କରୋନାର କାୟା ଦ୍ରୁତ ଗତିରେ ବିସ୍ତାର ହେଉଛି । ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ଛୁଇଁଲା ବେଳେ କରୋନାରେ ପ୍ରାଣ ହରେଇଲେଣି ୨୦୦୦ । ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଥିବା ବେଳେ ବିହାରର ସ୍ଥିତି ମଧ୍ୟ ଖରାପ । ତେବେ ଏଭଳି ପରିସ୍ଥିତିରେ ପାଟନା ଏମ୍ସ ହସ୍ପିଟାଲରେ କରୋନା ବିସ୍ଫୋରଣ ଦେଖିବାକୁ ମିଳିଛି । ଏକାବେଳେ ୩୮୪ ଡାକ୍ତର କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ମିଳିଥିବା ସୂଚନା ଅନୁସାରେ କରୋନା ସଂକ୍ରମିତଙ୍କ ପାଇଁ ୨୪ ଘଣ୍ଟା ତତ୍ପର ରହୁଥିବା ଡାକ୍ତର ମଧ୍ୟ ବର୍ତ୍ତମାନ କରୋନା କବଳରେ । ଡାକ୍ତରଙ୍କ ସହିତ ପାଟନା ଏମ୍ସରେ ନର୍ସିଂ ଷ୍ଟାଫ୍ ମଧ୍ୟ ପଜିଟିଭ୍ ଥିବା ଜଣାପଡ଼ିଛି । ଏନେଇ ପାଟନା ଏମ୍ସର ସୁପରିଟେଣ୍ଡେଣ୍ଟ ବୁଧବାର ଦିନ ସୂଚନା ଦେଇଛନ୍ତି ।

ସେପଟେ କରୋନାର ବଢୁଥିବା ମାମଲାକୁ ନଜରରେ ରଖି ବିହାରରେ ପଞ୍ଚାୟତ ନିର୍ବାଚନ ସ୍ଥଗିତ କରାଯାଇଛି । ପଞ୍ଚାୟତ ଇଲେକ୍ସନ ଉପରେ ରୋକ ଲଗାଇବା ସହିତ ୧୫ ଦିନ ପରେ ସ୍ଥିତି ସମୀକ୍ଷା ହେବ ଏବଂ ସାନି ତାରିଖ ଘୋଷଣା ହେବ ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ସୂଚନାଥାଉ ଯେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଦେଇଥିବା ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦,୪୫୫ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫୧ ଜଣ ପ୍ରାଣ ହରାଇଛନ୍ତି । ଏହାସହିତ ସୁସ୍ଥ ହାର କମ୍ ରହିଛି ।