ବାଲେଶ୍ଵର : ବାଲେଶ୍ଵର ସହର ନିକଟରେ ଥିବା ସିନ୍ଦୁରୀ ଗାଁର ଯୁବକ ଶିବଜୀ ଚୌଧୁରୀ । ବ୍ୟାଟେରି ଚାଳିତ ଏକ ବାଇକ ତିଆରି କରିଛନ୍ତି ଯାହାର ନାମ ଦେଇଛନ୍ତି ସିଟି ରାଇଡ୍ । ଏହା ଅଟୋମ୍ୟାଟିକ ଷ୍ଟାର୍ଟ ହୋଇପାରିବ । ଘଣ୍ଟା ପ୍ରତି ୬୦ ରୁ ୬୫ କିଲୋମିଟର ପର୍ଯ୍ୟନ୍ତ ମଧ୍ୟ ଚାଲିପାରିବ ।
ଏ ଲକଡାଉନ ସମୟରେ ମାତ୍ର ୨୭ରୁ ୨୮ ଦିନ ଭିତରେ ଏପରି ଏକ ବାଇକ ନିର୍ମାଣ କରିବାରେ ଶିବଜୀ ସଫଳ ହୋଇଛନ୍ତି ଯାହା ତାଙ୍କୁ ଭବିଷ୍ୟତରେ ପ୍ରସିଦ୍ଧି ଆଣିଦେବ । ଶିବଜୀ ଜଣେ ଆଇ.ଟି.ଆଇ. ଇଲେକ୍ରୋନିକ ଛାତ୍ର । ତାଙ୍କର ଏକ ମୋବାଇଲ ଦୋକାନ ରହିଛି । ଲକଡାଉନରେ ଯେତେବେଳେ ସମସ୍ତେ ଗୃହବନ୍ଦୀ ଜୀବନ କାଟି ବ୍ୟସ୍ତ ବିବ୍ରତ ସେ ସମୟରେ ଶିବଜୀ ବିନା ପ୍ରେଟ୍ରୋଲ ଓ ପ୍ରଦୂଷଣ ମୁକ୍ତ ବାଇକ ନିର୍ମାଣ କରିପାରିଛନ୍ତି ।
ଶିବଜୀ କୁହନ୍ତି ପିଲାଟିବେଳୁ ତାଙ୍କୁ ଇଲେକ୍ଟ୍ରୋନିକ ଜିନିଷ ତିଆରି କରିବାରେ ଆଗ୍ରହ । ମୋବାଇଲ ଦୋକାନରେ ବସିବା ସହିତ ସମୟ କାଢି ସବୁବେଳେ କିଛି ନା କିଛି ନୂଆ ତିଆରି କରିବାରେ ସେ ବ୍ୟସ୍ତ ରୁହନ୍ତି । ଯେହେତୁ ସେ ଜଣେ ଆଇ.ଟି.ଆଇ. ଇଲେକ୍ରୋନିକ ଛାତ୍ର ତେଣୁ ସେ ଚିନ୍ତା କଲେ କିପରି ଇଲେକ୍ଟ୍ରୋନିକ ବାଇକଟିଏ ନିର୍ମାଣ କରିବେ । ବିଦ୍ୟୁତ ଚାଳିତ ହୋଇଥିବାରୁ ଏହା ପ୍ରଦୂଷଣ ମୁକ୍ତ ବି ହେବ ।
ତାଙ୍କ ତିଆରି ସିଟି ରାଇଡ୍ ବାଇକରେ ଜିଟିଟାଲ ମିଟର ଲାଗିଛି । ବ୍ୟାକ୍ ଗିୟର ଲାଗିଛି । ସବୁଠାରୁ ବଡ଼ କଥା ଯେ ଏ ବାଇକକୁ ସହଜରେ କେହି ଚୋରି କରିପାରିବ ନାହିଁ । ଏରୋଡାଇନାମିକ୍ ଡିଜାଇନ୍ ସହିତ ଏ ବାଇକ ପ୍ରସ୍ତୁତ ହେଇଛି ଓ ଏହା କରିବା ପାଇଁ ତାଙ୍କୁ ତାଙ୍କ ଭାଇମାନେ ବି ସହଯୋଗ କରିଥିଲେ ବୋଲି କୁହନ୍ତି ଶିବଜୀ ଚୌଧୁରୀ ।
ଲକଡାଉନ ହେତୁ ବାହାରକୁ ଯାଇ କିଛି ଆଣି ନହେବାରୁ ବାଇକଟି ପୂରଣ କରିବା ପାଇଁ ଅଳ୍ପ କିଛି ବାକି ଅଛି । ତଥାପି ବାଇକଟି ୯୮ ପ୍ରତିଶତ ସଂପୂର୍ଣ୍ଣ ହେଇସାରିଛି । ବାଇକଟି ନିର୍ମାଣ କରିବା ପାଇଁ ତାଙ୍କୁ ପ୍ରାୟ ୩୮ରୁ ୪୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଛି । ଏ ବାଇକକୁ ଷ୍ଟାର୍ଟ କରିବାକୁ ରିମୋର୍ଟ ଫ୍ୟାସିଲିଟି ବି ସେ ରଖିଛନ୍ତି ।