ଏଣିକି ଏକାଠି ରହିପାରିବେ ପ୍ରାପ୍ତ ବୟସ୍କ ପ୍ରେମୀ ଯୁଗଳ : ଜାଣନ୍ତୁ କ’ଣ ରହିଛି ସର୍ତ୍ତ

ଦୁଇ ପ୍ରାପ୍ତ ବୟସ୍କ ପ୍ରେମୀଯୁଗଳ ଏକାଠି ରହିବାର ସବୁ ପ୍ରକାର ଅଧିକାର ରହିଛି ବୋଲି ରାୟ ଶୁଣାଇଛନ୍ତି ପଞ୍ଜାବ ଓ ହରିୟାଣା ହାଇକୋର୍ଟ ।  ଅଳକା ଶରିନଙ୍କ ଖଣ୍ଡପୀଠ କହିବାନୁଯାୟୀ ପୁଅର ବିବାହ ବୟସ ​‌ହୋଇନଥିଲେ ମଧ୍ୟ ସେ ନିଜ ପ୍ରେମିକାଙ୍କ ସହିତ ଏକାଠି ରହିପାରିବ । ଅର୍ଥାତ୍ କେବଳ ପୁଅର ବିବାହ ବୟସ ହୋଇନି କେହି ଅଲଗା କରିପାରିବେ ନାହିଁ ପ୍ରେମୀ ଯୁଗଳଙ୍କୁ ।

ସମ୍ବିଧାନ ଅନୁଯାୟୀ ଜଣେ ସାବାଳକ କିମ୍ବା ଜଣେ ସାବାଳିକା କେମିତି ନିଜର ଜୀବନ ଅତିବାହିତ କରିବେ ତାହାର ନିଷ୍ପତ୍ତି ସମ୍ପୂର୍ଣ୍ଣ ସେମାନଙ୍କର । ନିଜ ପାଇଁ ଜୀବନସାଥୀଟିଏ ଖୋଜିବାର ଅଧିକାର ରହିଛି ସେମାନଙ୍କର । ତେବେ ଏହି ମାମଲାରେ ପିତାମାତା ସେମାନଙ୍କୁ ସେମାନଙ୍କ ଇଚ୍ଛା ବିରୋଧରେ କାହା ସହିତ ରହିବା ପାଇଁ ବାଧ୍ୟ କରିପାରିବେ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି ।

ଖବର ମୁତାବକ ପ୍ରେମୀଯୁଗଳ ନିଜ ଜୀବନ ପ୍ରତି ବିପଦ ଥିବା ନେଇ ପୋଲିସକୁ ଜଣାଇଲା ପରେ ପୋଲିସ କିଛି ଶୁଣି ନଥିଲା । ଯୁବତୀକୁ ୧୯ ବର୍ଷ ହୋଇଥିଲାବେଳେ ଯୁବକ ଜଣକ ମାତ୍ର ୨୦ ବର୍ଷ ବୟସର । ସେପଟେ ଯୁବତୀଙ୍କ ପରିବାର ଜାଣିପାରିବାରୁ ସେମାନଙ୍କୁ ବାରମ୍ବାର ଧମକ ଦେଉଥିଲେ ଯାହାର ଅଭିଯୋଗ ନେଇ ପ୍ରେମୀ ଯୁଗଳ ଶେଷରେ କୋର୍ଟର ଆଶ୍ରୟ ନେଇଥିଲେ । ଅଭିଯୋଗକୁ ନେଇ ହାଇକୋର୍ଟ ଶୁଣାଣି କରି ସେମାନଙ୍କୁ ଯଥାଶୀଘ୍ର ସୁରକ୍ଷା ଯୋଗାଇ ଦେବାକୁ ଫତେଗଡ଼ ସାହେବ ଏସଏସପିଙ୍କୁ ନିର୍ଦ୍ଦେଶ ଦେଇଛି ।

ସୂଚନାଥାଉ ଯେ ପ୍ରେମୀଯୁଗଳଙ୍କ ପରିବାର ମଧ୍ୟରେ ବିବାଦ ଉଗ୍ର ରୂପ ନେଇଥିଲା ବେଳେ ଯୁବତୀଙ୍କୁ ମାଡ଼ପିଟ୍‌ ହୋଇଥିବା ମଧ୍ୟ ଜଣାପଡ଼ିଛି । ତେବେ ଡିସେମ୍ବର ୨୦ ତାରିଖରେ ଯୁବକ ଓ ଯୁବତୀ ଘର ଛାଡ଼ି ଏକାଠି ରହିଥିଲେ ।

Leave a Reply

Your email address will not be published. Required fields are marked *