ଦିଲ୍ଲୀ ସହରରେ ଘଟିଛି ଏକ ଅଭାବନୀୟ ଘଟଣା । କେବଳ ଏକ ଝିଅ ସହିତ କଥାବାର୍ତ୍ତା ହେବା ଜଣେ ୧୮ ବର୍ଷର ଯୁବକକୁ ମହଙ୍ଗା ପଡ଼ିଛି । ଖବର ଅନୁଯାୟୀ ଘଟଣାଟି ରାସ୍ତାର ସିସିଟିଭିରେ କଏଦ ହୋଇଥିବା ବେଳେ ଘଟଣା ସହିତ ସମ୍ପୃକ୍ତ ୫ ଜଣଙ୍କୁ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୩ ଜଣ ନାବାଳକ ।
ଦିଲ୍ଲୀ ରାଜରାସ୍ତାରେ ପିଟି ପିଟି ଯୁବକ ଜଣଙ୍କୁ ହତ୍ୟା କରାଯାଇଛି । ମୃତକ ଜଣକ ନାମ ରାହୁଲ ଓ ସେ ପଶ୍ଚିମ ଦିଲ୍ଲୀ ଆଦର୍ଶ ନଗରର ବାସିନ୍ଦା । ତେବେ ଘଟଣା ଘଟିବାର କିଛି ସମୟ ପୂର୍ବରୁ ସେ ଜଣେ ଝିଅ ସହ ରାସ୍ତାରେ ଠିଆ ହୋଇ କଥା ହେଉଥିଲେ ଯାହା ରାସ୍ତାରେ କଡ଼ରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ପୋଲିସ ଅଧିକାରୀଙ୍କ କହିବାନୁସାରେ ତଦନ୍ତୁ ଯାହା ଜଣାପଡ଼ିଛି ମୃତକ ଛାତ୍ର ଜଣଙ୍କ ଜାହାଙ୍ଗିରପୁରୀ ଅଞ୍ଚଳର । ସେ ଜଣେ ଝିଅର ବନ୍ଧୁତା କରିଥିଲେ ଯାହାକୁ ଝିଅ ଘର ଲୋକେ ବିରୋଧ କରୁଥିଲେ ।
ବରିଷ୍ଠ ପୋଲିସ ଅଧିକାରୀ ଆହୁରି ବି କହିଛନ୍ତି ଯେ ମୃତକ ରାହୁଲ କଳା ବିଭାଗର ଦ୍ୱିତୀୟ ବର୍ଷର ଛାତ୍ର ଥିଲେ ଓ ଅବକାଶ ସମୟରେ ଅନ୍ୟମାନଙ୍କୁ ସେ ଟ୍ୟୁସନ ବି କରୁଥିଲେ । ମାତ୍ର ରାହୁଲଙ୍କ ବନ୍ଧୁତା ଝିଅର ପରିବାର ଲୋକେ ନାପସନ୍ଦ କରୁଥିବାରୁ ଘଟଣା ଦିନ ୮ରୁ ୧୦ ଜଣ ଝିଅର ପରିବାର ଲୋକେ ତାକୁ ଆକ୍ରମଣ କରିଛନ୍ତି । ଆଖପାଖ ଲୋକେ ରାହୁଲଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ହେଁ ଅସଫଳ ରହିଲେ । ଶେଷରେ ପ୍ରବଳ ମାଡ଼ ମାରିବାରୁ ରାହୁଲ ଗୁରୁତର ଆହତ ହୋଇ ମୃତ୍ୟୁବରଣ କରିଥିଲେ ।
ତେବେ ସିସିଟିଭି ଫୁଟେଜ ଅନୁଯାୟୀ ଅକ୍ଟୋବର ୭ ତାରିଖ ଦିନ ଝିଅଟି ସହିତ ରାହୁଲ ରାସ୍ତାକୁ ବାହାରିଥିଲେ ମାତ୍ର ରାସ୍ତାରେ ଯିବାବେଳେ ହିଁ କିଛି ଲୋକ ତାଙ୍କୁ ଜୋରଦାର ଆକ୍ରମଣ କରି ଶେଷରେ ମାରିଦେଲେ । ଶୁଣିବାକୁ ମିଳୁଛି ଯେ ଝିଅ ଓ ରାହୁଲ ଦୁହେଁ ଦୁଇଟି ଭିନ୍ନ ସଂପ୍ରଦାୟର ଲୋକ ଥିଲେ ଯେଉଁ କାରଣରୁ ହୁଏତ ଝିଅ ପରିବାର ଲୋକେ ଏଭଳି ନାରକୀୟ କାଣ୍ଡ ଭିଆଇ ଥାଇ ପାରନ୍ତି ।
ଏ ଘଟଣା ସଂକ୍ରାନ୍ତରେ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଆଜି କହିଛନ୍ତି ଯେ ରାହୁଲର ପରିବାର ଅନ୍ୟ ଗାଁରୁ ଆସି ଦିଲ୍ଲୀରେ ବସବାସ କରୁଥିଲେ । ପିଲାଟି ଅନ୍ୟମାନଙ୍କୁ ପାଠ ପଢେଇବାକୁ ଯାଇ ଟ୍ୟୁସନ କରୁଥିଲେ । ଆମେ ନିଶ୍ଚିତ କରୁଛୁ ଯେ ଦୋଷୀମନେ ଶୀଘ୍ର ଦଣ୍ଡ ପାଇବେ । ରାହୁଲଙ୍କ ପରିବାର ବର୍ତ୍ତମାନ ଖୁବ ଆଘାତ ପାଇଛନ୍ତି । ସରକାର ତରଫରୁ ସେମାନଙ୍କୁ ୧୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦିଆଯାଇଛି । ତେବେ ଆମେ ନିଶ୍ଚିତ କରୁଛୁ ଯେ ବିଶିଷ୍ଟ ଆଇନଜୀବୀ ତାଙ୍କ ପରିବାରକୁ ସାହାଯ୍ୟ କରିବେ ଓ ଏହା ଏକ ଏମିତି ଉଦାହରଣ ହେଉ ଯେ ଆଗକୁ ଏପରି ଘଟଣା ଆଉ ନଘଟୁ ।