ସଂସ୍କାର : ମଦ ପିଇବାକୁ ନେଇ ମାଆ-ପୁଅ ମଧ୍ୟରେ କଳି। ଆଉ ସେହି କଳିରୁ ଉପୁଜିଲା ରକ୍ତ ସଂଗ୍ରାମ। ମଦ ପିଇବାକୁ ଟଙ୍କା ନ ଦେବାରୁ ନିଜର ଜନ୍ମକଲା ମାଆକୁ ମରଣାନ୍ତକ ଆକ୍ରମଣ କଲା ପୁଅ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଆନନ୍ଦପୁର ଉପଖଣ୍ଡ ଘଷିୁରା ଥାନା ଅନ୍ତର୍ଗତ ଖଡ଼ିବିଲ ଗ୍ରାମରେ।
ସୂଚନାଅନୁସାରେ ଖଡ଼ିବିଲ ଗ୍ରାମର ଜଣେ ଯୁବକ ମଦ ପିଇବା ପାଇଁ ଟଙ୍କା ନଦେବା କାରଣରୁ ତାର ୫୦ ବର୍ଷୀୟ ମାଆଙ୍କୁ ଅତ୍ୟନ୍ତ ନିର୍ମମଭାବେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ରକ୍ତାକ୍ତ କରି ଦେଇଛି । ଅଭିଯୋଗ ଅନୁଯାୟୀ, ଗାଁର ମଣ୍ଟୁ ଜେନା ଶନିବାର ସକାଳେ ନିଶା ଦ୍ରବ୍ୟ ମଦ କିଣି ସେବନ କରିବା ପାଇଁ ତା ମା’ ରଙ୍ଗବତୀ ଜେନାଙ୍କୁ ୫୦୦ ଟଙ୍କା ମାଗିଥିଲା । କିନ୍ତୁ ୫୦୦ ଟଙ୍କା ଦେଇ ପାରିବେନି ବୋଲି ରଙ୍ଗବତୀ ତାଙ୍କ ମଦୁଆ ପୁଅକୁ କହିଥିଲେ। ଆଉ ରଙ୍ଗବତୀ ତାଙ୍କ ପୁଅକୁ ମଦ ପିଇବା ପାଇଁ କେବଳ ୩୦ ଟଙ୍କା ଦେଇଥିଲେ।
ଅନ୍ୟପଟେ ଆବଶ୍ୟକ ଅନୁଯାୟୀ ଟଙ୍କା ନ ମିଳିବାରୁ ମଣ୍ଟୁ ଏକ ଧାରୁଆ ଅସ୍ତ୍ରରେ ନିଜ ମା’ ରଙ୍ଗବତୀଙ୍କୁ ଆକ୍ରମଣ କରିଥିଲା । ଫଳରେ ରଙ୍ଗବତୀଙ୍କ ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଥିଲା। ଆଉ ସେ ଚେତାଶୂନ୍ୟ ହୋଇ ତଳେ ପଡ଼ିଯାଇଥିଲେ। ତେବେ ସ୍ଥାନୀୟ ଲୋକେ ପୋଲିସକୁ ଜଣାଇବା ପରେ ପୋଲିସ୍ ଆସିବା କ୍ଷଣି ମଣ୍ଟୁ କେଉଁ ଆଡ଼େ ଫେରାର୍ ରହିଛି। ତେବେ ପୋଲିସ୍ ଏବଂ ସ୍ଥାନୀୟ ଲୋକେ ରଙ୍ଗବତୀଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଆଉ ତାଙ୍କ ଅବସ୍ଥା ଗୁରୁତର ରହିଛି ବୋଲି ଡାକ୍ତର କହିଛନ୍ତି।