ଏହି ଲକଡାଉନ ମଧ୍ୟରେ ମଦୁଆମାନଙ୍କ କରୁଣ କାହାଣୀ ନେଇ ସରକାରଙ୍କ ନିକଟରେ ଏମିତି ଦାବି କଲେ ବ୍ୟକ୍ତି

କରୋନା ରୋକିବାକୁ ଲକଡାଉନର ଦ୍ଵିତୀୟ ପର୍ଯ୍ୟାୟରେ ଜୟପୁରର ଜନୈକ ବ୍ୟକ୍ତି ଅତିକମରେ ଏକ ଘଣ୍ଟା ପାଇଁ ମଦ ଦୋକାନ ଖୋଲାଯାଉ ବୋଲି ଦାବି କରିଛନ୍ତି । ଅନ୍ୟ ଦେଶ ତୁଳନାରେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ନିୟନ୍ତ୍ରଣରେ ରହିଥିବାରୁ ଭାରତ ସରକାର ଲକଡାଉନ ଅବଧିକୁ ମଇ ୩ ଯାଏଁ ବଢେଇ ଦେଇଛନ୍ତି । କିନ୍ତୁ ଅନ୍ୟ ଅତ୍ୟାବଶ୍ୟକ ଜିନିଷ ପରି ମଦ ଯେ ଜରୁରୀ ସାମଗ୍ରୀ ତାହା କ୍ୟାମେରା ସାମ୍ନାରେ ଖୋଲାଖୋଲି ଯୁକ୍ତି ବାଢିଛନ୍ତି ବ୍ୟକ୍ତି ଜଣକ ।  

ଏକ ସାକ୍ଷାତକାରରେ ସେ କୁହନ୍ତି ଯେ ଗଲା ୪୦ ବର୍ଷ ଧରି ସେ ମଦ ପିଉଛନ୍ତି । ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ସହିତ ବିଦେଶୀ ଠିପି ବନ୍ଦ ମଦ ଦୋକାନ ମଧ୍ୟ ଖୋଲିବାକୁ ସରକାର ବ୍ୟବସ୍ଥା କରିବା ଉଚିତ । ମଦ କେବଳ ନିଶା ନୁହେଁ, ଅଭ୍ୟସ୍ତ ଲୋକଙ୍କ ପାଇଁ ତାହା ଏକ ଜରୁରୀ ସାମଗ୍ରୀ । ଲକଡାଉନ ଯୋଗୁ ମଦ ନ ପିଇ ପାରି ଲୋକ ଅସୁସ୍ଥ ହେବାକୁ ଲାଗିଲେଣି ।

https://www.facebook.com/Jimmyngp/videos/1686901444781997/

ସେ ଆହୁରି ମଧ୍ୟ କହୁଛନ୍ତି ଯେ ଡାକ୍ତର ପାଖରୁ ଆରମ୍ଭ କରି, ଅଫିସର, ପୋଲିସ କର୍ମଚାରୀ, ଦିନ ମଜୁରିଆ, ମୁଲିଆ, ଡ୍ରାଇଭର ଯାଏଁ ସଭିଏଁ ମଦ ପିଅନ୍ତି । ସେକଥା ଅଲଗା ଯେ କିଏ ଆଗରୁ ନେଇ ଘରେ ସଞ୍ଚୟ କରି ରଖିଛି, କିଏ ପରେ କାହାଠାରୁ ଚଢା ଦରରେ କିଣୁଛି, କିଏ ଗାଁର ବିଷାକ୍ତ ମଦ ପିଇ ଦେହ ଖରାପ କରୁଛି, କିଏ ମଦ ନପିଇ ପାରିବାରୁ ଘରେ ମାରପିଟ୍ କରୁଛି, କିଏ ପରିବାରରେ କଳହ କରୁଛି, କିନ୍ତୁ ତାଙ୍କ ଭଳି ସାମ୍ନାକୁ ଆସି କେହି କହୁନାହାନ୍ତି । ସରକାର ତଥା ଖାସ୍ କରି ସ୍ୱାସ୍ଥ୍ୟ ମନ୍ତ୍ରୀ ମଦୁଆଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନାବାନ ହେବା ଉଚିତ ନୁହେଁ କି ବୋଲି ସେ ପ୍ରଶ୍ନ କରିଛନ୍ତି ।

ଜୟପୁର ବାସୀ ବାବୁ ଗଉଡ଼ ନାମ୍ନୀ ପ୍ରୌଢ ବ୍ୟକ୍ତି ହାତ ଯୋଡ଼ି ଅନୁରୋଧ କରୁଛନ୍ତି ଯେ ପାରିବାରିକ କଳହ ସହିତ ମଦ ଅଭ୍ୟସ୍ତ ଲୋକର ସ୍ୱାସ୍ଥ୍ୟ ଦିନୁଦିନ ବିଗିଡ଼ିବାରେ ଲାଗିଛି । ଏମିତି ନହେଉ ଯେ କରୋନା ଆକ୍ରାନ୍ତ ହେଇ ସେମାନେ ଚିକିତ୍ସାଳୟ ନଯାଇ ମଦ ବିନା ଅସୁସ୍ଥ ହୋଇ ଚିକିତ୍ସାଳୟ ଭର୍ତ୍ତି ହେବେ କିମ୍ବା ମରି ଯିବେ । ନିଜ ଯୁକ୍ତିକୁ ଠିକ୍ ବୋଲି ପ୍ରମାଣ କରିବାକୁ ଯାଇ ସେ କହିଛନ୍ତି ଯେ ପଶ୍ଚିମବଙ୍ଗ ସରକାର ଘର ଘର ବୁଲି ମଦ ଅଭ୍ୟସ୍ତ ଲୋକଙ୍କ ପାଖରେ ମଦ ପହଞ୍ଚାଇବା ବ୍ୟବସ୍ଥା କରିଛନ୍ତି ବୋଲି ୧୪ ଅପ୍ରେଲରେ ଘୋଷଣା କରିଛନ୍ତି । ସେହିପରି ଓଡ଼ିଶା ସରକାର ବି କରିବା ଉଚିତ । ସରକାର ତାଙ୍କ ସ୍ୱାସ୍ଥ୍ୟ ମନ୍ତ୍ରୀ, ଅବକାରୀ ବିଭାଗ ମନ୍ତ୍ରୀ ସହିତ ପରାମର୍ଶ କରନ୍ତୁ, ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତରମାନଙ୍କ ସହିତ ପରାମର୍ଶ କରନ୍ତୁ, ଏବଂ ଥରେ ଚିନ୍ତା କରନ୍ତୁ ଯେ ମଦ ପାଇଁ କେତେ ରାଜସ୍ୱ ଆଦାୟ ହୁଏ ଓଡ଼ିଶାରେ ।

Leave a Reply

Your email address will not be published. Required fields are marked *