ସଂସ୍କାର : ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ଦିନକୁ ଦିନ ବହୁ ନୂଆ ତଥ୍ୟ ଆସିବାରେ ଲାଗିଛି । ମାନସ ସ୍ୱାଇଁଙ୍କୁ ଦୟାଲ ଆଶ୍ରମରେ ଅତ୍ୟନ୍ତ ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା । ତେବେ ଯେଉଁ ମେମୋରି ଚିପ୍କୁ ନେଇ ଏପରି ଏକ ଜଘନ୍ୟ କାଣ୍ଡ ଘଟିଗଲା ସେହି ମେମୋରି ଚିପ୍ରେ କ’ଣ ଥିଲା ତାକୁ ନେଇ ବିଭିନ୍ନ ମହଲରେ ଆଲୋଚନା ହେଉଛି। ତେବେ ମାନସଙ୍କ ଜଣେ ବନ୍ଧୁ ଯେଉଁ ତଥ୍ୟ ପ୍ରଦାନ କରିଛନ୍ତି ତାକୁ ନେଇ ଖୋଳତାଡ଼ ଆରମ୍ଭ କରିଛି ପୋଲିସ।
ବନ୍ଧୁଙ୍କ କହିବା କଥା ଅନୁଯାୟୀ ଗତ ଜାନୁଆରୀ ୨୯ ତାରିଖରେ ପୁରୀରେ ଏକ କ୍ଷୁଦ୍ର ଚଳଚ୍ଚିତ୍ରର ସୁଟିଂ କରାଯାଉଥିଲା । ଏହି ଚଳଚ୍ଚିତ୍ରର ନାୟକ ହୋଇଥିଲେ ପୂର୍ବତନ ସୂଚନା ଓ ଲୋକସମ୍ପର୍କ ବିଭାଗର ବୈଷୟିକ ନିର୍ଦ୍ଦେଶକ ନିରଞ୍ଜନ ସେଠୀ । ତାଙ୍କ ସହ ଦୁଇଜଣ ଯୁବତୀ ଓ ଜଣେ ମହିଳା ଅଭିନୟ କରିଥିଲେ । ସେହି ଚଳଚ୍ଚିତ୍ରରେ ଏକ ଗାଧୁଆ ସିନ୍ ରହିଥିଲା । ତାହାର ସୁଟିଂ କରିଥିଲେ ଖୋଦ୍ ମାନସ । ସୁଟିଂ ସମୟରେ ପାଖେ ପାଖେ ରହିଥିଲେ ଶର୍ମିଷ୍ଠା । କ୍ଷୁଦ୍ର ଚଳଚ୍ଚିତ୍ର ସୁଟିଂ ପରେ ଅସାବଧାନତା କାରଣରୁ ଏହା ଡିଲିଟ୍ ହୋଇଯାଇଥିଲା । ଯାହାକୁ ନେଇ ଏତେ ବଡ଼ କାଣ୍ଡ ହୋଇଛି ବୋଲି ସୂଚନା ରହିଛି।
ଏଥିପାଇଁ ମାନସଙ୍କୁ ନିରଞ୍ଜନ ଓ ଶର୍ମିଷ୍ଠା ମାଡ଼ ମାରିଥିଲେ। ମାଡ଼ ଖାଇଲା ପରେ ମେମୋରି ଚିପରୁ ଭିଡିଓ ରିକଭରି କରିଦେବେ ବୋଲି ମାନସ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଏହା ସମ୍ଭବପର ହୋଇପାରିନଥିଲା। ଯେଉଁଥିପାଇଁ ମାନସଙ୍କ ଦରମା ମଧ୍ୟ ଶର୍ମିଷ୍ଠା ବନ୍ଦ କରିଦେଇଥିଲେ । ଆଉ ମାନସଙ୍କ ଉପରେ ମେମୋରି ଚିପରୁ ଭିଡିଓ ରିକଭରି କରିବାକୁ ବାରମ୍ବାର ଚାପ ପକାଉଥିଲେ ଶର୍ମିଷ୍ଠା ।
ଏହାପରେ ମାନସ ଚାକିରି ଛାଡ଼ି ଦେଇଥିଲେ ଓ ବାହାଘର ଭିଡିଓ ସୁଟିଂ କରି ଚଳୁଥିଲେ । ଫେବୃଆରୀ ୬ ତାରିଖରେ ମାନସ ଓ ତାଙ୍କ ସାଙ୍ଗ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ପଳାସପୁର ଗାଁରେ ଏକ ବାହାଘରର ଭିଡିଓ ସୁଟିଂ କରିବାକୁ ଯାଇଥିଲେ । ତା’ପରଦିନ ସକାଳେ ଦୁଇ ସାଙ୍ଗ ଭୁବନେଶ୍ୱର ଫେରୁଥିବା ବେଳେ ଅଧା ରାସ୍ତାରୁ ଶର୍ମିଷ୍ଠା ଓ ତାଙ୍କ ସହଯୋଗୀମାନେ ମାନସଙ୍କୁ ଅପହରଣ କରିନେଇ ଦୟାଲ ଆଶ୍ରମକୁ ଆଣିଥିଲେ । ସେଠାରେ ଅଭିଯୁକ୍ତ ନିରଞ୍ଜନ ତାଙ୍କୁ ମାଡ଼ ମାରିଥିଲେ । ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା ।
ଏହାପରେ ସେମାନେ ମୃତ ଦେହକୁ ନୟାଗଡ଼ ଜିଲ୍ଲା ରାଜସୁନାଖଳା ନିକଟ ବଧିାଟଣା ପାହାଡ଼ ତଳେ ପୋତି ଦେଇଥିଲେ । ତେବେ ଘଟଣାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କ ପତ୍ତା ପାଇବାରେ କ୍ରାଇମବ୍ରାଞ୍ଚ ଏପର୍ଯ୍ୟନ୍ତ ସଫଳତା ହାସଲ କରିପାରିନାହିଁ । ଇତିମଧ୍ୟରେ ଦୁଇଦିନ ବିତିଯାଇଥିଲେ ମଧ୍ୟ ଶର୍ମିଷ୍ଠା କେଉଁଠି ରହିଛନ୍ତି ସେ ନେଇ ସୂଚନା ମିଳିନାହିଁ । କୁହାଯାଉଛି ଶର୍ମିଷ୍ଠା ଛଦ୍ମ ବେଶରେ ସ୍ଥାନ ପରିବର୍ତ୍ତନ କରୁଥିବାରୁ ଓ ଫୋନ ବ୍ୟବହାର କରୁନଥିବାରୁ ତାଙ୍କୁ ଧରିବା ସମ୍ଭବପର ହୋଇପାରୁନାହିଁ। ଏହି ଜଘନ୍ୟ ଘଟଣାରେ ଏପର୍ଯ୍ୟନ୍ତ ୬ ଜଣଙ୍କୁ ଗିରଫ କରାଯାଇଛି ।