ଓମିକ୍ରନ୍‌ ଭାଇରସର ମାମଲା ଓଡ଼ିଶାରେ ଚିହ୍ନଟ ହେବା ପରେ ଭୟଭୀତ ହେଲେଣି ଲୋକେ…

ସଂସ୍କାର : କରୋନା ଭାଇରସ୍ ନୂଆ ଭାରିଆଣ୍ଟ ଓମିକ୍ରନ୍‌ ବର୍ତ୍ତମାନ ଲୋକଙ୍କୁ ଭୟଭୀତ କରାଇବାରେ ଲାଗିଛି। ବିଶ୍ୱରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଏହି ଭାରିଆଣ୍ଟର ମାମଲା। ଏହିକ୍ରମରେ ଭାରତକୁ ବି ପ୍ରବେଶ କରିସାରିଛି ଓମିକ୍ରନ୍‌। ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଭଳି ଆମର କେତେକ ପଡ଼ୋଶୀ ରାଜ୍ୟରେ ‘ଓମିକ୍ରନ୍‌’ ଆକ୍ରାନ୍ତ ଚିହ୍ନଟ ହୋଇସାରିଲାଣି। କିଛିଦିନ ଧରି ଆମ ରାଜ୍ୟରେ କରୋନାର ‘ଓମିକ୍ରନ୍‌’ ପ୍ରଜାତିକୁ ନେଇ ଚିନ୍ତା ରହିଆସିଛି। ଏପରିସ୍ଥଳେ ଏହି ଚିନ୍ତାକୁ ବଢ଼ାଇଛନ୍ତି ଜଣେ ନାଇଜେରୀୟ ଫେରନ୍ତା। ସେ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହେବାପରେ ଏହାକୁ ନେଇ କଟକ ସମେତ ସାରାରାଜ୍ୟରେ ଆଲୋଚନା ଜୋର ଧରିଛି।

ଅନ୍ୟପଟେ, ସହରର ମେରିଆବଜାରସ୍ଥିତ ଗୋଟିଏ ପରିବାରର ୭ଜଣ ସଦସ୍ୟଙ୍କ କୋଭିଡ୍‌ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହି ୭ଜଣଙ୍କ ନମୁନା ମଧ୍ୟ ଜିନ୍‌ ଅନୁଶୀଳନ ପାଇଁ ପଠାଯାଇଥିବା ଜିଲ୍ଲା କୋଭିଡ୍‌ ନୋଡାଲ ଅଫିସର ଡାକ୍ତର ଉମେଶ ରାୟ ସୂଚନା ଦେଇଛନ୍ତି। ଏଥିସହିତ ଯେଉଁ ବିଦେଶ ଫେରନ୍ତା କଟକ ଫେରିଛନ୍ତି ସେମାନଙ୍କ ଟେଷ୍ଟିଂ କିପରି ତୁରନ୍ତ କରାଯିବ, ତା’ ଉପରେ ସ୍ବାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ଯୋଜନା କରିଥିବା ସେ ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଏହି ବିଦେଶୀ ଫେରନ୍ତା ହେଉଛନ୍ତି ଜଗତ୍‌ସିଂହପୁର ଏରସମା ଅଞ୍ଚଳର ଲୋକ। ତାଙ୍କ ବୟସ ୪୧ ବର୍ଷ। ସେ ‘ହାଇରିସ୍କ’ ଦେଶ ନାଇଜେରିଆରୁ ପ୍ରତ୍ୟାବର୍ତ୍ତନ କରି ଗତ ଗୁରୁବାର ସନ୍ଧ୍ୟାରୁ କଟକର ଦୋଳମୁଣ୍ଡାଇ ଅଞ୍ଚଳର ଏକ ହୋଟେଲରେ ରହିଥିଲେ। ସେ ବିଦେଶ ଫେରନ୍ତା ହୋଇଥିବାରୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତାଙ୍କ ସ୍ବାବ୍‌ ପରୀକ୍ଷା କରାଯାଇଥିଲା। ଗତ ୧୮ ତାରିଖରେ ତାଙ୍କର ରିପୋର୍ଟ ପଜିଟିଭ୍‌ ଆସିଛି। ଏହା ଜଣାପଡ଼ିବା ପରେ ତାଙ୍କୁ ତୁରନ୍ତ ସିଡିଏସ୍ଥିତ ଅଶ୍ବିନୀ କୋଭିଡ୍‌ ହସ୍ପିଟାଲ୍‌ରେ ସ୍ୱତନ୍ତ୍ର ଆଇସଲେସନ୍‌ରେ ରଖାଯାଇଛି। ‌ହୋଟେଲର ୬ଜଣ କର୍ମଚାରୀ ସିଧାସଳଖ ତାଙ୍କ କଣ୍ଟାକ୍ଟ୍‌ରେ ଆସିଥିବାରୁ ସେମାନଙ୍କୁ ଗୃହ ସଂଗରୋଧରେ ରଖାଯାଇଛି। ୭ଦିନ ପରେ ସେମାନଙ୍କ ଟେଷ୍ଟିଂ କରାଯିବ ବୋଲି ସିଏମ୍‌ସି ପକ୍ଷରୁ କୁହାଯାଇଛି।

