ଏକକାଳୀନ ୪ ଜଣ ଶିଶୁ କନ୍ୟାଙ୍କୁ ଜନ୍ମଦେଲେ ଗର୍ଭବତୀ ମହିଳା ; ଖୁସି ବ୍ୟକ୍ତକଲେ ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ର

ସଂସ୍କାର : ପ୍ରଥମଥର ଲାଗି ଓଡ଼ିଶାରେ ଘଟିଲା ଏକ ଆଶ୍ଚର୍ୟ୍ଯଜନକ ଘଟଣା। କଟକ ବଡ଼ ମେଡ଼ିକାଲରେ ଜଣେ ଗର୍ଭବତୀ ମହିଳା ଏକକାଳୀନ ୪ଟି ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ତେବେ ଜନ୍ମଗ୍ରହଣ କରିଥିବା ଏହି ୪ ଜଣ ଶିଶୁ କନ୍ୟାଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇସାରିଥିବା ବେଳେ , ଅନ୍ୟ ୩ ଜଣ ଶିଶୁଙ୍କ ଅବସ୍ଥା ଗୁରୁତର ରହିଛି। ବର୍ତ୍ତମାନ ୩ ଜଣ ଶିଶୁ କନ୍ୟା ଓ ମା’ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ଶିଶୁଭବନ କର୍ତ୍ତୃପକ୍ଷଙ୍କ ନଜର ରହିଛି।

ସୂଚନା ଅନୁସାରେ, ଗଂଜାମ ଜିଲ୍ଲାର ଭଞ୍ଜନଗରସ୍ଥିତ ଡିହପଢାଳର ବୀରେନ୍ଦ୍ର ନାୟକଙ୍କ ପତ୍ନୀ ଛବିତା ନାୟକଙ୍କୁ କଟକ ବଡ଼ ମେଡ଼ିକାଲର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଭର୍ତ୍ତି କରାଯାଇଥିଲା । ଶନିବାର ସେ ୪ଜଣ ଶିଶୁଙ୍କୁ ଜନ୍ମ ଦେଇଥିଲେ । ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାର ସମସ୍ତଙ୍କୁ ଶିଶୁ ଭବନରେ ଭର୍ତ୍ତି କରାଯାଇଥିଲା ।

ତେବେ ଏହି ୪ ଶିଶୁ କନ୍ୟାଙ୍କ ସଫଳ ଭାବେ ଜନ୍ମ ହେବାକୁ ଖୁସିବ୍ୟକ୍ତ କରିଥିଲେ ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ର। ସେ ସୋସିଆଲ୍ ମିଡ଼ିଆ ସାଇଟ ଫେସବୁକ୍ ରେ ଏହି ଚାରି କନ୍ୟା ଶିଶୁଙ୍କ ଫୋଟ ପୋଷ୍ଟ କରି ଲେଖିଛନ୍ତି ଯେ, ” ଓଡ଼ିଶାରେ ଘଟିଲା ଭାରତୀୟ ଚିକିତ୍ସା ଇତିହାସର ଏକ ବିରଳ ମୁହୂର୍ତ୍ତ। ଏକାଥରେ ଜନ୍ମନେଲେ ୪ଟି ଲକ୍ଷ୍ମୀ ଆଉ ମୁଁ ହେଲି ମାମୁଁ। “

ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ” କିଛି ଦିନ ତଳେ ମୁଁ ଭଞ୍ଜନଗରର ଏକ ସମ୍ବେଦନଶୀଳ କେସ୍ ବିଷୟରେ ଜାଣିବାକୁ ପାଇଲି। ଅତ୍ୟଧିକ ଦାରିଦ୍ର୍ୟ ମଧ୍ୟରେ ସଂଘର୍ଷ କରୁଥିବା ଜଣେ ମହିଳା ଗର୍ଭବତୀ ଥିଲେ, ତାଙ୍କ ଗର୍ଭରେ ୪ ଟି ଭ୍ରୁଣ ବା ଶିଶୁ ରହିଥିବାର ମଧ୍ୟ ଜାଣିବାକୁ ପାଇଥିଲି। ପରିସ୍ଥିତିର ଗମ୍ଭୀରତାକୁ ଅନୁଭବ କରି ଓ ସେମାନଙ୍କର ଆର୍ଥିକ ଅବସ୍ଥାକୁ ଦେଖି ମୁଁ ଏକ ମେଡିକାଲ ଟିମ୍ ସହିତ ଏକ ଘରୋଇ ଆମ୍ବୁଲାନ୍ସର ବ୍ୟବସ୍ଥା କରି ତାଙ୍କୁ ଏସସିବି ମେଡିକାଲ, କଟକକୁ ସ୍ଥାନାନ୍ତର କଲି। ଏସସିବି ମେଡିକାଲର ଡାକ୍ତରମାନେ ଏହାକୁ ଏକ ଚ୍ୟାଲେଞ୍ଜ ଭାବରେ ଗ୍ରହଣ କଲେ , ଆଉ ମହିଳାଙ୍କ ଜୀବନ ସହ ୪ ଟି ଶିଶୁଙ୍କୁ ମଧ୍ଯ ସଫଳତା ସହ ଦୁନିଆକୁ ଆଣିଲେ”।

ତେବେ ପ୍ରାପ୍ତ ସୂଚନା ମୁତାବକ , ଏହି ୪ ଜଣ ଶିଶୁ କନ୍ୟାଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇସାରିଥିବା ବେଳେ , ଅନ୍ୟ ୩ ଜଣ ଶିଶୁଙ୍କ ଅବସ୍ଥା ଗୁରୁତର ରହିଛି।

Leave a Reply

Your email address will not be published. Required fields are marked *