ଘଟଣାକୁ ବିଶ୍ଵାସ କରି ନହେଲେ ବି ଖବରଟି ସତ । ମୁମ୍ବାଇର ବାନ୍ଦ୍ରାରେ ନିଜ ବାସଭବନରେ ରସି ଲଗାଇ ହିନ୍ଦୀ ସିନେ ଜଗତର ଚର୍ଚ୍ଚିତ ଯୁବ ଅଭିନେତା ସୁଶାନ୍ତ ସିଂ ଆତ୍ମହତ୍ୟା କରିଛନ୍ତି ବୋଲି ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୪ ବର୍ଷ । ଘରର ଜଣେ ସହାୟକ ଫୋନ ଦ୍ଵାରା ପୋଲିସକୁ ଖବର ଦେଇଥିଲେ ଓ ଘଟଣାସ୍ଥଳରେ ବାନ୍ଦ୍ରା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛି ।
ମୃତ୍ୟୁର କାରଣ ଏଯାଏଁ ଅସ୍ପଷ୍ଟ ଯଦିଓ ପ୍ରାଥମିକ ଭାବରେ ଏହାକୁ ଏକ ଦୁର୍ଘଟଣା ଜନିତ ମାମଲା ହିସାବରେ ନେଇ ପୋଲିସ ଘଟଣାର ତଦନ୍ତ କରୁଛି । ତାଙ୍କ ମୃତଦେହ ଜବତ କରି ପୋଲିସ ପୋଷ୍ଟମର୍ଟମ ପାଇଁ ପଠାଇଦେଇଛି ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ହିଁ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ ।
“ପବିତ୍ର ରିସ୍ତା” ଟେଲି-ସିରିୟଲରୁ ଅଭିନୟ କ୍ୟାରିୟର ଆରମ୍ଭ କରି ଲୋକପ୍ରିୟତା ହାସଲ କରିଥିବା ସୁଶାନ୍ତ “ଏମ୍.ଏସ୍ ଧୋନି : ଦ ଅନ୍ଟୋଲ୍ଡ୍ ଷ୍ଟୋରୀ” ଫିଲ୍ମରେ ଅଭିନୟ କରି ବେଶ ସଫଳତା ସାଉଁଟି ପାରିଥିଲେ । ବକ୍ସ ଅଫିସ୍ରେ ଫିଲ୍ମଟି ହିଟ୍ ବି ହୋଇଥିଲା । ଶ୍ରଦ୍ଧା କପୁରଙ୍କ ବିପକ୍ଷରେ ୨୦୧୯ ରେ ତାଙ୍କୁ “ଛିଛୋରେ” ଫିଲ୍ମରେ ଦେଖିବାକୁ ମିଳିଥିଲା । ଏମିତିକି ତାଙ୍କର ଆଗାମୀ ଫିଲ୍ମ ଥିଲା ‘ଦିଲ୍ ବେଚାରା’ । ଏହାଛଡ଼ା ସେ ଚଳଚିତ୍ର ଜଗତକୁ ଆସିଥିଲେ “କାଇ ପୋ ଚେ”ରୁ । “ପିକେ”, ”ରାବତ୍”, “କେଦାରନାଥ” ଆଦି ଫିଲ୍ମରେ ବି ସେ ଅଭିନୟ କରିଥିଲେ ।
ଏଇ କିଛି ଦିନ ତଳେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ସଲିଆନ ବି ଆତ୍ମହତ୍ୟା କରିଥିଲେ । ସୂଚନା ଅନୁଯାୟୀ ଦିଶା ମୁମ୍ବାଇରେ ଥିବା ନିଜ ବାସଭବନ ଛାତ ଉପରୁ ଡେଇଁ ଆତ୍ମହତ୍ୟା କରିଥିଲେ ବୋଲି ସୂଚନା ମିଳିଛି ।
ଘଟଣା ଶୁଣି ଅନୁପମ ଖେର ଟ୍ଵିଟ କରି ଗଭୀର ଶୋକ ପ୍ରକାଶ କରିଛନ୍ତି ଓ କହିଛନ୍ତି ଯେ ମୋ ପ୍ରିୟ ସୁଶାନ୍ତ ସିଂ ରାଜପୁତ… ଏମିତି କାହିଁକି … କାହିଁକି …???