ସ୍ବାସ୍ଥ୍ୟ ବିଭାଗ ଓ ଘରୋଇ ମେଡିକାଲ କର୍ତ୍ତୃପକ୍ଷ ଅତ୍ୟନ୍ତ ସତର୍କତା ସହିତ ତାଙ୍କ ଉପରେ ନଜର ରଖିଛନ୍ତି। ତାଙ୍କ କକ୍ଷରେ କାର୍ଯ୍ୟ କରୁଥିବା ଡାକ୍ତର, ନର୍ସ ଓ କର୍ମଚାରୀଙ୍କୁ କେବଳ ଆଇସୋଲେସନ୍‌ ୱାର୍ଡ ଦାୟିତ୍ବ ଦିଆଯାଇଛି ଏବଂ ଉକ୍ତ ବିଦେଶ ଫେରନ୍ତାଙ୍କ ପାଇଁ ସ୍ବତନ୍ତ୍ର ଗାଇଡ୍‌ଲାଇନ୍‌ ଅନୁସାରେ ଚିକିତ୍ସା କରାଯାଉଛି।

ଅନ୍ୟପଟେ କଟକ ମେରିଆବଜାର ଅଞ୍ଚଳର ଗୋଟିଏ ପରିବାରର ୭ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହି ଘଟଣାକୁ ବି ଗୁରୁତର ସହିତ ନେଇଛି ସ୍ବାସ୍ଥ୍ୟ ବିଭାଗ। ସମସ୍ତଙ୍କର ନମୁନା ପରୀକ୍ଷା ପାଇଁ ପଠାଯାଇଛି। ସେମାନଙ୍କ ‘ଭ୍ରମଣ ବିବରଣୀ’ କିଛି ରହିଛି କି, କାହାର ସଂସ୍ପର୍ଶ‌ରେ ସେମାନେ ଆସିଛନ୍ତି; ସେ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗ ତର୍ଜମା କରୁଥିବା ଜିଲ୍ଲା କୋଡିଭ୍‌ ନୋଡାଲ ଅଫିସର ଡାକ୍ତର ରାୟ ସୂଚନା ଦେଇଛନ୍ତି।

ଅପରପକ୍ଷରେ ରାଜ୍ୟକୁ ବିଦେଶ ଫେରନ୍ତାଙ୍କ ସଂଖ୍ୟା ଲମ୍ବିବାରେ ଲାଗିଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଓମିକ୍ରନ୍ ଆଟ ରିସ୍କ ଦେଶରୁ ୧୫ଶହ ବିଦେଶ ଫେରନ୍ତା ଆସିଥିବା କୁହାଯାଉଛି। ମାତ୍ର ଏହି ସଂଖ୍ୟା ଆହୁରି ଅଧିକ ହେବ ବୋଲି ସ୍ପଷ୍ଟ ହେବାରେ ଲାଗିଛି। ଦେଶରେ ଅନେକ ଓମିକ୍ରନ୍ ଆକ୍ରାନ୍ତ ବିଦେଶରୁ ଆସି ନ ଥିଲେ ମଧ୍ୟ ସେମାନେ ଏଥିରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି। ବିଶ୍ବରେ ଏବେ ଯେଉଁଭଳି ଭାବେ ଓମିକ୍ରନ୍ ବ୍ୟାପିବାରେ ଲାଗିଛି ତେଣୁ ଆଟ ରିସ୍କ ଦେଶରୁ ନ ଆସିବା ବ୍ୟକ୍ତିମାନଙ୍କୁ ଠାବ କରିବା ମଧ୍ୟ ଜରୁରୀ ହୋଇ ପଡ଼ିଛି।

Leave a Reply

Your email address will not be published. Required fields are marked *