ଅକ୍ଷୟ ପରିଜାଙ୍କ ନାମରେ ହେଲା ପ୍ରାଥମିକ ଚାର୍ଜସିଟ୍‌ ଦାଖଲ

ସଂସ୍କାର : ସିନେ ପ୍ରଯୋଜକ ଅକ୍ଷୟ କୁମାର ପରିଜାଙ୍କୁ ଅର୍ଚ୍ଚନା ବ୍ଲାକ୍‌ମେଲିଂ ମାମଲାରେ କମିଶନରେଟ୍‌ ପୁଲିସ ଜେଏମ୍‌ଏଫ୍‌ସି-୩ରେ ପ୍ରାଥମିକ ଚାର୍ଜସିଟ୍‌ ଦାଖଲ କରିଛି। ଏହି ଚାର୍ଜସିଟ୍‌ ୫୦୧ ପୃଷ୍ଠା ସମ୍ବଳିତ । ଏଥିରେ ୮ଜଣ ସାକ୍ଷୀ ଥିବା ସହ ଭିଡିଓ କ୍ଲିପ୍‌, ଅଡିଓ ରେକର୍ଡିଂ ସହ ଅନ୍ୟାନ୍ୟ ପ୍ରମାଣ ଓ ଦସ୍ତାବିଜ୍‌ ରହିଛି ।

ନୂଆପଲ୍ଲୀ ଥାନା ଅଧିକାରୀ ବିଶ୍ୱରଞ୍ଜନ ସାହୁ ଏହି ମାମଲା(୬୪୬/୨୨)ର ତଦନ୍ତକାରୀ ଅଧିକାରୀ । ଶ୍ରୀ ସାହୁ ମାମଲାର ପ୍ରାଥମିକ ତଦନ୍ତ ପରେ ଆଜି ଅଦାଲତରେ ଚାର୍ଜସିଟ୍‌ ଦାଖଲ କରିଛନ୍ତି । ଚାର୍ଜସିଟ୍‌ରେ ଉଲ୍ଲେଖ ଥିବା ସାକ୍ଷୀମାନଙ୍କ ମଧ୍ୟରେ ଶ୍ରୀ ପରିଜା ପ୍ରମୁଖ।ବ୍ଲାକ୍‌ମେଲିଂରେ ଅର୍ଚ୍ଚନାଙ୍କ ମୋହରା ସାଜିଥିବା ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ମଧ୍ୟ ଅନ୍ୟତମ ସାକ୍ଷୀ ଭାବେ ଦର୍ଶାଯାଇଛି । ଅନ୍ୟ ସାକ୍ଷୀଙ୍କ ମଧ୍ୟରେ ସ୍ୟାଣ୍ଡି ଟାୱାରର ହୋଟେଲ କର୍ତ୍ତୃପକ୍ଷ, ଶ୍ରୀ ପରିଜାଙ୍କ ଘରୋଇ ସୁରକ୍ଷାକର୍ମୀ ଓ ଅନ୍ୟମାନେ ଅଛନ୍ତି ।

ସେହିପରି ପ୍ରମାଣ ହିସାବରେ ଭାଇରାଲ ହୋଇଥିବା ୨୫ ମିନିଟ୍‌ ଭିଡିଓ କ୍ଲିପ୍‌, ଶ୍ରୀ ପରିଜାଙ୍କୁ ଫୋନ୍‌ରେ ୩ କୋଟି ଟଙ୍କା ମାଗିବାର ଅଡିଓ ରେକର୍ଡିଂ କ୍ଲିପ୍‌, ସିଆର୍‌ପିସି ୧୬୧ ଆଧାରରେ ଶ୍ରୀ ପରିଜାଙ୍କ ବୟାନ, ଅର୍ଚ୍ଚନା ଓ ଶ୍ରୀ ପରିଜାଙ୍କ କଲ୍‌ ଡିଟେଲ୍ସ ରେକର୍ଡ (ସିଡିଆର୍‌) ସହ ଅନ୍ୟାନ୍ୟ ପ୍ରମାଣ ଉପସ୍ଥାପନ କରାଯାଇଛି । ପୁଲିସ ତରବରିଆ ଭାବେ ଚାର୍ଜସିଟ୍‌ ଦାଖଲ କରିଛି । କାହିଁକି ନା, ଚାର୍ଜସିଟ୍‌ ଦାଖଲ ବେଳେ ମାମଲାର ତଦନ୍ତ ଜାରି ରଖିବାକୁ ବିଚାରପତିଙ୍କୁ ଅନୁରୋଧ କରିଛି ପୁଲିସ । ମାମଲା ସମ୍ପର୍କିତଆହୁରି ସାକ୍ଷ୍ୟ ପ୍ରମାଣ ସଂଗ୍ରହ ବାକିଥିବା ଦର୍ଶାଯାଇଛି । ଖୁବ୍‌ ଶୀଘ୍ର ଚୂଡ଼ାନ୍ତ ଚାର୍ଜସିଟ୍‌ ଦାଖଲ କରାଯିବ ବୋଲି ପୁଲିସ କହିଛି ।

Leave a Reply

Your email address will not be published. Required fields are marked *