୧୦୮ ଆମ୍ବୁଲାନ୍ସ ସେବାକୁ ନେଇ ବାରମ୍ବାର ଅଭିଯୋଗ ଆସୁଛି । ପୁଣିଥରେ ଆମ୍ବୁଲାନ୍ସ କର୍ମଚାରୀଙ୍କ ଚରମ ଅବହେଳା ପାଇଁ ବର୍ଷକର ଶିଶୁର ଜୀବନଦୀପ ଲିଭିଯାଇଛି । ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିବା ପରେ ମୟୁରଭଞ୍ଜ ଜିଲ୍ଲା ବେତନଟୀ ଉପକଣ୍ଠ ଆମ୍ବଯୋଡ଼ା ଗାଁରେ ଉତ୍ତେଜନା ଦେଖା ଦେଇଛି ।
ସୂଚନା ଅନୁଯାୟୀ ଆମ୍ବଯୋଡ଼ା ଗାଁର ନିଶାରଞ୍ଜନ ବେହେରା ଏବଂ ଗୀତା ବେହେରାଙ୍କ ବର୍ଷକର ପୁଅ ଜିତ୍ ଅସୁସ୍ଥ ଥିବାରୁ ତାକୁ ଗତ ରବିବାର ଦିନ ବେତନଟୀ ହସ୍ପିଟାଲକୁ ନିଆଯାଇଥିଲା । ସେଠୁ ପୁଣି ବାରିପଦା PRM ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସୋମବାର ଅପରାହ୍ନରେ ଶିଶୁଟିର ସ୍ଵାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ବାରିପଦା ଡାକ୍ତର ତୁରନ୍ତ କଟକ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦେଲେ । ତେଣୁ ୧୦୮ ଆମ୍ବୁଲାନ୍ସ (OD-02BH-1252) ରେ ଉକ୍ତ ଶିଶୁକୁ କଟକ ସ୍ଥାନାନ୍ତର କରାଯାଉଥିଲା । ହେଲେ ଅଧା ବାଟରେ ଘଟିଗଲା ଅଭାବନୀୟ ଘଟଣା ।
ମୃତ ଶିଶୁର ମା’ ଗୀତା ବେହେରାଙ୍କ ଅଭିଯୋଗ ଅନୁଯାୟୀ ବାରିପଦା ସହରରୁ ବାହାରିବା ପରେ ମଞ୍ଚାବନ୍ଧାରେ ଥିବା ଏକ ଢାବାରେ ଗାଡ଼ି ରଖି ଆମ୍ବୁଲାନ୍ସ କର୍ମଚାରୀ (ଡ୍ରାଇଭର ଓ ଫାର୍ମାସିଷ୍ଟ) ଖାଇବାକୁ ଯାଇଥିଲେ ଆଉ ଦେଢ ଘଣ୍ଟା ପରେ ବି ସେମାନେ ଢାବାରୁ ଫେରିନଥିଲେ । ଏ ସମୟରେ ଶିଶୁର ସ୍ଵାସ୍ଥ୍ୟାବସ୍ଥା ଶୋଚନୀୟ ହେଇ ଯାଇଥିଲା । ପୁଅର ଏ ଅବସ୍ଥା ଦେଖି ଗୀତା ସେମାନଙ୍କୁ ଡାକିବାକୁ ଢାବାକୁ ଯାଇଥିଲେ । ମାତ୍ର ପ୍ରତିଉତ୍ତର ମିଳିଥିଲା ଯେ, ‘ବ୍ୟସ୍ତ ହୁଅ ନାହିଁ । ଆମେ ଡାକ୍ତର । ଆମେ ଜାଣିଛୁ ପିଲାର କ’ଣ ହେବ, କ’ଣ ନାହିଁ ।‘
ଶୋଚନୀୟ ଅବସ୍ଥାରେ ଶିଶୁଟି ଛଟପଟ ହେଇ ଶେଷରେ ନିସ୍ତେଜ ହୋଇପଡିଥିଲା । ଏହାଦେଖି ବିଚଳିତ ମା’ ବିକଳ ହେଇ ଯେତେବେଳେ ଉକ୍ତ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଜଣାଇଲା ପରେ ଗାଡ଼ି NH ପାର୍ଶ୍ୱରେ ଥିବା କୃଷ୍ଣଚନ୍ଦ୍ରପୁର ହସ୍ପିଟାଲରେ ଅଟକିଲା । ସେଠାରେ କାର୍ଯ୍ୟରତ ଡାକ୍ତର କିନ୍ତୁ ଶିଶୁକୁ ମୃତ ଘୋଷଣା କରିଥିଲେ । ଶିଶୁର ମୃତ୍ୟୁ ଖବର ପାଇ ଏଣେ ଆମ୍ବୁଲାନ୍ସ ଡ୍ରାଇଭର ଓ ଫାର୍ମାସିଷ୍ଟ ଉଭୟ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।
ଏ ଘଟଣା ପରେ ବେତନଟୀ ଥାନା SI ବେଦପ୍ରକାଶ ନନ୍ଦ, କୃଷ୍ଣଚନ୍ଦ୍ରପୁର ଫାଣ୍ଡି ଅଧିକାରୀ ASI ଚନ୍ଦ୍ରକାନ୍ତ ରଣଜିତ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଜନସାଧାରଣଙ୍କୁ ବୁଝାସୁଝା କଲେ । ଅନ୍ୟପକ୍ଷରେ ଆମ୍ବୁଲାନ୍ସ କର୍ମଚାରୀ ଚରମ ଅବହେଳା କରିବାରୁ ହିଁ ତାଙ୍କ ପୁଅର ମୃତ୍ୟୁ ହୋଇଛି କହି ଗୀତା ବେହେରା ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଆମ୍ବୁଲାନ୍ସଟିକୁ ସିଜ୍ କରିଥିବାବେଳେ ବେତନଟୀ ଥାନାରେ ୧୭୬/୨୦୨୦ ଦଫା ୩୦୪(ଏ)/୩୪ IPC ଧାରାରେ ଏକ ମାମଲା ରୁଜୁ କରାଯାଇଛି ।