ଦେଶରେ କରୋନା ଭାଇରସ ସଂକ୍ରମଣ ଦ୍ରୁତ ଗତିରେ ବଢି ଚାଲିଛି । କରୋନା ମାମଲା ନିୟନ୍ତ୍ରଣ କରିବା ପାଇଁ ଛତିଶଗଡ଼ର ରାଜଧାନୀ ରାୟପୁରରେ ୧୦ ଦିନିଆ ଲକଡ଼ାଉନ ଘୋଷଣା କରାଯାଇଛି । ନିର୍ଦ୍ଦେଶାନୁଯାୟୀ ଅପ୍ରେଲ ୯ ତାରିଖରୁ ଅପ୍ରେଲ ୧୯ ତାରିଖ ଯାଏଁ ଏହି ଲକଡ଼ାଉନ ପ୍ରକ୍ରିୟା ବଳବତ୍ତର ରହିବ । ସକାଳ ୬ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ପୁରା ସହରରେ ତାଲା ପଡ଼ିବ ।
ଜିଲ୍ଲା ପ୍ରଶାସନ ଜାରି କରିଥିବା ନିର୍ଦ୍ଦେଶ ଅନୁଯାୟୀ ଲକଡ଼ାଉନ ହେତୁ ସମସ୍ତ ମଦ ଦୋକାନ ବନ୍ଦ ରହିବ । ଏହାସହିତ ସମସ୍ତ ସରକାରୀ ଏବଂ ଅର୍ଦ୍ଧ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଇତ୍ୟାଦି ମଧ୍ୟ ବନ୍ଦ ରହିବ । ତଥାପି ଶିଳ୍ପଗୁଡ଼ିକୁ ରିହାତି ଦିଆଯାଇଛି । ଯଦି କାରଖାନା ଭିତରେ ଶ୍ରମିକମାନେ ରହି କାମ କରିବେ ତେବେ କାରଖାନା ଚାଲିପାରିବ । ଏହାବ୍ୟତୀତ ସମସ୍ତ ଧାର୍ମିକ ଅନୁଷ୍ଠାନ ମଧ୍ୟ ବନ୍ଦ କରିବାକୁ କୁହାଯାଇଛି ।

ଗୋଟିଏ ଦିନରେ କରୋନା ମାମଲା ସର୍ବାଧିକ ୨,୮୨୧ ଛୁଇଁଲା ପରେ ଏହି ଲକଡ଼ାଉନ ନିଷ୍ପତ୍ତି ନିଆଯାଇଛି । ଜାରି କରାଯାଇଥିବା ନିର୍ଦ୍ଦେଶନାମାରେ ଦର୍ଶାଯାଇଛି ଯେ ୫୫ ବର୍ଷରୁ ଅଧିକ ବୟସ୍କ କରୋନା-ପଜିଟିଭ ବ୍ୟକ୍ତିଙ୍କୁ ହୋମ ଆଇସୋଲେସନ ଅନୁମତି ଦିଆଯିବ ନାହିଁ । ଦରକାର ପଡ଼ିଲେ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଯିବ ଏବଂ ଠିକ୍ ନହେବା ପର୍ଯ୍ୟନ୍ତ ସେମାନଙ୍କୁ ସେଠାରେ ରଖି ଚିକିତ୍ସା କରାଯିବ ।
କରୋନା ଗାଇଡ଼ଲାଇନ ଅନୁସରଣ କରି ପୂର୍ବ ପରି ସହରରେ କଣ୍ଟେନମେଣ୍ଟ ଜୋନ୍ ସୃଷ୍ଟି ହେବ । ଏହି ଜୋନ୍ ଗୁଡ଼ିକରେ ସାଧାରଣ ଜନତା ସକାଳ ୭ ଟାରୁ ୧୦ ଟା ପର୍ଯ୍ୟନ୍ତ ଜରୁରୀ କାର୍ଯ୍ୟ ପାଇଁ ଆସିବାକୁ ଅନୁମତି ପାଇବେ । ତେବେ ଅତ୍ୟାବଶ୍ୟକ ସେବା ସହିତ ସମ୍ପୃକ୍ତ ଲୋକଙ୍କୁ କରୋନା ଗାଇଡ଼ଲାଇନ ଅନୁସରଣ କରି ଘରୁ ବାହାରିବାକୁ ଅନୁମତି ମିଳିବ ।