କରୋନା କାଳରେ ଯେତେବେଳ ରାଜ୍ୟରେ ଲକଡାଉନ ଓ ସଟଡାଉନ ଚାଲିଛି ଓ ଲୋକଙ୍କୁ ଅଯଥା ଘରୁ ନବାହାରିବାକୁ ନିର୍ଦ୍ଦେଶ ଦିଆଯାଇଛି ସେ ସମୟରେ ଆଜି ରାଜ୍ୟ ମୁଖିଆ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ରାଜ୍ୟର କୋଭିଡ଼-୧୯ ପରିସ୍ଥିତି ନେଇ ସମୀକ୍ଷା କରିଛନ୍ତି । ସମୀକ୍ଷା କଲାବେଳେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ ଡ୍ୟୁଟିରେ ଥିବାବେଳେ ମୃତ୍ୟୁବରଣ କଲେ କୋଭିଡ଼ ଯୋଦ୍ଧାଙ୍କ ପରିବାରଙ୍କୁ ମିଳିବ ୫୦ ଲକ୍ଷ ଟଙ୍କାର ସହାୟତା ରାଶି ।
ସୂଚନା ଅନୁଯାୟୀ ଯଦି ମୃତ୍ୟୁବରଣ କରିଥିବା କୋଭିଡ଼ ଯୋଦ୍ଧାର କେହି ପରିବାର ନଥାନ୍ତି ତେବେ ସହାୟତା ରାଶି ନିକଟତମ ଆତ୍ମୀୟମାନେ ପାଇପାରିବେ । କୋଭିଡ଼-୧୯ ଡ୍ୟୁଟି ସମୟରେ ମୃତ୍ୟୁବରଣ କରୁଥିବା ଅଙ୍ଗନବାଡ଼ି ଓ ଆଶାକର୍ମୀଙ୍କ ନିକଟତମ ଆତ୍ମୀୟମାନେ ଯଥାକ୍ରମେ ମାସିକ ୭୫୦୦ ଟଙ୍କା ଏବଂ ୫୦୦୦ ଟଙ୍କା ସହାୟତା ପାଇବେ । ଏ ସହାୟତା ରାଶି ମୃତ କର୍ମଚାରୀଙ୍କୁ ୬୦ ବର୍ଷ ହେବା ଯାଏଁ ମିଳିବ ।
ସମୀକ୍ଷା କଲାବେଳେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଅଣ-କୋଭିଡ଼ ରୋଗୀମାନେ କିପରି ବିଭିନ୍ନ ଡାକ୍ତରଖାନାରେ ଉପଯୁକ୍ତ ଚିକିତ୍ସା ପାଇବେ ଓ ଚିକିତ୍ସାରେ ସାମାନ୍ୟତମ ଅବହେଳା ନହେବେ ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ଆମ୍ବୁଲାନ୍ସ ନେଟୱାର୍କକୁ ମଧ୍ୟ ସୁଦୃଢ କରିବା ପାଇଁ ପରାମର୍ଶ ଦେଇ ସେ କହିଛନ୍ତି ଯେ ରୋଗୀଙ୍କ ଜୀବନ ବଞ୍ଚାଇବା ଆମର ପ୍ରାଥମିକତା ।
କରୋନା ପାଇଁ ଆବଶ୍ୟକୀୟ ପଦକ୍ଷେପମାନ ନେବା, ସେଗୁଡ଼ିକୁ ପରିଚାଳନା କରିବା ଓ ବିଭିନ୍ନ ସ୍ୱାସ୍ଥ୍ୟ ଭିତ୍ତିଭୂମି ନିର୍ମାଣ କରିବା ଆଦି ଏ ମହାମାରୀକୁ ନିୟନ୍ତ୍ରଣ କରିବାରେ ଫଳପ୍ରଦ ଭୂମିକା ଗ୍ରହଣ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ନଥିବା ସ୍ୱଳ୍ପ ଓ ମଧ୍ୟମ ଲକ୍ଷଣଯୁକ୍ତ କରୋନା ରୋଗୀମାନଙ୍କୁ ଘରେ ରହି ଚିକିତ୍ସିତ ହେବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି ଯାହା ଉଭୟ ସହର ଏବଂ ଗ୍ରାମାଞ୍ଚଳରେ ଲାଗୁ ହୋଇଛି ।
ମୁଖ୍ୟମନ୍ତ୍ରୀଙ୍କ ବିଚାରରେ ଘରୋଇ ପରିବେଶରେ ରୋଗୀମାନେ ଶୀଘ୍ର ଆରୋଗ୍ୟ ଲାଭ କରିବେ ଏବଂ ହସ୍ପିଟାଲଗୁଡ଼ିକରେ ରୋଗୀଙ୍କ ଚାପ ହ୍ରାସ ହେବ । ତେଣୁ ଘରେ ରହି ଚିକିତ୍ସିତ ହେଉଥିବା ରୋଗୀମାନଙ୍କୁ ଆବଶ୍ୟକ ଚିକିତ୍ସା ସହାୟତା ଯୋଗାଇ ଦେବା ଏବଂ ସେମାନଙ୍କ ସ୍ଵାସ୍ଥ୍ୟ ତଦାରଖ କରିବା ଉପରେ ସ୍ଵତନ୍ତ୍ର ଗୁରୁତ୍ଵ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ଏମିତିକି କରୋନାରେ ମୃତ୍ୟୁବରଣ କରୁଥିବା ରୋଗୀମାନଙ୍କ ସମ୍ମାନଜନକ ଭାବରେ ଶବ ସଂସ୍କାର ପାଇଁ ସରକାରଙ୍କ ନୂତନ ନିର୍ଦ୍ଦେଶାବଳୀ ଉପରେ ମୁଖ୍ୟମନ୍ତ୍ରୀ ଆଲୋକପାତ କରିଛନ୍ତି । ଏହାବ୍ୟତୀତ ଅନୁଗୁଳ, ଢେଙ୍କାନାଳ, ଦେବଗଡ଼, କେନ୍ଦୁଝର, ମୟୁରଭଞ୍ଜ, ବଲାଙ୍ଗୀର, ବରଗଡ଼ ଓ ନୂଆପଡ଼ା ଆଦି ଜିଲ୍ଲାର କରୋନା ପରିସ୍ଥିତି ଓ ପରିଚାଳନା ସମ୍ପର୍କରେ ଜିଲ୍ଲାର ପର୍ଯ୍ୟବେକ୍ଷକମାନେ କିପରି ପରିଚାଳନାକୁ ଅଧିକ ଦକ୍ଷ ଓ କ୍ରିୟାଶୀଳ କରିହେବ ସେ ବିଷୟରେ ପ୍ରସ୍ତାବ ରଖିଥିଲେ । ଏହି ପ୍ରସ୍ତାବକୁ ଅନୁଧ୍ୟାନ କରିବାକୁ ମୁଖ୍ୟମନ୍ତ୍ରୀ ମୁଖ୍ୟ ବୈଠକରେ ଉପସ୍ଥିତ ଥିବା ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।