ଓଡ଼ିଶା ପୋଲିସ ଇତିହାସରେ ପ୍ରଥମ ଥର ଘଟିଛି ଏ ଘଟଣା । ଭୁବନେଶ୍ୱରର ରସୁଲଗଡ଼ରୁ ଜବତ ହୋଇଛି ୪ କୋଟି ୫୦ ଲକ୍ଷ ଟଙ୍କା ମୂଲ୍ୟର ପ୍ରାୟ ୪ କିଲୋଗ୍ରାମ ବ୍ରାଉନ୍ସୁଗର । ଏହି ଘଟଣାରେ ଏସ୍ଟିଏଫ୍ ୩ ଜଣଙ୍କୁ ଗିରଫ କରିଛି । ଡିଜିପି ଶ୍ରୀ ଅଭୟ ଦେଇଥିବା ସୂଚନା ଅନୁଯାୟୀ ଘଟଣାସ୍ଥଳରୁ ଜବତ ହୋଇଛି ଗୋଟିଏ ବୋଲେରୋ ଗାଡ଼ି ଓ ୩ ଟି ମୋବାଇଲ୍ ।
ଏ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ହେଲେ ବାଲେଶ୍ୱର ଜିଲ୍ଳା ନୀଳଗିରି ଥାନା ଅନ୍ତର୍ଗତ ନରସିଂହପୁରର ଦେବାଶିଷ ବେହେରା, ବାଲେଶ୍ୱର ଟାଉନ୍ ଥାନା ଗୋପାଳର ସେଖ୍ କୌସର ଓ ପ୍ରବୀର କୁମାର ସିଂହ । କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍ କହିବା ଅନୁଯାୟୀ ଏକାବେଳକେ ୪ କେଜି ୪୮୬ ଗ୍ରାମ୍ ବ୍ରାଉନ୍ସୁଗର ଜବତ ହେବା ପୋଲିସ ଇତିହାସରେ ପ୍ରଥମ ।
ଏ ଲକ୍ଡାଉନ୍ ଅବଧି ଭିତରେ ନିଶା ବେପାରୀମାନେ ଅପେକ୍ଷାକୃତ ସକ୍ରିୟ ହୋଇ ଉଠିଥିଲାବେଳେ ଗତ ୫ ମାସ ଧରି ଏସ୍ଟିଏଫ୍ ମଧ୍ୟ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସକ୍ରିୟ ଥିବା ନିଶା ବେପାରୀଙ୍କ ଉପରେ ନଜର ରଖିଥିଲା । ବହୁ ପରିମାଣରେ ବ୍ରାଉନ୍ସୁଗର ଭୁବନେଶ୍ୱର ଆସିବାର ଅଛି ବୋଲି ଗତ ସପ୍ତାହରେ ଗୁଇନ୍ଦା ତଥ୍ୟରୁ ଏସ୍ଟିଏଫ୍ର ଡିଆଇଜି ଜୟନାରାୟଣ ପଙ୍କଜ ଜାଣିବାକୁ ପାଇଥିଲେ । ରସୁଲଗଡ଼ର ବିଭିନ୍ନ ସ୍ଥାନରେ ଏସ୍ଟିଏଫ୍ ଟିମ୍ ଜଗି ରହିଥିଲା ଓ ମାଫିଆମାନେ ପହଞ୍ଚିଲା କ୍ଷଣି ସେମାନଙ୍କୁ ଗିରଫ କରିବା ସହିତ ଯାବତୀୟ ଜିନିଷ ଜବତ କଲା ବୋଲି ଡିଜିପି ଅଭୟ କହିଛନ୍ତି ।
ପ୍ରକାଶ ଥାଉକି ୨୦୧୯ରେ ଖୋର୍ଦ୍ଧାର ଛୋଟା, ବାଲେଶ୍ୱର ସେଖ୍ ରାଜାଙ୍କ ଭଳି କିଛି ମାଫିଆଙ୍କ ସାମ୍ରାଜ୍ୟକୁ ନଷ୍ଟ କରିଥିଲା ଏସ୍ଟିଏଫ୍ । ତଥାପି ବାଲେଶ୍ୱର ଜଳେଶ୍ୱରରୁ କୋଟି କୋଟି ଟଙ୍କାର ବ୍ରାଉନ୍ସୁଗର କଟକ, ପୁରୀ, ନୟାଗଡ଼, ବ୍ରହ୍ମପୁର, ଭୁବନେଶ୍ୱର, ଖୋର୍ଦ୍ଧା ଓ ଜଟଣୀ ଆଦି ଅଞ୍ଚଳରେ ଥିବା ବେପାରୀଙ୍କୁ ଯୋଗାଇ ଦେଉଥିଲେ । ଏହା ଜାଣିବା ପରେ ଆରମ୍ଭ ହୋଇଥିଲା ଷ୍ଟ୍ରିଂ ଅପରେସନ୍ । ଜାନୁଆରୀରୁ ଏବେ ସୁଦ୍ଧା ୧୨ କେଜି ୨୫ ଗ୍ରାମ୍ ବ୍ରାଉନ୍ସୁଗର ଜବତ ହୋଇଛି ଓ ୩୯ ଜଣ ନିଶା ବେପାରୀ ଗିରଫ ।