ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଭିଡ଼ିଓରେ ଦେଖାଯାଉଛି ଯେ ଜଣେ କୁନି ଶିଶୁ କାର ଚଲାଉଛି ଏବଂ ସେ ବି ଗହଳି ରାସ୍ତାରେ । ଅନ୍ୟ ଗାଡ଼ିମୋଟରଗୁଡ଼ିକ ସାଙ୍ଗରେ ଅତି ପୋଖତ ଡ୍ରାଇଭର ଭଳି ସେ କାର ଚଲାଉଥିବା ଭିଡ଼ିଓରେ ସ୍ପଷ୍ଟ ଦିଶୁଛି ।
ଇଣ୍ଟରନେଟର ଦୁନିଆରେ ସୋସିଆଲ ମିଡ଼ିଆ ମାଧ୍ୟମରେ ଅନେକ ଜିନିଷ ଭାଇରାଲ ହେଉଛି । ତେବେ ଏଭଳି ଏକ ଭିଡ଼ିଓ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସହିତ ସ୍ତମ୍ଭୀଭୂତ ବି କରୁଛି । ଯେଉଁ ବୟସରେ ଶିଶୁ ଖେଳଣାରେ ଖେଳନ୍ତି, ସେ ବୟସରେ ଜଣେ ଶିଶୁ ଗହଳିପୂର୍ଣ୍ଣ ରାସ୍ତାରେ ନିର୍ଭୟରେ ଜଣେ ପୋଖତ ଡ୍ରାଇଭର ଭଳି କାର ଚଲାଉଛନ୍ତି ।
ତେବେ ସୂଚନାନୁସାରେ ଏହି ଭିଡ଼ିଓଟି ସୋସିଆଲ ମିଡ଼ିଆ ଟ୍ଵିଟରେ ଭାଇରାଲ ହେଉଛି । ଏହାକୁ ତଲହା ଅମଜଦ ତାଙ୍କ ଟ୍ଵିଟର ଆକାଉଣ୍ଟରେ ଶେୟାର କରିବା ପରେ ବିଭିନ୍ନ ୟୁଜର୍ସ ନାନା ପ୍ରତିକ୍ରିୟା ରଖିଛନ୍ତି । କେହି ବିଶ୍ୱାସ କରି ପାରୁନାହାନ୍ତି ଯେ ଏତେ ଛୋଟ ପିଲା କାର ଚଲାଉଛି । ଭିଡ଼ିଓ ଶେୟାର କରି ସେ ଲେଖିଛନ୍ତି ଯେ ‘ଏକ ଛୋଟ ଶିଶୁ ମୁଲତାନରେ ଲ୍ୟାଣ୍ଡ କ୍ରୁଜର୍ ଚଳାଉଛି । ଶିଶୁର ଗୋଡ଼ ବ୍ରେକ୍, କ୍ଲଚ୍ ଯାଏଁ କେମିତି ପହଞ୍ଚୁଛି ? ଇଏ କାହା ପିଲା ?’
ଅନ୍ୟପକ୍ଷରେ ଭିଡ଼ିଓ ଦେଖି ବିଭିନ୍ନ ଲୋକ ନାନା ପ୍ରତିକ୍ରିୟା ରଖୁଛନ୍ତି । କିଏ ଶିଶୁର ବାପା-ମା’ ବିରୋଧରେ ମାମଲା କରିବାକୁ କହିଲାଣି ତ କିଏ ପୁଣି ପ୍ରଶ୍ନ କରୁଛି ଯେ ଶିଶୁଟି ଗିୟର କେମିତି ବଦଳାଉଛି । ତେବେ ଭିଡ଼ିଓ ପଛରେ ସତ କ’ଣ ତାହା ଏ ପର୍ଯ୍ୟନ୍ତ ଅସ୍ପଷ୍ଟ ।