ୍ଦେହ ଦୃଢିଭୂତ ହେଲା ।

ତେବେ କୈମୁରର ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିବାରୁ ସେମାନେ ଗାୟତ୍ରୀ ଫାଉଣ୍ଡେସନକୁ ଅନେକ ଲୋକ ଆସିଥିବା ନେଇ କହିଥିଲେ । ତେବେ ଗାୟତ୍ରୀ ଫାଉଣ୍ଡେସନ୍ ନାଁରେ ସେଠାରେ ଯୁବତୀଙ୍କ କିଣାବିକା କାରବାର ଚାଲୁଥିଲା ବୋଲି ପୋଲିସ ପରେ ଜାଣିବାକୁ ପାଇଲା । ସେଠାରେ ସିଗାରେଟ୍ ଟାଣୁଥିବା ମହିଳାଙ୍କ ନାଁ ସୁନୀତା ଦେବୀ ଓ ଅନ୍ୟ ଜଣେ ମହିଳାଙ୍କ ନାମ ଥିଲା ପୂଜା ଯାହାକୁ ତାଙ୍କ ସ୍ଵାମୀ ବିକିବାକୁ ଆଣିଥିଲେ । ବିବାହ ନାଁରେ ଅନେକଙ୍କୁ ହରିୟାଣା, ରାଜସ୍ଥାନ ଓ ପଞ୍ଚାବରେ ବିକ୍ରି କରାଯାଉଥିଲା ନେଇ ପୋଲିସ କହିଛି ।
କୈମୁର SP ଦିଲନବାଜ ଅହମଦ କହିଛନ୍ତି ଯେ ଯୁବତୀଙ୍କୁ ଚାକିରି ଓ ଭଲ ସ୍ଥାନରେ ବିବାହ ଦେବାର ଲୋଭ ଦେଖାଇ ଏହି ଗ୍ୟାଙ୍ଗ ଯୁବତୀ ଚାଲାଣ ବେପାର ଜମେଇ ଥିଲା । ତେବେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ଜୟପୁରର ମଞ୍ଜୁ ଦେବୀ, ବାରଣସୀର ଅଜୟ କୁମାର ଥିବା ସୂଚନା ମିଳିଛି ।