ଆଜି ଭୁବନେଶ୍ଵର ସ୍ଥିତ ଲିଙ୍ଗରାଜ ରେଳଷ୍ଟେସନ ପାଖରୁ ଉଦ୍ଧାର ହୋଇଛି ଏକ ମୃତଦେହ ଯାହାର ପରିଚୟ ଜାଣିଲା ପରେ ହୋସ୍ ଉଡ଼ିଯିବ । ମୃତଦେହଟି ଜଣାଶୁଣା ସାମାଜିକ କର୍ମୀ ଆଦିତ୍ୟ ଦାଶଙ୍କର । ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦେଇଛି । ବ୍ୟବଚ୍ଛେଦ ରିପୋର୍ଟ ହିଁ କହିବ ଯେ ଏହା ଏକ ହତ୍ୟାକାଣ୍ଡ ନା ଥିଲା ଆତ୍ମହତ୍ୟା ।
କିଛି ଦିନ ତଳେ ବଲିଉଡ ଅଭିନେତା ସୁଶାନ୍ତ ସିଂଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ନିଜେ ନିଜ ଫେସବୁକରେ ଆକାଉଣ୍ଟରେ ଏକ ପୋଷ୍ଟ କରିଥିଲେ ଆଦିତ୍ୟ ଓ ଲେଖିଥିଲେ ଆତ୍ମହତ୍ୟା ଏକ ବିକଳ୍ପ ନୁହେଁ । ସୁଶାନ୍ତଙ୍କଠାରୁ ଏଭଳି ନିଷ୍ପତ୍ତି ଆଶା କରାଯାଇପାରେ । ହେଲେ ଆଜି ଯେତେବେଳେ ରେଳଲାଇନରୁ ସନ୍ଦେହ ଜନକ ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି, ସମସ୍ତଙ୍କ ମନରେ ଆଉ ଏକ ବଡ଼ ପ୍ରଶ୍ନ ଉଙ୍କି ମାରୁଛି ।
ଘଟଣାକୁ ଦେଖିଲେ ଲାଗୁଛି ଏହା ଏକ ଆତ୍ମହତ୍ୟା, କିନ୍ତୁ ଅନ୍ୟପକ୍ଷରେ ହତ୍ୟା ସନ୍ଦେହ ବି ଅଛି । ସାମାଜିକ କର୍ମୀ ଆଦିତ୍ୟଙ୍କ ଘର ବୌଦ୍ଧ ଜିଲ୍ଲାରେ ହୋଇଥିଲେ ସୁଦ୍ଧା ସେ ଭୁବନେଶ୍ଵର ସ୍ଥିତ ସୁନ୍ଦରପଦାରେ ଏକ ବୃଦ୍ଧାଶ୍ରମ ଚଲାଉଥିଲେ । କେବଳ ସେତିକି ନୁହେଁ “ପିପୁଲ ଫର୍ ସେବା” ନାମକ ଏକ ସଂଗଠନ ମାଧ୍ୟମରେ ସେ ସାମାଜିକ ସେବା ମଧ୍ୟ କରୁଥିଲେ ।
ସୋସିଆଲ ମିଡ଼ିଆରେ ସବୁବେଳେ ସକ୍ରିୟ ଥିବା ଆଦିତ୍ୟ ଦାଶ ଜଣେ ମୋଟିଭେସନାଲ ସ୍ପିକର ଭାବରେ ମଧ୍ୟ ଖୁବ୍ ଲୋକପ୍ରିୟ ଥିଲେ । ସୂଚନା ଅନୁଯାୟୀ ଗତ ଜୁନ ମାସରେ କଟକର ଖପୁରିଆଠାରେ ସେ ବିଦ୍ୟାଶ୍ରୀଙ୍କୁ ବିବାହ କରିଥିଲେ । ବିବାହର ମାସେ ନପୂରୁଣୁ ସେ କାହିଁକି ଆତ୍ମହତ୍ୟା କରିବେ ! ଏଣୁ ହତ୍ୟା ସନ୍ଦେହ ଉପୁଜିଛି ।
ସେପଟରେ ଦାମ୍ପତ୍ୟ ଜୀବନରେ କୌଣସି କଳହ ନଥିବା ବେଳେ ଗତ କିଛି ଦିନ ହେବ ଆଦିତ୍ୟ ଭୟଭୀତ ରହୁଥିଲେ ବୋଲି ତାଙ୍କ ପତ୍ନୀ କହିଛନ୍ତି । ଏଣେ ନିଶା ନିବାରଣ ଆନ୍ଦୋଳନରେ ସେ ସକ୍ରିୟ ଥିବା ହେତୁ ତାଙ୍କ ଜୀବନ ପ୍ରତି ବିପଦ ଥିବା ତଥ୍ୟ ବି ସାମ୍ନାକୁ ଆସିଛି । ଏହି ଘଟଣାର ତଦନ୍ତ ଆରମ୍ଭ ହେଇଯାଇଛି ।