ସଂସ୍କାର: ନାବାଳିକା ଦୁଷ୍କର୍ମକୁ ନେଇ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶର କାନପୁରରେ ଜଣେ ୧୪ ବର୍ଷୀୟ ନାବାଳିକା ଗଣଦୁଷ୍କର୍ମରେ ଶିକାର ହୋଇଛନ୍ତି। ନାବାଳିକା ଜଣକ ନିଜ ଘର ବାହାରେ ପାଳିତ ପଶୁଙ୍କୁ ଖାଇବାକୁ ଦେଉଥିଲା ବେଳେ ଦୁଇ ଜଣ ଆସି ତାଙ୍କୁ ଟେକି ନେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଆଉ ନାବାଳିକାଙ୍କୁ ଅପହରଣ କରିଥିବା ଦୁଇ ଜଣ ସମ୍ପର୍କରେ ଦୁଇ ଭାଇ।
ପୁଲିସ କହିବା ଅନୁଯାୟୀ ଦୁଇ ଭାଇ ଚୁଟକାନ୍ ଏବଂ ବଡକାନ୍ ସମ୍ପୃକ୍ତ ନାବାଳିକା ଜଣଙ୍କୁ ଦୁଷ୍କର୍ମ କରିଛନ୍ତି। ପୀଡ଼ିତାଙ୍କ ପରିବାର ତରଫରୁ ଏନେଇ ମାମଲା ରୁଜୁ ହୋଇଛି। ନାବାଳିକା ଜଣକ ବହୁ ସମୟ ଧରି ନିଖୋଜ ରହିବା ପରେ ପରିବାର ଲୋକେ ଖୋଜାଖୋଜି କରିଥିଲେ। କିନ୍ତୁ ତାର ପତ୍ତା ମିଳି ନଥିଲା। ତେବେ କେହି ଜଣେ ସମ୍ପର୍କୀୟ ନାବାଳିକା ଜଣକ ହାତଗୋଡ଼ ବନ୍ଧା ଅବସ୍ଥାରେ ଏକ ବସ୍ରେ ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିବା ଖବର ଦେଇଥିଲେ ।
ବସରେ ନାବାଳିକାଙ୍କୁ ମୁହଁରେ କପଡ଼ା ବାନ୍ଧି ଦୁଷ୍କର୍ମ କରାଯାଇଥିବା ପରି ମନେ ହେଉଛି। ତେବେ ଝିଅର ସନ୍ଧାନ ପାଇବା ପରେ ସଙ୍ଗେ ସଙ୍ଗେ ପରିବାର ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା। ସେହିପରି ନାବାଳିକାକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯିବା ସହ ତାଙ୍କର ମେଡିକାଲ ପରୀକ୍ଷା ମଧ୍ୟ କରାଯାଇଛି। ଅଭିଯୁକ୍ତଙ୍କ ମଧ୍ୟରୁ ପୁଲିସ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଫେରାର ଅଛି। ତେବେ ଘଟଣାର ତଦନ୍ତ ଜାରି ରହିଛି ବୋଲି ପୋଲିସ କହିଛି।