ସଂସ୍କାର : ପୁଣି ଓଡିଶା ପୋଲିସ ଦେଖାଇଲା ସାମ୍ବାଦିକ ଉପରେ ଗୁଣ୍ଡାଗିରି। ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ମାଡ଼ ମାରି ଚର୍ଚ୍ଚା ପରିସରକୁ ଆସିଛନ୍ତି ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ବନ୍ଦର ସାମୁଦ୍ରିକ ଥାନାର ଆଇଆଇସି ଅଜୟ ମୁଦୁଲି।
ସୂଚନାଯୋଗ୍ୟ ଯେ, ଗତକାଲି ରାତି ( ଅଗଷ୍ଟ ୭ ) ରେ ଆଇଆଇସି ଅଜୟ ମୁଦୁଲି ମଦ ପିଇ ମାତାଲ୍ ଅବସ୍ଥାରେ ସ୍ଥାନୀୟ ଲୋକଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ କରୁଥିଲେ। ଆଇଆଇସି ମଦ ପିଇ ଉତପାତ୍ ହେଉଥିବାର ଖବର ପାଇ ବିଶ୍ୱଜିତ ବରାଳ ନାମକ ଜଣେ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧି ସେଠାରେ ପହଞ୍ଚିଥିଲେ। ବିଶ୍ୱଜିତ ନିଜର କ୍ୟାମେରାରେ ଭିଜୁଆଲ ରେକର୍ଡିଂ କରିବା ସମୟରେ ଆଇଆଇସି ଶ୍ରୀ ମୁଦୁଲି ତାଙ୍କୁ ଏକ ଚାପୁଡ଼ା ମାରିବା ସହିତ କ୍ୟାମେରା ଛଡ଼ାଇବାକୁ ଉଦ୍ୟମ କରିଥିଲେ । ଆହୁରି କ୍ୟାମେରା ଛଡ଼ାଇବାକୁ ଉଦ୍ୟମ କରିବା ସମୟରେ ଆଇଆଇସି ଅଜୟ ମୁଦୁଲି, ବିଶ୍ଵଜିତଙ୍କୁ ଅଭଦ୍ର ଭାଷାରେ ଗାଳିଗୁଳଜ କରିଥିଲେ।
ଏସମ୍ପର୍କରେ ସାମ୍ବାଦିକ ବିଶ୍ୱଜିତ ବରାଳ ଆଜି ଜଗତସିଂହପୁର ଜିଲ୍ଲାର ଏସପିଙ୍କ ନିକଟରେ ଅଭିଯୋଗ କରିବା ସହ ତୁରନ୍ତ ଉକ୍ତ ପୁଲିସ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ଆଉ ବିଶ୍ଵଜିତଙ୍କ ଭିଡ଼ିଓ ପ୍ରମାଣକୁ ଆଖିଆଗରେ ରଖି ଜଗତସିଂହପୁର ଏସପି ଅଖିଳେଶ୍ୱର ସିଂ, ବନ୍ଦର ସାମୁଦ୍ରିକ ଥାନାର ଆଇଆଇସି ଅଜୟ ମୁଦୁଲିଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରିଛନ୍ତି ।
ଏ ସମ୍ପର୍କରେ ଜଗତସିଂହପୁର ଏସପି ଅଖିଳେଶ୍ୱର ସିଂ କହିଛନ୍ତି ଯେ ଥାନା ଅଧିକାରୀ ଅଜୟ ମୁଦୁଲିଙ୍କୁ ବନ୍ଦର ଥାନାରୁ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି । ଘଟଣା ସମ୍ପର୍କରେ ତଦନ୍ତ ଚାଲିଛି । ରିପୋର୍ଟ ଆସିଲା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଅନ୍ୟପଟେ ଥାନା ଆଇଆଇସିଙ୍କ ଏହି ଅଭଦ୍ରାମି କାର୍ଯ୍ୟକୁ ସାଧାରଣରେ ବହୁତ ନିନ୍ଦା କରାଯାଇଥିବା ବେଳେ , ମଦୁଆ ଆଇଆଇସି ଅଜୟ ମୁଦୁଲିଙ୍କୁ ଗିରଫ କରିବା ପାଇ ଦାବି ହୋଇଛି।