ସଂସ୍କାର : ପାଠ ପଢାକୁ କେନ୍ଦ୍ର କରି ମାଆକୁ ହତ୍ୟା କଲା ୧୫ ବର୍ଷୀୟ ଝିଅ। ନାବି ମୁମ୍ବାଇରୁ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ ୧୫ ବର୍ଷୀୟ ଝିଅ ତାର ମାଆକୁ ହତ୍ୟା କରିଦେଇଛି।
ସୂଚନା ଅନୁଯାୟୀ, ପାଠ ପଢାକୁ ନେଇ ମା ଏବଂ ଝିଅ ମଧ୍ୟରେ ଝଗଡା ହୋଇଥିଲା, ଯାହା ପରେ ଏହି ୧୫ ବର୍ଷୀୟ ଝିଅ କରାଟେ ବେଲ୍ଟରେ ନିଜ ମାଆର ଗଳାକୁ ଦବାଇ ହତ୍ୟା କରିଦେଇଛି। ତେବେ ଝିଅ ଜଣକ ପୋଲିସକୁ କହିଛି ଯେ, ଏହା ଏକ ଦୁର୍ଘଟଣାଜନିତ ମୃତ୍ୟୁ।

ଅନ୍ୟପକ୍ଷରେ ଏହି ଘଟଣା ଗତ ଜୁଲାଇ ୩୦ ତାରିଖରେ ନାବି ମୁମ୍ବାଇର ଏୟାରୋଲି ଅଞ୍ଚଳରେ ଘଟିଥିଲା। ରାବାଲେ ପୋଲିସ୍ ଷ୍ଟେସନର ଜଣେ ଅଧିକାରୀ ନ୍ୟୁଜ୍ ଏଜେନ୍ସି ପ୍ରେସ୍ ଟ୍ରଷ୍ଟ ଅଫ୍ ଇଣ୍ଡିଆକୁ କହିଛନ୍ତି ଯେ ୧୫ ବର୍ଷୀୟ ଝିଅ ଏବଂ ତାର ୪୦ ବର୍ଷୀୟ ମାଆ ମଧ୍ୟରେ ସର୍ବଦା ଝଗଡା ଚାଲୁଥିଲା। କାରଣ ମହିଳା ଜଣକ ତାଙ୍କ ଝିଅକୁ ଡାକ୍ତରୀ ପାଠ ପଢ଼ାଇବାକୁ ଚାହୁଁଥିଲେ, କିନ୍ତୁ ଝିଅର ଡାକ୍ତରୀ ପାଠକୁ ଇଚ୍ଛା ନଥିଲା। ସେ ଅନ୍ୟ କିଛି ପଢିବାକୁ ଚାହୁଁଥିଲା।
ତେବେ ଜୁଲାଇ ୩୦ ତାରିଖ ଦିନ, ଝିଅ ଜଣକ ପୋଲିସକୁ ସୂଚନା ଦେଇଥିଲା ଯେ ତାଙ୍କ ମା ତଳେ ପ୍ରାଣତ୍ୟାଗ କରିଛନ୍ତି। ତାପରେ ପୋଲିସ ପହଂଚି ମୃତଦେହକୁ ଫୋରେନସିକ୍ ପରୀକ୍ଷା ପାଇଁ ପଠାଇ ଥିଲା ଏବଂ ରିପୋର୍ଟରେ ଜଣାପଡିଛି ଯେ ମହିଳାଙ୍କୁ ଗଳା ଚିପି ହତ୍ୟା କରାଯାଇଛି। ଯାହାକି ସେ ଝିଅ ଜଣକ କରିଛି ବୋଲି ସ୍ୱୀକାର କରିଛି।