ମୃତ ଦେହରେ କରୋନାଭାଇରସ କେତେ ଦିନ ଜୀବିତ ରହିପାରିବ ! ଏ ବିଷୟରେ ଗବେଷଣା କରୁଛି AIIMS

ନୂଆଦିଲ୍ଲୀ : ଜଣେ କରୋନା ଆକ୍ରାନ୍ତ ବ୍ୟକ୍ତି ମୃତ ପରେ ବି କରୋନା ଭାଇରସ ଧାରଣ କରିପାରେ କି ନା । ଯଦି ହଁ ତେବେ କେତେ ସମୟ । ଆକ୍ରାନ୍ତିତ ମୃତ ଠାରୁ ଏ କରୋନା ଭାଇରସ ଅନ୍ୟମାନଙ୍କୁ ସଂକ୍ରମଣର ସମ୍ଭାବନା ରଖେ ନା ନାହିଁ ଇତ୍ୟାଦି ଯାବତୀୟ ପ୍ରଶ୍ନର ଉତ୍ତର ଖୋଜିବାରେ ବ୍ୟସ୍ତ AIIMS ଡାକ୍ତରମାନେ । ଜଣେ ମୃତ କୋଭିଡ୍-୧୯ ଆକ୍ରାନ୍ତଙ୍କ ଶବ ବ୍ୟବଚ୍ଛେଦ କରିବାକୁ ଚିନ୍ତା କରୁଥିବା ବିଷୟ ନେଇ ମଇ ୨୧, ଗୁରୁବାର ଦିନ ଫରେନ୍‌ସିକ୍ ମୁଖ୍ୟ ଡାକ୍ତର ସୁଧୀର ଗୁପ୍ତା ସୂଚନା ଦେଇଛନ୍ତି ।

ଯଦି ମୃତ କୋଭିଡ୍-୧୯ ଆକ୍ରାନ୍ତଙ୍କ ଶବ ବ୍ୟବଚ୍ଛେଦ କରାଯାଏ ତେବେ ଶରୀରର ଅଙ୍ଗପ୍ରତ୍ୟଙ୍ଗଗୁଡ଼ିକ ଉପରେ କରୋନା ଭାଇରସ କିଭଳି କୁପ୍ରଭାବ ପକାଉଛି ତା’ ମଧ୍ୟ ଅଧ୍ୟୟନରୁ ଜାଣିହେବ ବୋଲି ଡାକ୍ତର ଗୁପ୍ତା କହିଛନ୍ତି । ସୂଚନା ଅନୁଯାୟୀ ମୃତବ୍ୟକ୍ତିଙ୍କ ଉତ୍ତରାଧିକାରୀଙ୍କଠାରୁ ଅନୁମତି ଆଣି ଉକ୍ତ ଅଧ୍ୟୟନରେ ପାଥୋଲୋଜି ଏବଂ ମାଇକ୍ରୋବାୟୋଲଜି ଭଳି ଅନେକ ବିଭାଗର ଡାକ୍ତରମାନେ ଅଂଶଗ୍ରହଣ କରିବାର ସୁଯୋଗ ଦିଆଯିବ ।

ମଇ ୧୯ ତାରିଖ ଗତ ମଙ୍ଗଳବାର ଦିନ ICMR ରିପୋର୍ଟ ଅନୁଯାୟୀ କୋଭିଡ୍-୧୯ ହେଉଛି ଶ୍ଵାସପ୍ରଶ୍ଵାସ ସଂକ୍ରମଣ ଜନିତ ରୋଗ । ମୁଖ୍ୟତଃ ଏହା ବାୟୁରେ ମିଶ୍ରିତ ହୋଇ ଜଣଙ୍କ ଠାରୁ ଅନ୍ୟ ଯାଏଁ ବ୍ୟାପିଥାଏ । ନାନା ବୈଜ୍ଞାନିକ ମତାନୁସାରେ ମୃତ ଦେହରେ କ୍ରମଶଃ ଭାଇରସମାନଙ୍କ ଆୟୁଷ ହ୍ରାସ ପାଇଥାଏ । କିନ୍ତୁ, ନିର୍ଦ୍ଦିଷ୍ଟ କେତେ ସମୟ ପରେ ଶବ ଭାଇରସ ମୁକ୍ତ ହୁଏ ସେନେଇ କୌଣସି ସୂଚନା ନାହିଁ । ତେଣୁ ଡାକ୍ତରମାନେ ଏଭଳି ଅଧ୍ୟୟନ କରିବାକୁ ବିଚାର କରୁଛନ୍ତି ବୋଲି ଡାକ୍ତର ସୁଧୀର କହିଛନ୍ତି । ଗବେଷଣା ଦ୍ଵାରା ଶବାଗାର କର୍ମଚାରୀ ଏବଂ ପୋଲିସ କର୍ମଚାରୀଙ୍କ ପାଇଁ ଥିବା ସଂକ୍ରମଣ ବିପଦକୁ ଏଡ଼ାଇ ଦେଇ ହେବ ବୋଲି ବିଶ୍ଵାସ ।

Leave a Reply

Your email address will not be published. Required fields are marked *