ଦାମ୍ପତ୍ୟ ଜୀବନର ଅବୁଝାମଣା ଏବେ ଆଉ ଚାରିକାନ୍ଥ ଭିତରେ ନାହିଁ, ବରଂ ଗଣମାଧ୍ୟମରେ ଏକ ବିଶେଷ ଖବର ହେଇ ପ୍ରତିଦିନ ପ୍ରକାଶ ପାଇପାରେ ଲାଗିଛି । ତେବେ ଗୋଟିଏ ପଟେ ମାନବାଧିକାର ସଂଗଠନ ଇଣ୍ଟରନ୍ୟାସନାଲ୍ ହ୍ୟୁମାନ ରାଇଟ୍ସ କମିସନର ପାଞ୍ଚ ଜଣ କର୍ମକର୍ତ୍ତା ଓ ସଦସ୍ୟା ଗତକାଲି ଚୌଧୁରୀ ବଜାର ନନ୍ଦୀ ସାହି ସ୍ଥିତ ସାଂସଦ ଅନୁଭବ ମହାନ୍ତିଙ୍କ ବାସଭବନରେ ପହଞ୍ଚି ଉଭୟ ଅନୁଭବ ଓ ବର୍ଷାଙ୍କ ସହିତ ଦୀର୍ଘ ସମୟ ଧରି ଆଲୋଚନା କରିଛନ୍ତି । ସେପଟେ କିନ୍ତୁ ବିଳମ୍ବିତ ରାତିରେ ଟ୍ଵିଟ୍ କରି ଅନୁଭବ ମହାନ୍ତି ନିଜ ଦ୍ଵନ୍ଦ୍ଵକୁ ଜନତାଙ୍କ ସାମ୍ନାରେ ରଖିଛନ୍ତି ।

ବିଳମ୍ବିତ ରାତିରେ ଅଭିନେତା ଅନୁଭବ ମହାନ୍ତି ସୋସିଆଲ ମିଡ଼ିଆରେ ଟ୍ଵିଟ୍ କରି ଲେଖିଛନ୍ତି ଯେ ମୋତେ କ୍ଷମା କରନ୍ତୁ ବିଳମ୍ବ ଟ୍ଵିଟ୍ ପାଇଁ । ହେଲେ ମୁଁ କାହାକୁ ବିଶ୍ଵାସ କରିବି, ମାନବାଧିକାର କମିସନଙ୍କୁ ନା ମୋର ସମ୍ମାନୀୟ ମାତାପିତାଙ୍କୁ ? ସେ ଆହୁରି ବି ଲେଖିଛନ୍ତି ଯେ ଯଦିଓ ଏହାର ସଠିକ୍ ଉତ୍ତର ମୁଁ ଜାଣିଛି, ତଥାପି ଆପଣମାନେ ସମସ୍ତେ ଏଥିରେ ମୋର ସହାୟତା କରିବାକୁ ମୁଁ ଅନୁରୋଧ କରୁଛି ।
ସୂଚନା ମୁତାବକ କିନ୍ତୁ ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ ମହାନ୍ତିଙ୍କ ଦାମ୍ପତ୍ୟ ବିବାଦର ସମାଧାନ ପାଇଁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି ମାନବାଧିକାର କର୍ମୀମାନେ । ପ୍ରାୟ ଦେଢ ଘଣ୍ଟା କାଳ ଉଭୟଙ୍କ ସହିତ ସେମାନେ ଆଲୋଚନା କରିଥିଲେ ହେଁ ଉଭୟ ଉଭୟଙ୍କ ବିରୋଧରେ ଆଣିଥିବା ପୂର୍ବ ଅଭିଯୋଗକୁ ଦୋହରାଇ ଥିଲେ । ତେବେ ଶେଷରେ ଶାଶୂଘରେ ରହି ହିଁ ଏ ବିବାଦର ସମାଧାନ କରିବା ପାଇଁ ବର୍ଷା ନିଜର ମତ ରଖିଥିଲେ । ହେଲେ ଅନୁଭବ ବିବାହ ବିଚ୍ଛେଦ ସପକ୍ଷରେ ଥିବା ନେଇ ସୂଚନା ଦେଇଥିଲେ ।

ତେବେ ଇଣ୍ଟରନ୍ୟାସନାଲ୍ ହ୍ୟୁମାନ ରାଇଟ୍ସ କମିସନ ପକ୍ଷରୁ ରାଜ୍ୟ ସଭାପତି ଗୀତାଶ୍ରୀ ଦାସ, ସଦସ୍ୟ ରଶ୍ମିତା ମିଶ୍ର, ମିଲନ ଜେନା, ଦିପ୍ତୀ ଦାସ, ବବିତା ଦାସମହାପାତ୍ର ପ୍ରମୁଖ ପ୍ରଥମେ ବର୍ଷାଙ୍କୁ ଭେଟି ପାରିବାରିକ ହିଂସା ଅଭିଯୋଗ ସମ୍ପର୍କରେ ଆଲୋଚନା କରିଥିଲେ । ଆଲୋଚନା ସମୟରେ ବର୍ଷା କହିଥିଲେ ଯେ ଅନୁଭବଙ୍କ ବ୍ୟତୀତ ଘରର ଅନ୍ୟ କୌଣସି ସଦସ୍ୟ ତାଙ୍କୁ କୌଣସି ପ୍ରକାର ନିର୍ଯାତନା ଦେଇନାହାନ୍ତି । କେବଳ ଅନୁଭବ ହିଁ ଅନେକ ସମୟରେ ମଦ ପିଇ ଖରାପ ଭାଷାରେ ତାଙ୍କୁ ଗାଳିଗୁଲଜ କରିଛନ୍ତି । ତଥାପି ସେ ବିବାହ ବିଚ୍ଛେଦ ନୁହେଁ, ଘରେ ଭିତରେ ରହି ବିବାଦର ସମାଧାନ ଚାହୁଁଛନ୍ତି । ମାତ୍ର ଅନ୍ୟପଟେ ଅନୁଭବ ବର୍ଷାଙ୍କ ଏ ଅଭିଯୋଗକୁ ଅସ୍ଵୀକାର କରିଛନ୍ତି ଓ ସେ ବିବାହ ବିଚ୍ଛେଦ ଚାହୁଁଛନ୍ତି ବୋଲି ସ୍ପଷ୍ଟ କରିଛନ୍ତି ।