ବଡ଼ ଖୁସି ଖବର : ପ୍ରଥମ ଥର ପାଇଁ ଏକ ଓଡ଼ିଆ ଫିଲ୍ମ ଆମାଜନ୍‌ ପ୍ରାଇମ୍‌ ଭିଡ଼ିଓରେ, ସେ ବି IFFI ରେ ମନୋନୀତ

ଓଡ଼ିଆ ଫିଲ୍ମ “କ୍ଷଣିକା-ଦ’ ଲଷ୍ଟ୍ ଆଇଡ଼ିଆ” ଏବେ ପ୍ରଥମ ଥର ପାଇଁ ଆମାଜନ୍‌ ପ୍ରାଇମ୍‌ ଭିଡ଼ିଓରେ ଦେଖିହେବ । ଏହା ଏକମାତ୍ର ଓଡ଼ିଆ ଫିଲ୍ମ ଯାହା ଆମାଜନ୍‌ରେ ଉପଲବ୍ଧ । ଏଯାବତ୍ ଏହି ଫିଲ୍ମଟି ବିଶ୍ୱର ୧୪ ଗୋଟି ଦେଶରେ ପ୍ରଦର୍ଶିତ ହୋଇସାରିଲାଣି । କେବଳ ଦେଶ କାହିଁକି, ୩୦ ରୁ ଅଧିକ ଅନ୍ତର୍ଜାତୀୟ ଫିଲ୍ମ ଉତ୍ସବରେ ପ୍ରଦର୍ଶିତ ହୋଇ ବେଶ୍ ପ୍ରଶଂସା ମଧ୍ୟ ସାଉଁଟି ସାରିଲାଣି “କ୍ଷଣିକା”।

ନିକଟରେ ଗୋଆରେ ଅନୁଷ୍ଠିତ ହୋଇଯାଇଥିବା ୪୮ତମ ଅନ୍ତର୍ଜାତୀୟ ଫିଲ୍ମ ଉତ୍ସବ(IFFI)ର ଇଣ୍ଡିଆନ ପାନୋରାମା ସେକ୍ସନ୍‌ରେ ମନୋନୀତ ହୋଇଥବା ମୋଟ୍ ୨୬ ଟି ଫିଲ୍ମ ମଧ୍ୟରେ “କ୍ଷଣିକା” ଏକମାତ୍ର ଓଡ଼ିଆ ଫିଲ୍ମ । ଏହାସହିତ ଫିଲ୍ମ ନିର୍ଦ୍ଦେଶକ ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟ ଫିଲ୍ମର ଏଡିଟିଂ ପାଇଁ ୨୯ ତମ ରାଜ୍ୟ ଫିଲ୍ମ ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଏଡିଟିଂ ପୁରସ୍କାର ମଧ୍ୟ ପାଇଛନ୍ତି ।

ଫିଲ୍ମର ନିର୍ଦ୍ଦେଶକ ଶ୍ରୀ ଭଟ୍ଟାଚାର୍ଯ୍ୟଙ୍କ କହିବାନୁଯାୟୀ ଲକ୍‌ଡାଉନ୍‌ ମାନସିକତାକୁ ଏହି ଫିଲ୍ମଟି ସୁହାଇଲା ଭଳି । ଲୋକଙ୍କୁ ଭରପୁର ମନୋରଞ୍ଜନ ଯୋଗାଇବ ବୋଲି ମୋର ବିଶ୍ଵାସ । କାନାଡ଼ା, ୟୁକେ, ୟୁଏସ୍‌ଏ, ଋଷିଆ, ଇଥିଓପିଆ, ବାଂଲାଦେଶ, ବଲିଭିଆ, ମେକ୍ସିକୋ ଭଳି ନାନା ଦେଶରେ ଆୟୋଜିତ ଫିଲ୍ମ ଉତ୍ସବରେ ଏହି ଫିଲ୍ମଟି ଉଚ୍ଚ ପ୍ରଶଂସିତ ହୋଇଛି ।

ସବୁଠୁ ମଜାର କଥା ହେବ ଏହି ଫିଲ୍ମଟି ମାତ୍ର ୮୯ମିନିଟର । ଫିଲ୍ମରେ ଅମ୍ରିତା ଚୌଧୁରୀ, ସୁଶାନ୍ତ ମିଶ୍ର, ଚୌଧୁରୀ ବିକାଶ ଦାସ, ହୃଷିକେଶ ଭୋଇ, ଦ୍ୱିପନ୍ୱୀତ ଦାଶମହାପାତ୍ର, ସ୍ୱସ୍ତିକ ଚୌଧୁରୀ, ଭାସ୍ୱତୀ ବସୁ ଆଦି ବିଭିନ୍ନ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବେ । ଅଭିନେତ୍ରୀ ଅନୁ ଚୌଧୁରୀ ଅତିଥି କଳାକାର ହେଇ ଫିଲ୍ମ ଭିତରେ ଦୃଶ୍ୟମାନ ହେବେ ।

ଏହି ଫିଲ୍ମର ସୁଟିଂ ପୁରୀ ଏବଂ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ କରାଯାଇଥିବାବେଳେ ଫିଲ୍ମର ପ୍ଳଟ ଜଣେ ଚିତ୍ରକର ଓ ଜଣେ କବିଙ୍କ କାହାଣୀକୁ ନେଇ । ସୂଚନାଯୋଗ୍ୟ ଯେ ପୂର୍ବରୁ ନିର୍ଦ୍ଦେଶକ ଅମର୍ତ୍ତ୍ୟଙ୍କ ଫିଲ୍ମ ‘କ୍ୟାପିଟାଲ୍‌ ଆଇ’ ଆମ୍‌ଜନ୍‌ ପ୍ରାଇମ୍‌ ଭିଡ଼ିଓରେ ସାମିଲ ହୋଇଥିଲା ।

Leave a Reply

Your email address will not be published. Required fields are marked *