ସଂସ୍କାର: ଅଗ୍ନିକୁ ସାକ୍ଷୀ ରଖି ବିବାହ କରିଥିଲା। ହେଲେ ପରକିଆ ପ୍ରିତି ଯୋଗୁଁ ଗଲା ସ୍ତ୍ରୀର ପ୍ରାଣ। ନିଜ ସ୍ୱାମୀ ହିଁ ସାଜିଲା ହତ୍ୟାକାରୀ। ଆଉ ସ୍ତ୍ରୀକୁ ହତ୍ୟା କରିବା ପରେ ନିଜର ଶଳାର ସ୍ତ୍ରୀକୁ ନେଇ ଫେରାର୍ ହେଲା ଅଭିଯୁକ୍ତ ସ୍ୱାମୀ।
ପରକିଆ ପ୍ରୀତିରୁ ଘଟିଲା ଅଘଟଣ । ଶଳାର ସ୍ତ୍ରୀର ପ୍ରେମରେ ପଡ଼ି ନିଜ ସ୍ତ୍ରୀକୁ ହତ୍ୟା କଲା ବିବାହିତ ଯୁବକ। ଆଉ ବର୍ତ୍ତମାନ ସ୍ତ୍ରୀ ହତ୍ୟାକାରୀ ଯୁବକ ଜଣକ ନିଜ ଶଳା ଭାଉଜ ସହ କେଉଁଆଡ଼େ ଫେରାର ହୋଇ ଯାଇଛି। ଏପରି ଏକ ଅଘଟଣ ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା ରେକୁଟିଆ ଗାଁରେ ସାମ୍ନାକୁ ଆସିଛି । ଏନେଇ ଘଷିପୁରା ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏବେ ଘଟଣାର ତଦନ୍ତ କରୁଛି।
ଘଟଣାକ୍ରମେ ରେକୁଟିଆ ଗାଁର ତ୍ରିଲୋଚନ ଜେନା ନାମକ ଯୁବକ ନିଜ ବିବାହିତା ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ନିଜ ଶଳା ଭାଉଜଙ୍କୁ ନେଇ କେଉଁଆଡ଼େ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ତେବେ ୭ବର୍ଷ ପୂର୍ବରୁ ତ୍ରିଲୋଚନ ଜେନା ଜଳସୁଆଁ ଗାଁର ନନ୍ଦିନୀ ଜେନାଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ। କିଛି ଦିନ ପରେ ଉଭୟଙ୍କ ମଧ୍ୟରେ ମତାନ୍ତର ଆରମ୍ଭ ହୋଇଥିଲା। ଫଳରେ ଯୁବକ ଜଣକ ଗତ ଦୁଇ ବର୍ଷ ଧରି ଶ୍ୱଶୁର ଘର ଜଳସୁଆଁରେ ରହୁଥିଲେ। ଏହି ସମୟରେ ନିଜ ଶଳା ଭାଉଜଙ୍କ ସହ ତ୍ରିଲୋଚନଙ୍କର ଅନୈତିକ ସମ୍ପର୍କ ଗଢ଼ି ଉଠିଥିଲା।
ତେବେ ୩ଦିନ ତଳେ ସ୍ତ୍ରୀଙ୍କୁ ସାଙ୍ଗରେ ଧରି ତ୍ରିଲୋଚନ ନିଜ ଘର ରେକୁଟିଆକୁ ପଳାଇ ଆସିଥିଲେ। ୧୫ ତାରିଖ ସକାଳୁ ତ୍ରିଲୋଚନ ନନ୍ଦିନୀଙ୍କୁ ହତ୍ୟା କରି ଶ୍ୱଶୁର ଘରକୁ ଯାଇ ଶଳା ଭାଉଜଙ୍କ ସହ କେଉଁଆଡ଼େ ଫେରାର ହୋଇଯାଇଥିବା ଶ୍ୱଶୁର ଘର ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ନନ୍ଦିନୀଙ୍କୁ ପରିବାର ଲୋକେ ଆନନ୍ଦପୁର ମେଡ଼ିକାଲ ଆଣିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ତ୍ରିଲୋଚନଙ୍କ ଶଳା ହୀରଣ୍ୟ ଜେନା ଏସମ୍ପର୍କରେ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।