ରାଜଧାନୀ ଉପକଣ୍ଠରେ ଥିବା ଲକ୍ଷ୍ମୀ ରେସିଡେନ୍ସି ପକ୍ଷରୁ ବଡ଼ ଅଭିଯୋଗ : ସିଲ୍ କରି ଦାୟିତ୍ଵ ଭୁଲିଗଲେ ପ୍ରଶାସନ

ଭୁବନେଶ୍ଵର : ମଇ ୧୦ ତାରିଖ ଦିନ ଭୁବନେଶ୍ଵରର ୱାର୍ଡ ନମ୍ବର ୪ରେ ଥିବା ରୁଦ୍ରପୁର ସ୍ଥିତ ଲକ୍ଷ୍ମୀ-ରେସିଡେନ୍ସିକୁ ସିଲ୍‌ କରିଦିଆ ଯାଇଥିଲା । ଏହି ରେସିଡେନ୍ସିରେ ରହୁଥିବା ଜଣେ ବ୍ୟକ୍ତି କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ଜୁନ ୬ ତାରିଖ ପର୍ଯ୍ୟନ୍ତ ସିଲ୍‌ କରି ଦିଆଯାଇଛି । ସୂଚନା ଅନୁଯାୟୀ ଉକ୍ତ ରେସିଡେନ୍ସିରେ ୨୩୦ ଜନସଂଖ୍ୟା ବିଶିଷ୍ଟ ୭୫ଟି ପରିବାର ରୁହନ୍ତି ।

ରେସିଡେନ୍ସି ସିଲ୍‌ ହେବାର ୭ ଦିନ ବିତିଯାଇଥିଲେ ବି ସେଠାରେ ରହୁଥିବା ବାସିନ୍ଦାଙ୍କୁ ପରିବା, ରାସନ୍‌ଠାରୁ ଆରମ୍ଭ କରି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବାକୁ ବିଏମ୍‌ସି ଭୁଲିଯାଇଛି । ଏ ପର୍ଯ୍ୟନ୍ତ ନା ଅତି ଆବଶ୍ୟକ ସାମଗ୍ରୀ ମିଳିପାରୁଛି ନା ଆପାର୍ଟମେଣ୍ଟକୁ ବିଶୋଧନ କରାଯାଇଛି । ଏହି ଅଭିଯୋଗ ଥିଲା ଲକ୍ଷ୍ମୀ ରେସିଡେନ୍ସି ମାଲିକ ତଥା ୱେଲ୍‌ଫେୟାର ଆସୋସିଏସନ୍‌ର କର୍ମକର୍ତ୍ତାଙ୍କର ।

ସେ କହିଛନ୍ତି ଯେ ଆମ ଆପାର୍ଟମେଣ୍ଟରେ ରହୁଥିବା ଜଣେ ଅନୁଗୁଳ ବାସିନ୍ଦା କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପୁରା ଆପାର୍ଟମେଣ୍ଟ ସିଲ୍‌ କରିବାକୁ ଆମେ ସମର୍ଥନ ଦେଇଥିଲୁ । ହେଲେ ଆପାର୍ଟମେଣ୍ଟ ବାସୀଙ୍କୁ କିଭଳି ଅତ୍ୟାବଶ୍ୟକ ସାମଗ୍ରୀ ମିଳିବ, ସେ ବ୍ୟବସ୍ଥା ଏଯାଏଁ ବିଏମ୍‌ସି କରି ନାହିଁ । ଏପରିକି ନିଜ ସମ୍ପର୍କୀୟ କିମ୍ବା ବନ୍ଧୁବାନ୍ଧବଙ୍କୁ କହି ଏସବୁ ଯୋଗାଡ଼ କର କହି କର୍ତ୍ତୃପକ୍ଷ ନିଜ ଦାୟିରୁ ହାତ ଛାଡ଼ି ଦେଇଛନ୍ତି ।  

ଏଠି ଆମେ ୭୫ଟି ପରିବାର ରହୁଛୁ। ଏତେ ଜଣଙ୍କ ପାଇଁ ମୌଳିକ ସୁବିଧା ଯୋଗାଇବା ପ୍ରଶାସନ ଉଚିତ ମନେ କଲାନି ! ସିଲ୍‌ ଅଞ୍ଚଳ ହୋଇଥିବାରୁ କେହି ଏଠାକୁ ଆସିବାକୁ ରାଜି ହେଉନାହାନ୍ତି । କିଛି ଦିନ ତଳେ ବିଶୋଧନ ପାଇଁ ଗାଡ଼ି ଆସିଥିଲା । କିନ୍ତୁ ‌ଆପାର୍ଟମେଣ୍ଟ ଗେଟ୍‌ ଛୋଟ ଥିବାରୁ ତାହା ବାହାରୁ ହିଁ ସ୍ପ୍ରେ’ କରି ଚାଲିଯାଇଥିଲା ।

ଆ‌ପାର୍ଟମେଣ୍ଟଟା ରାସ୍ତାଠାରୁ ୧୨୦ ମିଟର ଭିତରକୁ ହୋଇଥିବାରୁ ଠିକ୍‌ ଭାବେ ଏହା ବିଶୋଧିତ ହୋଇପାରିଲା ନାହିଁ । ତେଣୁ ପରବର୍ତ୍ତୀ ସମୟରେ ଆସୋସିଏସନ୍‌ ପକ୍ଷରୁ ନିଜ ଉଦ୍ୟମରେ ରେସିଡେନ୍ସିକୁ ବି‌ଶୋଧିତ କରାଯାଇଛି । ଅନ୍ୟପକ୍ଷରେ ମଇ ୧୫ ଅର୍ଥାତ ଗତକାଲି ୬ ଜଣିଆ ଡାକ୍ତରୀ ଦଳ ଆସି ଆପାର୍ଟମେଣ୍ଟ ବାସିନ୍ଦାଙ୍କ ସମସ୍ତ ତଥ୍ୟ ନେବା ସହିତ ସ୍ୱାସ୍ଥ୍ୟ ପରୀକ୍ଷା ବି କରିଥିଲେ । ଶନିବାର ଦିନ ସ୍ଵାବ୍‌ ଟେଷ୍ଟ୍‌ ହେବ କହି ଆଉ ଆସିଲେ ନାହିଁ ବୋଲି ଆସୋସିଏସନ୍ ପକ୍ଷରୁ ଅଭି‌ଯୋଗ ହୋଇଛି ।

Leave a Reply

Your email address will not be published. Required fields are marked *