ଫେସବୁକରେ ପ୍ରେମ , ରାଜଧାନୀରେ ମଲ୍ ବୁଲା, ଆଉ ନୟାଗଡ଼ରେ ଦୁଷ୍କର୍ମ

ସଂସ୍କାର : ଫେସ୍‌ବୁକ୍‌ରେ ଜରିଆରେ ପ୍ରେମ କରିବା ଜଣେ ନାବାଳିକା ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଠକ ପ୍ରେମିକ ଜାଲରେ ଫସି ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି। ନାବାଳିକାକୁ ରାଜଧାନୀରୁ ଅପହରଣ କରି ପିଶାଚରୂପୀ ପ୍ରେମିକ ନୟାଗଡ଼ରେ ତିନି ଦିନ ଧରି ଦୁଷ୍କର୍ମ କରିଛି। ସୌଭାଗ୍ୟକୁ ନାବାଳିକା ଦୁର୍ବୃତ୍ତ କବଳରୁ ଖସି ଆସିଛନ୍ତି। ଆଉ ବର୍ତ୍ତମାନ ନାବାଳିକା ଜଣଙ୍କ ଲକ୍ଷ୍ମୀସାଗର ଥାନାର ଦ୍ବାରସ୍ଥ ହୋଇଛନ୍ତି। ପୁଲିସ ଅପହରଣକାରୀ ଦୁର୍ବୃତ୍ତକୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଛି।

ନାବାଳିକା ଜଣକ ଫେସ୍‌ବୁକ୍‌ରୁ ନୟାଗଡ଼ର ଏହି ଠକ ପ୍ରେମିକକୁ ଜାଣିଥିଲା। ଫେସ୍‌ବୁକ୍‌ରେ ଆରମ୍ଭ ହୋଇଥିବା ବନ୍ଧୁତା ଧୀରେଧୀରେ ନିବିଡ଼ ହୋଇ ଶେଷରେ ପ୍ରେମରେ ପରିଣତ ହେଲା। ପରେ ଫୋନ୍‌ ନମ୍ବର ଆଦାନପ୍ରଦାନ ଯାଏଁ କଥା ଗଲା। ଫୋନ୍‌ରେ ସେମାନେ ଘଣ୍ଟାଘଣ୍ଟା ଗପିଲେ। ଶେଷରେ ଠକ ପ୍ରେମିକ ନାବାଳିକାକୁ ଦେଖା କରିବା ପାଇଁ କହିଲା ଓ ଦିନ ଧାର୍ଯ୍ୟ ହେଲା।

ଯୋଜନା ମୁତାବକ ସେମାନେ ଗତ ୨୪ ତାରିଖରେ ଭୁବନେଶ୍ବରରେ ଏକାଠି ହୋଇଥିଲେ। କାର୍‌ ଧରି ଦୁର୍ବୃତ୍ତ ଆସିଥିଲା ଓ ନାବାଳିକାକୁ ମଲ୍‌ ବୁଲାଇବାକୁ ନେଇଥିଲା। ମାତ୍ର ମଲ୍‌କୁ ନନେଇ ଦୁର୍ବୃତ୍ତ ନାବାଳିକାକୁ ସିଧା ନୟାଗଡ଼ ନେଇପଳାଇଥିଲା। ନୟାଗଡ଼ରେ ଏକ ଗୁପ୍ତସ୍ଥାନରେ ୩ ଦିନ କାଳ ଲଚାଇ ରଖି ଜୋର୍‌ଜବରଦସ୍ତ ଦୁଷ୍କର୍ମ କରିଥିଲା। ତେବେ କୌଶଳକ୍ରମେ ନାବାଳିକାଟି ସେଠାରୁ ଖସି ଆସିଥିଲେ। ଘରେ ପହଞ୍ଚିବା ପରେ ସେ ପରିବାର ଲୋକଙ୍କୁ ସବୁ କଥା ଜଣାଇଥିଲେ। ଏବେ ଲକ୍ଷ୍ମୀସାଗର ଥାନା ପୁଲିସ ମାମଲା ରୁଜୁ କରି ଅପହରଣକାରୀ ପ୍ରେମିକକୁ ଗିରଫ କରିବା ପାଇଁ ତନାଘନା ଚଳାଇଛି।

Leave a Reply

Your email address will not be published. Required fields are marked *