ନାକ ଅସ୍ତ୍ରୋପଚାର ମହଙ୍ଗା ପଡ଼ିଛି ମହିଳାଙ୍କୁ : କାଟିବାକୁ ପଡ଼ିଲା ଦୁଇଟାଯାକ ଗୋଡ଼

ସୁନ୍ଦର ଚେହେରା ପାଇବା ପାଇଁ ନାକ ଅସ୍ତ୍ରୋପଚାର ଜଣେ ମହିଳାଙ୍କୁ ମହଙ୍ଗା ପଡ଼ିଛି । ତୁର୍କୀର ଏକ ପ୍ଲାଷ୍ଟିକ୍ ସର୍ଜରୀ କ୍ଲିନିକରୁ ନାକର ଅସ୍ତ୍ରୋପଚାର କଲାପରେ ବାଧ୍ୟତାମୂଳକ ତାଙ୍କୁ ତାଙ୍କର ଆଣ୍ଠୁ ତଳକୁ ଦୁଇ ଗୋଡ଼ କଟାଇବାକୁ ପଡ଼ିଛି । ୨୫ ବର୍ଷୀୟ ସେଭିଙ୍କ ସେକଲିକ ଇସ୍ତାନବୁଲର ଏକ ଘରୋଇ ଡାକ୍ତରଖାନାରୁ ‘ନାକ ଛୋଟେଇବା ଅସ୍ତ୍ରୋପଚାର’ କରାଇଥିଲେ । ସେଭିଙ୍କଙ୍କର କୌଣସି ଧାରଣା ନଥିଲା ଯେ ଏହି ଅସ୍ତ୍ରୋପଚାର ତାଙ୍କ ଗୋଡ଼ ହରାଇବାର କାରଣ ହେବ ।

ରିପୋର୍ଟ ଅନୁଯାୟୀ, ମଇ ୨ ତାରିଖ ୨୦୧୪ ମସିହାରେ ଦୁଇ ଘଣ୍ଟିଆ ଅସ୍ତ୍ରୋପଚାର ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିଲା । ଏହାପରେ ଡାକ୍ତର ତାଙ୍କୁ ଡିସଚାର୍ଜ କରିଥିଲେ ଓ ସେ ଘରକୁ ଆସିଥିଲେ । ହେଲେ ଘରେ ପହଞ୍ଚିଲା ପରେ ତାଙ୍କୁ ଜ୍ଵର ହେଲା । କିନ୍ତୁ ଡାକ୍ତରମାନେ ବାରମ୍ବାର ସେ ସୁସ୍ଥ ଅଛନ୍ତି ବୋଲି ସେଭିଙ୍କଙ୍କୁ ଆଶ୍ଵସ୍ତି ଦେଲେ । ହେଲେ ଯେତେବେଳେ ସପ୍ତାହେ ପରେ ସେ ଡାକ୍ତରଖାନା ଗଲେ ସେଠାରେ ଉପସ୍ଥିତ ଥିବା ସମସ୍ତ କର୍ମଚାରୀଙ୍କୁ ହଟାଇ ଦିଆଯାଇଥିଲା ।

ଡାକ୍ତରଙ୍କ କହିବାନୁସାରେ ଦେଖାଯାଉଥିବା ଲକ୍ଷଣ ସବୁ ସ୍ୱାଭାବିକ ଏବଂ ଭୟଭୀତ ହେବାର କିଛି ନାହିଁ । ଅସ୍ତ୍ରୋପଚାର ପରେ ଏହିପରି ଲକ୍ଷଣ ପ୍ରାୟତଃ ଦେଖାଯାଏ । ଡାକ୍ତରଙ୍କ ଆଶ୍ୱାସନା ସତ୍ତ୍ୱେ ସେଭିଙ୍କଙ୍କ ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଥିଲା । ସେଭିଙ୍କଙ୍କ ଭାଇ କହିଛନ୍ତି ଯେ ଅସ୍ତ୍ରୋପଚାର ପରେ ତାଙ୍କ ଭଉଣୀ ଖାଇବା ପିଇବା ଛାଡ଼ି ଦେବା ହେତୁ ଅସୁସ୍ଥ ହୋଇପଡ଼ିଥିଲେ । ତା ଗୋଡ଼ କଳା ପଡ଼ି ସାରିଥିଲା । ଅବସ୍ଥା ଗୁରୁତର ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ଜରୁରୀକାଳୀନ ଡାକ୍ତରମାନେ ସେଭିଙ୍କଙ୍କ ପରିବାରକୁ ୯ ଜୁନରେ କହିଥିଲେ ଯେ ସେଭିଙ୍କ ରକ୍ତ ବିଷାକ୍ତ ହୋଇଯାଇଛି । ତାଙ୍କୁ ବଞ୍ଚାଇବାକୁ ହେଲେ ଗୋଡ଼ କାଟିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ । ଶେଷରେ, ସେଭିଙ୍କଙ୍କ ଜୀବନ ବଞ୍ଚାଇବାକୁ ଡାକ୍ତରମାନଙ୍କୁ ତାଙ୍କ ଆଣ୍ଠୁ ତଳୁ ଗୋଡ଼ କାଟିବାକୁ ପଡ଼ିଲା । ଏହି ମାମଲାରେ ସେଭିଙ୍କ ଡାକ୍ତରଖାନା ପ୍ରଶାସନ ବିରୋଧରେ ଅଭିଯୋଗ ଆଣି ଏକ କୋଟି ଟଙ୍କା (୧,୭୭,୩୯୯ ଅଷ୍ଟ୍ରେଲିୟ ଡଲାର) କ୍ଷତିପୂରଣ ଦାବି କରିଛନ୍ତି ।

ଅନ୍ୟପକ୍ଷରେ ଡାକ୍ତରଖାନା କର୍ମଚାରୀଙ୍କ କହିବା କଥା ଯେ ଏ ଘଟଣା ପାଇଁ ସେମାନଙ୍କୁ ଦାୟୀ କରିବା ଠିକ୍ ନୁହେଁ । ଏହା ରକ୍ତ ବିଷାକ୍ତ ଅସ୍ତ୍ରୋପଚାରର ଦୁଇ ସପ୍ତାହ ପରେ ଏବଂ ଡାକ୍ତରଖାନାରେ ଭର୍ତ୍ତି ହେବାର କିଛି ଦିନ ପୂର୍ବରୁ ଚିକେନ୍ ଖାଇବାର ଫଳାଫଳ ଥିଲା । ଏହି ପ୍ରସଙ୍ଗରେ କୋର୍ଟ ବିଶେଷଜ୍ଞଙ୍କ ରିପୋର୍ଟ ମାଗିଛନ୍ତି । ତେବେ ଆସନ୍ତା ବର୍ଷ ଅପ୍ରେଲରେ ଏନେଇ ନିଷ୍ପତ୍ତି ନିଆଯିବ ବୋଲି କୋର୍ଟ କହିଛି ।

Leave a Reply

Your email address will not be published. Required fields are marked *