ପ୍ରେମ ଓ ପ୍ରତିଶୋଧ ମୁଦ୍ରାର ଦୁଇ ପାର୍ଶ୍ଵ ଭଳି । ପ୍ରେମରେ ଧୋକା ମିଳିଲେ ଅଧିକାଂଶ ଏହି ପ୍ରତିଶୋଧକୁ ହିଁ ଆପଣେଇ ନିଅନ୍ତି । ବିହାରର ନାଳନ୍ଦାରୁ ଆସିଛି ଏହିପରି ଏକ ପ୍ରତିଶୋଧପରାୟଣ ପ୍ରେମିକାର କାହାଣୀ । ପ୍ରେମିକ ଧୋକା ଦେବାରୁ ପ୍ରେମିକା ଜଣକ ପ୍ରତିଶୋଧ ନେବା ପାଇଁ ପ୍ରେମିକର ନବବଧୂର କେଶ କାଟିଛି, ଆଖିରେ ଫେବିକୁଇକ୍ ଅଠା ଲଗାଇ ଦେଇଛି, ଏତିକିରେ ମନ ବୁଝିନି ଯେ ନିର୍ଧୁମ ମାଡ଼ ବି ମାରିଛି ।
ମାମଲା ସମ୍ପର୍କରେ ସୂଚନା ପାଇବା କ୍ଷଣି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । କାହାଣୀ ଅନୁଯାୟୀ ବିବାହ ପୂର୍ବରୁ ଅଭିଯୁକ୍ତ ପ୍ରେମିକା ଏବଂ ତାଙ୍କ ପ୍ରେମିକ ମଧ୍ୟରେ ଥିଲା ଗଭୀର ପ୍ରେମ ସମ୍ପର୍କ । ହେଲେ ଡିସେମ୍ବର ୧ ତାରିଖରେ ଶେଖପୁରା ଜିଲ୍ଲାରେ ଆଉ ଏକ ଝିଅକୁ ବିବାହ କରିଥିଲେ ପ୍ରେମିକ ।

ଯେତେବେଳେ ପ୍ରେମିକା ଜାଣିଲେ ଯେ ତାଙ୍କ ପ୍ରେମିକ ଅନ୍ୟ ଜଣଙ୍କୁ ବାହା ହେଉଛନ୍ତି ସେତେବେଳେ ସେ ପ୍ରତିଶୋଧପରାୟଣ ହୋଇଗଲେ । ପ୍ରେମିକର ଘରେ ପହଞ୍ଚି ସେଠାରେ ଶୋଇଥିବା ନବବଧୂର କେଶ କାଟି ଦେଲେ, ତା ଆଖିରେ ଫେବିକୁଇକ୍ ଅଠା ଲଗାଇ ଦେଲେ । ଏହା ପରେ ନବବଧୂଙ୍କୁ ନିର୍ଧୁମ ପିଟିଲେ ମଧ୍ୟ । ନବବଧୂ ଯନ୍ତ୍ରଣାରେ ଚିତ୍କାର କଲାରୁ ସମ୍ପର୍କୀୟମାନଙ୍କର ନିଦ ଭାଙ୍ଗିଥିଲା ଓ ସମସ୍ତେ ମିଶି ଅଭିଯୁକ୍ତ ପ୍ରେମିକାକୁ କାବୁ ଧରି ନେଇଥିଲେ ।
ତେବେ ସୂଚନା ଅନୁସାରେ ଘଟଣାସ୍ଥଳରେ ପହଞ୍ଚି ପୋଲିସ ଅଭିଯୁକ୍ତ ପ୍ରେମିକାଙ୍କୁ ଗିରଫ କରିଛି ଏବଂ ନବବଧୂଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ନବବଧୂ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ଏହି ଘଟଣା ଭାଗନବିଗହା ଥାନା ଅଞ୍ଚଳରେ ଥିବା ମୋରା ତାଲାବ ଗାଁରେ ଘଟିଛି ଯେଉଁଠି ପୋଲିସ ଏବେ ତଦନ୍ତ କରିବା ସହିତ ସୁରକ୍ଷା ପାଇଁ ଗାଁରେ ପୋଲିସ ମୁତୟନ କରିଛି ।