ସଂସ୍କାର : ସଂସାରରେ ଜନ୍ମ ଆଉ ମୃତ୍ୟୁ ଦୁଇଟି କଟୁ ସତ୍ୟ। କାରଣ ଜନ୍ମ ଆଉ ମୃତ୍ୟୁ ଆମ ହାତରେ ନ ଥାଏ।ଏହି କଟୁ ସତକଥାକୁ ନେଇ ବର୍ତ୍ତମାନ ଏକ ଖବର ରାଜ୍ୟରେ ଖୁବ୍ ଚର୍ଚ୍ଚାରେ ରହିଛି। ଆଉ ଏହି ଖବର ବିଷୟରେ ଜାଣିଲେ ଆପଣ ବି ଅବାକ୍ ହୋଇଯିବେ ନିଶ୍ଚିତ।
ତା ମା’ ର ମୃତ ଶରୀର ପାଖରେ ଦୁଇ ଦିନ ଧରି ବସିରହିଥିଲା ଏହି କୁନି ଝିଅଟି। ଦୁଇଦିନ ପରେ ସେ ଜାଣିବାକୁ ପାଇଲା ଯେ ତା ମାଆ ଆଉ ଏଦୁନିଆରେ ନାହିଁ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ସହର ସାଗରପଡାରେ।
ସାଗରପଡା ଶିବ ମନ୍ଦିର ନିକଟ ଘର ଭିତରୁ ଜଣେ ବିଧବା ମହିଳାଙ୍କ ଗଳିତ ମୃତ ଦେହ ଉଦ୍ଧାର ହୋଇଛି। ମୃତ ମହିଳା ଜଣକ ହେଲେ କୁନୀ ନାଏକ। ଇନ୍ଦିରାନଗର ପଡାର କୁନୀ ନାୟକ ସ୍ୱାମୀଙ୍କ ମୃତ୍ୟୁ ପରେ ୫ ବର୍ଷର ଝିଅ ଆର୍ଯ୍ୟା ସହ ସାଗରପଡାର ଶୁଭେନ୍ଦୁ ହୋତାଙ୍କ ଘରେ ରହୁଥିଲେ। ଆଖପାଖ ଅଞ୍ଚଳରେ କାମଧନ୍ଦା କରି ଗୁଜୁରାଣ ମେଣ୍ଟାଉଥିଲେ ମା ଓ ଝିଅ।
ତେବେ ଗତ ସୋମବାର ସକାଳେ ଝିଅ ପାଖ ପଡୋଶୀଙ୍କ ପାଖକୁ ଯାଇ ତା ମାଁର ମୁହଁରୁ ପୋକ ବାହାରୁଥିବା କହିଥିଲା । ସ୍ଥାନୀୟଲୋକେ ଘରଭିତରକୁ ଯିବାରୁ ଘର ଭିତରେ ପ୍ରବଳ ଦୁର୍ଗନ୍ଧ ହେଉଥିବା ବେଳେ କୁନିଙ୍କ ଗଳିତ ମୃତ ଦେହ ପଡିଥିବା ଦେଖିବାକୁ ପାଇଥିଲେ ଏବଂ ପୋଲିସକୁ ଖବର ଦେଇଥିଲେ।
ଖବର ପାଇ ବଲାଙ୍ଗୀର ଏସଡିପିଓଙ୍କ ନେତୃତ୍ୱରେ ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ କୁନୀ ବିଭିନ୍ନ ସମୟରେ ଅସୁସ୍ଥ ହେଉଥିବା ନେଇ ଘର ମାଲିକ ଶୁଭେନ୍ଦୁ ହୋତା ସୂଚନା ଦେଇଛନ୍ତି। ଚାଇଲ୍ଡ ଲାଇନ୍ ର ସଦସ୍ୟମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଶିଶୁକନ୍ୟାକୁ ଉଦ୍ଧାର କରଛନ୍ତି।
ତେବେ ବର୍ତ୍ତମାନ ଝିଅଟି ତା ମାଆକୁ ଖୋଜୁଛି। କହୁଛି ମୋତେ ଭୋକ ଲାଗିଲେ କିଏ ଖୁଆଇଦେବ। ମୋର ବର୍ତ୍ତମାନ ଦେଖାଶୁଣା କିଏ କରିବ। କିଏ ମୋତେ ଝିଅ ବୋଲି ଡାକିବ। ଏମିତି ଅନେକ ପ୍ରଶ୍ନ କାନ୍ଦି କାନ୍ଦି ସେ ଲୋକଙ୍କୁ ପଚାରୁଛି।